ମହାନଦୀକୁ ଡେଇଁଲେ ୨ ନାବାଳିକା: ସ୍ଥାନୀୟ ଲୋକ ଓ ଅଗ୍ନିଶମ ବାହିନୀ ଦ୍ୱାରା ସୁରକ୍ଷିତ ଉଦ୍ଧାର

ଭୁବନେଶ୍ବର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ସ୍ଥିତ ଚଢେଇପଙ୍କ ବ୍ରିଜ୍‌ ଉପରୁ ମହାନଦୀକୁ ଦୁଇ ଜଣ ନାବାଳିକା ଡେଇଁପଡ଼ିଥିବା ଖବର ସାମ୍ନାକୁ ଆସିଛି। ତେବେ ସ୍ଥାନୀୟ ଲୋକ ଓ ଅଗ୍ନିଶମ ବାହିନୀର ତତ୍କାଳ ପଦକ୍ଷେପ ଯୋଗୁଁ ଉଭୟ ନାବାଳିକାଙ୍କୁ ପାଣିରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ନାବାଳିକା ଦ୍ୱୟ ବ୍ରିଜ୍‌ ଉପରୁ ନଦୀକୁ ଡେଇଁବା ପରେ ସେଠାରେ ଉପସ୍ଥିତ ଲୋକଙ୍କ ମଧ୍ୟରେ ଆଫ୍ରାତଫ୍ରି ସୃଷ୍ଟି ହୋଇଥିଲା। ଖବର ପାଇ ବିନିକା ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ସ୍ଥାନୀୟ କିଛି ମତ୍ସ୍ୟଜୀବୀଙ୍କ ସହାୟତାରେ ଅଗ୍ନିଶମ କର୍ମଚାରୀମାନେ ନଦୀ ଭିତରୁ ଦୁଇ ନାବାଳିକାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ଉଭୟଙ୍କୁ ଚିକିତ୍ସା ପାଇଁ ବିନିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ସେମାନେ କେଉଁ କାରଣରୁ ନଦୀକୁ ଡେଇଁଲେ, ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି। ପୁଲିସ ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି।