ଉଜ୍ଜ୍ଵଳା ଗ୍ୟାସ ଉପଭୋକ୍ତା ଙ୍କୁ ୨୦୦ ଟଙ୍କାର ସବସିଡି,୯ କୋଟି ରୁ ଉର୍ଦ୍ଧ୍ବ ଲୋକ ହେବେ ଉପକୃତ

କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଏକ୍ସସାଇଜ ଡ୍ୟୁଟି ହ୍ରାସ କରିଛନ୍ତି । ଇନ୍ଧନ ସହ ଗରିବ ଲୋକଙ୍କୁ ମଧ୍ୟ ବଡ଼ ଆଶ୍ୱସ୍ତି ଦେଇ ମହଙ୍ଗା ଗ୍ୟାସ ସିଲିଣ୍ଡର କିଣୁଥିବା ଗ୍ରାହକଙ୍କୁ ମଧ୍ୟ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କୁ ପ୍ରତି ଗ୍ୟାସ ସିଲିଣ୍ଡର ପିଛା ୨୦୦ ଟଙ୍କାର ସବସିଡି ଦେବାକୁ ନିଷ୍ପତ୍ତି ନେଇଛନ୍ତି।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ଘୋଷଣା କରି କହିଛନ୍ତି, ‘ଆମେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ୯ କୋଟିରୁ ଅଧିକ ଲାଭାର୍ଥୀଙ୍କୁ ୨୦୦ ଟଙ୍କା ପ୍ରତି ଗ୍ୟାସ ସିଲିଣ୍ଡର (୧୨ଟି ସିଲିଣ୍ଡର ଯାଏଁ)ର ସବସିଡି ପ୍ରଦାନ କରିବେ। ଏହାଦ୍ୱାରା ଆମ ମାଆ, ଭଉଣୀଙ୍କୁ ବହୁ ଉପକୃତ ହେବେ’। ସୂଚନାଯୋଗ୍ୟ ଯେ, ରୋଷେଇ କାର୍ଯ୍ୟରେ ବ୍ୟବହୃତ ହେଉଥିବା ଏଲପିଜି ସିଲିଣ୍ଡରର ମୂଲ୍ୟ ଗତ ୧୯ ତାରିଖରେ ୩.୫୦ ଟଙ୍କା ବୃଦ୍ଧି ପାଇଥିଲା । ଚଳିତ ମାସରେ ଦ୍ୱିତୀୟ ଥର ପାଇଁ ଏଲପିଜି ସିଲିଣ୍ଡରର ଦାମ୍ ବଢ଼ିଥିଲା ।

ସେହିପରି କେନ୍ଦ୍ର ସରକାର ପେଟ୍ରୋଲ ଉପରୁ କେନ୍ଦ୍ରୀୟ ଏକ୍ସାଇଜ୍ ଡ୍ୟୁଟି ଲିଟର ପିଛା ୮ ଟଙ୍କା ଓ ଡିଜେଲ ଉପରୁ ୬ ଟଙ୍କା ହ୍ରାସ କରିଛନ୍ତି । ଏହାଦ୍ୱାର ପେଟ୍ରୋଲ ଦର ଲିଟର ପିଛା ୯.୫ ଟଙ୍କା ଓ ଡିଜେଲ ଲିଟର ପିଛା ୭ ଟଙ୍କା ହ୍ରାସ ପାଇବ ।

କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ଟ୍ୱିଟ୍ କରି କହିଛନ୍ତି, ‘ଯେବେଠାରୁ କେନ୍ଦ୍ରରେ ପିଏମ ମୋଦୀଙ୍କ ସରକାର ଆସିଛି ସେବେଠୁ ଗରିବଙ୍କ କଲ୍ୟାଣ ପାଇଁ କାମ କରୁଛି। ଆମେ ଗରିବ ଏବଂ ମଧ୍ୟମ ବର୍ଗକୁ ସାହାଯ୍ୟ କରିବା ପାଇଁ ବହୁ ପଦକ୍ଷେପ ଗ୍ରହଣ କରିଛୁ। ଏହାର ପରିଣାମ ହେଉଛି ଆମ କାର୍ଯ୍ୟକାଳ ସମୟରେ ହାରାହାରି ଦରବୃଦ୍ଧି ପୂର୍ବ ସରକାରଠୁ କମ ହି ରହିଛି’। କେନ୍ଦ୍ର ସରକାରଙ୍କର ଏହି ନିଷ୍ପତ୍ତି ଫଳରେ ଜନସାଧାରଣଙ୍କୁ ମହଙ୍ଗା ମାଡ଼ରୁ ନିସ୍ତାର ମିଳିବ ।