ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କରକମଳରେ ନୂଆଦିଲ୍ଲୀର ପ୍ରଧାନମନ୍ତ୍ରୀ ସଂଗ୍ରହାଳୟରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରକାଶିତ ହୋଇଥିବା ମହାନ ଶିକ୍ଷାବିତ୍ ତଥା ହିନ୍ଦୀ ସାହିତ୍ୟିକ ବିଷ୍ଣୁକାନ୍ତ ଶାସ୍ତ୍ରୀଙ୍କ ଉପରେ କେନ୍ଦ୍ରୀତ ପୁସ୍ତକ ‘ବିଷ୍ଣୁକାନ୍ତ ଶାସ୍ତ୍ରୀ ରଚନା-ସଂଚୟନ’ ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରସିଦ୍ଧ ଲେଖକ ବିଷ୍ଣୁକାନ୍ତ ଶାସ୍ତ୍ରୀଙ୍କ ମହାନ ବ୍ୟକ୍ତିତ୍ୱ ଓ ଚିନ୍ତାଧାରାକୁ ଆଗାମୀ ପିଢ଼ି ପାଖରେ ପହଞ୍ଚାଇବା ଦିଗରେ ସାହିତ୍ୟ ଏକାଡେମୀର ଏହି ପୁସ୍ତକ ଏକ ସାର୍ଥକ ପ୍ରୟାସ ଏବଂ ତାଙ୍କ ପ୍ରତି ସଠିକ୍ ଶ୍ରଦ୍ଧାଞ୍ଜଳି ଅଟେ । ଜଣେ ପ୍ରକୃତ ଦେଶଭକ୍ତ, କର୍ମଠ ନେତା ଏବଂ ଜଣେ ପ୍ରଖ୍ୟାତ ବିଦ୍ୱାନ ଭାବରେ ବିଷ୍ଣୁକାନ୍ତ ଶାସ୍ତ୍ରୀ ଭାରତରେ ସାଂସ୍କୃତିକ ଜାତୀୟତାବାଦକୁ ଦିଗଦର୍ଶନ ଦେଇଥିଲେ । ୩୦ ବର୍ଷ ପୂର୍ବେ ଆଦରଣୀୟ ଶାସ୍ତ୍ରୀଜୀଙ୍କ ମାର୍ଗଦର୍ଶନରେ ମୁଁ ଗଣତନ୍ତ୍ରର ମନ୍ଦିର ‘ସଂସଦ’କୁ ଯାଇ ବିଭିନ୍ନ ରାଜନୈତିକ ପ୍ରସଙ୍ଗ ବୁଝିବାର ସୁଯୋଗ ପାଇଥିଲି, ଯାହା ମୋର ସୌଭାଗ୍ୟ । ସେ ଜଣେ ଦେଶଭକ୍ତ ଭାବରେ ଶ୍ରୀରାମ ଜନ୍ମଭୂମି ଏବଂ ଧାରା ୩୭୦ ଆନ୍ଦୋଳନର ନେତୃତ୍ୱ ନେଇଥିଲେ । ସ୍ୱାମୀ ବିବେକାନନ୍ଦଙ୍କଠାରୁ ଆରମ୍ଭ କରି ବିଷ୍ଣୁକାନ୍ତ ଶାସ୍ତ୍ରୀଜୀଙ୍କ ପର୍ଯ୍ୟନ୍ତ, ଏହି ମହାନ ବ୍ୟକ୍ତିତ୍ୱମାନେ ଯେଉଁ ଭାରତୀୟତାର ମୂଳ ଉପରେ ଯୋର୍ ଦେଇଥିଲେ, ତାହାକୁ ସାକାର କରିବାର ମାର୍ଗ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାର୍ଗଦର୍ଶନରେ ପ୍ରଣୟନ ହୋଇଥିବା ‘ଜାତୀୟ ଶିକ୍ଷା ନୀତି -୨୦୨୦’ ଅଟେ । “ବିଷ୍ଣୁକାନ୍ତ ଶାସ୍ତ୍ରୀଙ୍କ ରଚନା-ସଂଚୟନ” ପୁସ୍ତକ ଉନ୍ମୋଚନ ଅବସରରେ ପୁସ୍ତକକୁ ସମ୍ପାଦନ କରିଥିବା ଡ. ପ୍ରେମ ଶଙ୍କର ତ୍ରିପାଠୀ ଓ କେନ୍ଦ୍ର ସାହିତ୍ୟ ଏକାଡେମୀକୁ ଶ୍ରୀ ପ୍ରଧାନ ଶୁଭେଚ୍ଛା ଜଣାଇଛନ୍ତି ।