ଅନ୍‌ବ୍ଲକ ହେବ ‘କକ୍‌ରୋଚ୍ ଜନତା ପାର୍ଟି’ର X ଆକାଉଣ୍ଟ, କେନ୍ଦ୍ର ସରକାରଙ୍କୁ ଦିଲ୍ଲୀ ହାଇକୋର୍ଟର ଆଦେଶ

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟର ଜଷ୍ଟିସ ସ୍ୱର୍ଣ୍ଣକାନ୍ତ ଶର୍ମା କେନ୍ଦ୍ର ସରକାରଙ୍କୁ ‘କକ୍‌ରୋଚ୍ ଜନତା ପାର୍ଟି’ ନାମକ ଆକାଉଣ୍ଟକୁ ତୁରନ୍ତ ଚାଲୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଅଭିବ୍ୟକ୍ତିର ସ୍ୱାଧୀନତା ଏବଂ ସୋସିଆଲ ମିଡିଆ ବ୍ୟବହାରର ଅଧିକାରକୁ ବିନା କୌଣସି ଠୋସ୍ କାରଣରେ ରୋକାଯାଇପାରିବ ନାହିଁ। କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଦ୍ୱାରା ଜାତୀୟ ସୁରକ୍ଷା କିମ୍ବା ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି କେତେକ ଆକାଉଣ୍ଟ ଉପରେ କଟକଣା ଲଗାଯାଇଥିଲା। ଏହି କ୍ରମରେ ‘କକ୍‌ରୋଚ୍ ଜନତା ପାର୍ଟି’ ଆକାଉଣ୍ଟକୁ ମଧ୍ୟ ବ୍ଲକ କରାଯାଇଥିଲା। ଏହା ବିରୋଧରେ ଆକାଉଣ୍ଟର ବ୍ୟବହାରକାରୀ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲାର ଶୁଣାଣି କରି ଜଷ୍ଟିସ ସ୍ୱର୍ଣ୍ଣକାନ୍ତ ଶର୍ମା ସ୍ପଷ୍ଟ କରିଛନ୍ତି ଯେ, ଯଦି କୌଣସି ଆକାଉଣ୍ଟରେ ଦେଶର ସୁରକ୍ଷା ପ୍ରତି ବିପଦ ଥିବା ଭଳି ସାମଗ୍ରୀ ନାହିଁ, ତେବେ ତାକୁ ସମ୍ପୂର୍ଣ୍ଣ ରୂପେ ବ୍ୟାନ୍ କରିବା ଉଚିତ ନୁହେଁ। ନିର୍ଦ୍ଦିଷ୍ଟ ବିବାଦୀୟ ପୋଷ୍ଟକୁ ହଟାଯାଇପାରେ, କିନ୍ତୁ ପୂରା ଆକାଉଣ୍ଟ ବ୍ଲକ କରିବା ଦ୍ୱାରା ନାଗରିକଙ୍କ ସାମ୍ବିଧାନିକ ଅଧିକାର କ୍ଷୁର୍ଣ୍ଣ ହେଉଛି। କୋର୍ଟ କେନ୍ଦ୍ର ସରକାରଙ୍କୁ ଏହି ଆକାଉଣ୍ଟ ଉପରୁ ପ୍ରତିବନ୍ଧକ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।