ପଦ୍ମପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର:ଚାଷୀ ଆନ୍ଦୋଳନ ଏବଂ ପଦ୍ମପୁରକୁ ଜିଲ୍ଲା ଗଠନ ଦାବିକୁ ବିଜେପି ପୂର୍ଣ୍ଣ ସମର୍ଥନ କରୁଛି । ବିଜେପି ଚାଷୀଙ୍କ ସହ ରହିଛି ଏବଂ ରହିବ ବୋଲି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ସୋମବାର ପଦ୍ମପୁର ଉପନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ସମର୍ଥନରେ ପ୍ରଚାର କରିବା ସହ ଧାରଣାସ୍ଥଳକୁ ଯାଇ ଆନ୍ଦୋଳନରତ ‘କୃଷକ ସଂଗଠନ’ ଓ ‘ପ୍ରସ୍ତାବିତ ପଦ୍ମପୁର ଜିଲ୍ଲା କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି’କୁ ଭେଟିବା ପରେ ଶ୍ରୀ ପ୍ରଧାନ ଏହା କହିଛନ୍ତି । ଶ୍ରୀ ପ୍ରଧାନ ପଦ୍ମପୁର ନିର୍ବାଚନମଣ୍ଡଳୀରେ ଆୟୋଜିତ ଜନସଭାରେ କହିଛନ୍ତି ଯେ ବିଜେପି ଏବଂ ପ୍ରାର୍ଥୀ ପ୍ରଦୀପ ପୁରୋହିତ ଚାଷୀମାନଙ୍କ ସହ ଅଛନ୍ତି । ଚାଷୀ ମାନଙ୍କର ଭରସା ମଧ୍ୟ ବିଜେପି ଉପରେ ଅଛି । ଚାଷୀଙ୍କ ସମସ୍ୟା ସହ ଜଡ଼ିତ ସବୁ ପ୍ରସଙ୍ଗ ଉପରେ ଦଳ ଅବଗତ ଅଛି । ୨୦୧୬ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ଲକରୁ ପଞ୍ଚାୟତ ଇନସ୍ୟୁରାନ୍ସ ୟୁନିଟ୍ କରିବାର ଐତିହାସିକ ନିଷ୍ପତି ଏହି ବରଗଡ଼ ମାଟିରୁ ନେଇଥିଲେ । କୃଷିର ବିକାଶ ପାଇଁ ବରଗଡ଼ ଜିଲ୍ଲାରେ ଇଥାନଲ ପ୍ଲାଣ୍ଟ ସ୍ଥାପନା କରାଯାଇଛି । ଚାଷୀ ଭାଇ ଏବଂ ଜିଲ୍ଲାର ବିକାଶ ପାଇଁ ମୋଦୀ ସରକାର ପ୍ରତିଶ୍ରୁତିବଦ୍ଧ । ଅପରପକ୍ଷରେ ରାଜ୍ୟ ସରକାର ୨୨ ବର୍ଷରୁ ଅଧିକ ଶାସନରେ ରହିବା ପରେ ମଧ୍ୟ ପଦ୍ମପୁରରେ ପାଣି, ଜଳସେଚନ, ଚାଷୀ ବୀମା, ଧାନ କିଣା ଓ ଦାଦନ ସମସ୍ୟାର ସମାଧାନ ନହେବା ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ସେହିପରି ସେ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଅବ୍ୟବସ୍ଥା ଏବଂ ଦାୟିତ୍ୱରେ ବିଳମ୍ବ କାରଣରୁ ଆଜି ଚାଷୀମାନେ ଆନ୍ଦୋଳନରେ ବସିଛନ୍ତି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର କ୍ରିୟାନ୍ୱୟନ ରାଜ୍ୟ ସରକାରଙ୍କ ହାତରେ ନ୍ୟସ୍ତ ରହିଛି । ରାଜ୍ୟ ସରକାର ଏଥିପାଇଁ ଏଜେନ୍ସି ନିଯୁକ୍ତି କରନ୍ତି । ବୀମା କମ୍ପାନୀ ଓ ଚାଷୀମାନଙ୍କ ମଧ୍ୟରେ ଦେଖାଯାଇଥିବା ବିବାଦ ନେଇ ରାଜ୍ୟ ସରକାର ଠିକରେ ଉପସ୍ଥାପିତ କରିବାରେ ଅହେତୁକ ବିଳମ୍ବ କଲେ । ଏଥିପାଇଁ ଏହି ସମସ୍ୟା ସୃଷ୍ଟି ହୋଇଛି । ଗତ ୩ ତାରିଖରୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଚାଷୀଙ୍କୁ ବୀମା ରାଶି ପଠାଇବା ପାଇଁ ଚିଠି ଲେଖିଥିଲେ ମଧ୍ୟ ୧୧ ଦିନ ପରେ ବି ରାଜ୍ୟ ସରକାରଙ୍କ ପକ୍ଷରୁ ଏ ପର୍ଯ୍ୟନ୍ତ କାହିଁକି ଚାଷୀଙ୍କ ବ୍ୟାଙ୍କ୍ ଖାତାକୁ ଟଙ୍କା ଆସିନାହିଁ ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଏହାଛଡ଼ା ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ଘୋଷଣା ଦାବିରେ ଧାରଣାରେ ବସିଥିବା ‘ପ୍ରସ୍ତାବିତ ପଦ୍ମପୁର ଜିଲ୍ଲା କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି’ର ସଭାପତି ଓ ସଦସ୍ୟଙ୍କ ଦାବିକୁ ବିଜେପି ପୂର୍ଣ୍ଣ ସମର୍ଥନ ଦେଉଥିବା ଶ୍ରୀ ପ୍ରଧାନ କହିଛନ୍ତି । ପ୍ରଚାର କରିବା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରଥମେ ବରଗଡ଼ ଜିଲ୍ଲା ଘେଁସ ଠାରେ ଶହୀଦ ମାଧୋ ସିଂହଙ୍କର ଷଷ୍ଠ ଦାୟାଦ ସ୍ୱର୍ଗତ ତାରକେଶ୍ୱର ସିଂହ ବରିହାଙ୍କର ଧର୍ମପତ୍ନୀ ଘେଁସ ରାଜମାତା ସ୍ୱର୍ଗୀୟା ମମତା ସିଂହ ବରିହାଙ୍କ ବାସଭବନକୁ ଯାଇ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଏହା ପରେ ଘେଁସ ଠାରେ ଦେଶର ବୀର ସ୍ୱାଧୀନତା ସଂଗ୍ରାମୀ ଶହୀଦ ମାଧୋ ସିଂହ, ହଟ୍ଟେ ସିଂହ, କୁଞ୍ଜଳ ସିଂହ, ବୈରୀ ସିଂହ ଓ ଐରୀ ସିଂହଙ୍କ ସ୍ମୃତିରେ ନିର୍ମିତ ‘ସ୍ମୃତିସ୍ତମ୍ଭ’ରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ କେନ୍ଦ୍ରମନ୍ତ୍ରୀ । ସେହି ସ୍ଥାନରେ ଜମିଦାର ଲାଲ ଯୋଗେନ୍ଦ୍ର ନାଥ ସିଂହ ବରିହାଙ୍କ ପ୍ରତିମୂର୍ତ୍ତିରେ ମଧ୍ୟ ଶ୍ରୀ ପ୍ରଧାନ ମାଲ୍ୟାର୍ପଣ କରିବା ସହ ପଦ୍ମପୁର ସ୍ଥିତ ମା’ ବନ ଦୁର୍ଗାଙ୍କ ମନ୍ଦିରରେ ମଧ୍ୟ ଦର୍ଶନ କରିବା ସହ ଆଶୀର୍ବାଦ ନେଇଥିଲେ ।