ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ୟୁଜିସି ଦ୍ୱାରା ଗଠିତ ଫ୍ୟାକ୍ଟ ଫାଇଣ୍ଡିଂ କମିଟି କରିବେ ତଦନ୍ତ

ଭୁବନେଶ୍ୱର: ସୌମ୍ୟାଶ୍ରୀ ବିଶି ମୃତ୍ୟୁ ମାମଲାରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଦ୍ୱାରା ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ ହୋଇଛି। ୟୁଜିସି ପକ୍ଷରୁ ଏନେଇ ମଙ୍ଗଳବାର ନିର୍ଦ୍ଦେଶ ନାମା ଜାରି ହୋଇଛି। ନୂଆଦିଲ୍ଲୀସ୍ଥିତ ଇନ୍ଦ୍ରପ୍ରସ୍ଥ ବିଶ୍ୱବିଦ୍ୟାଳୟ ଓ ୟୁଜିସି ସଦସ୍ୟ ପ୍ରଫେସର ରାଜ୍ ମିତ୍ତଲ ଏହି କମିଟିର ଅଧ୍ୟକ୍ଷତା କରିବେ। ଏହି କମିଟିରେ ଅନ୍ୟ ୩ ଜଣଙ୍କୁ ସାମିଲ କରାଯାଇଛି। ୟୁଜିସିର ପୂର୍ବତନ ସଦସ୍ୟ ପ୍ରଫେସର ସୁଷମା ଯାଦବ, ଅହମଦାବାଦସ୍ଥିତ ଗୁଜରାଟ ବିଶ୍ୱବିଦ୍ୟାଳୟର କୁଳପତି ଡ. ନୀର୍ଜା ଗୁପ୍ତା ସଦସ୍ୟ ରହିଥିବା ବେଳେ ୟୁଜିସିର ଯୁଗ୍ମ ସଚିବ ଡ. ଅସୀମା ମଙ୍ଗଳା ସଂଯୋଜକ ଅଧିକାରୀ ଅଛନ୍ତି। ଏହି କମିଟିର ସଦସ୍ୟମାନେ ଘଟଣାର ସମସ୍ତ ଦିଗକୁ ଅନୁଧ୍ୟାନ କରି ରିପୋର୍ଟ ପ୍ରସ୍ତୁତ କରିବ ଏବଂ ଏହାକୁ ୭ଦିନ ଭିତରେ ଦାଖଲ କରିବେ।