ଦେଶ ପାଇଁ ୟୁସିସି ନିହାତି ଆବଶ୍ୟକ: ମୋଦୀ

ନୂଆଦିଲ୍ଲୀ: ଆସନ୍ତା ଲୋକସଭା ନିର୍ବାଚନ ପାଇଁ ବିଜେପି ଜାରି କରିଛି ତା’ର ସଂକଳ୍ପ ପତ୍ର । କେନ୍ଦ୍ରରେ ପୁଣିଥରେ ସରକାର ଗଢିବା ପରେ ପୁରା ଦେଶରେ ୟୁସିସି ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇଛି ବିଜେପି । ଇସ୍ତାହାର ପତ୍ର ଜାରି କରିବା ବେଳେ ମୋଦୀ କହିଛନ୍ତି ଯେ, ଦଳର ଏହି ସଂକଳ୍ପ ପତ୍ର ବିକଶିତ ଭାରତର ୪ଟି ମଜବୁତ ସ୍ତମ୍ଭ – ଯୁବକ, ମହିଳା, ଗରିବ ଏବଂ କୃଷକଙ୍କୁ ସଶକ୍ତ କରିବ ।

ଚଳିତବର୍ଷ ଆରମ୍ଭରୁ ଉତ୍ତରାଖଣ୍ଡରେ ବିଜେପି ସରକାର ୟୁସିସି ଲାଗୁ କରିଥିଲେ । ଯେଉଁଥିରେ ବିବାହ, ଛାଡପତ୍ର ତଥା ଅନ୍ୟାନ୍ୟ ନାଗରିକ ପ୍ରସଙ୍ଗକୁ ନେଇ ଧାର୍ମିକ ବ୍ୟକ୍ତିଗତ ନିୟମକୁ ବଦଳାଇ ଦେଇଥିଲା । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ସର୍ମା ମଧ୍ୟ ପ୍ରତିଶୃତି ଦେଇଛନ୍ତି ଯେ ସେ ରାଜ୍ୟରେ ବହୁବିବାହକୁ ନିଷିଦ୍ଧ କରିବେ ଏବଂ ୟୁସିସି କାର୍ଯ୍ୟକାରୀ କରିବେ । ମୋଦୀ କହିଛନ୍ତି ଯେ, ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନର ଧାରଣାକୁ ହୃଦୟଙ୍ଗମ କରିବାକୁ ଆମେ ସଂକଳ୍ପ ନେଇ ଆଗକୁ ବଢ଼ିବା । ଦେଶର ସ୍ବାର୍ଥରେ ୟୁନିଫର୍ମ ସିଭିଲ କୋଡ (ୟୁସିସି)ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସଂକଳ୍ପ ପତ୍ର ଜାରି କରିଛନ୍ତି । ଏଥିରେ ଅନେକ ପ୍ରକାରର ପ୍ରତିଶ୍ରୁତି ଦିଆଯାଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ସହ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଦଳର ସଭାପତି ଜେପି ନଡା ଉପସ୍ଥିତ ଥିଲେ ।