୨ ଲକ୍ଷ ୟୁକ୍ରେନ ନାଗରିକ ଦେଶ ଛାଡ଼ିଲେ: ନିଜ ଦେଶ ପାଇଁ ଲଢିବାକୁ ବିଦେଶରୁ ଫେରିଲେ ବହୁ ସଂଖ୍ୟକ ୟୁକ୍ରେନ ନାଗରିକ

ୟୁକ୍ରେନ ଓ ରୁଷ୍‌ ମଧ୍ୟରେ ଲାଗିଥିବା ଯୁଦ୍ଧର ଆଜି ୪ର୍ଥ ଦିନ I ରୁଷ୍‌ ସେନା ୟୁକ୍ରେନ ଉପରେ ପ୍ରଚଣ୍ଡ ଆକ୍ରମଣ କରି ଖାରକିଭ୍ ଓ ସୁମୀ ସମେତ ଅନେକ ପ୍ରମୁଖ ସହରରେ ପ୍ରବେଶ କରି ୟୁକ୍ରେନର ରାଜଧାନୀ କିଭ୍‌ର ନିକଟତର ହୋଇଛି। ଅପରପକ୍ଷେ, ଯୁଦ୍ଧର ଭୟାବହତାକୁ ସାମ୍ନା କରୁଥିବା ୟୁକ୍ରେନ ଜନସାଧାରଣ ଙ୍କ ସହିତ ବିଦେଶରୁ ଆସି ପଢ଼ୁଥିବା ଛାତ୍ର ଛାତ୍ରୀ ମାନେ ଦେଶ ଛାଡ଼ିବାରେ ଲାଗିଛନ୍ତି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୨ ଲକ୍ଷ ୟୁକ୍ରେନ ନାଗରିକ ଦେଶ ଛାଡ଼ି ପଳାୟନ କରିଛନ୍ତି। ସେପଟେ ଏହାରି ମଧ୍ୟରେ ଦେଖିବାକୁ ମିଳିଛି ଭିନ୍ନ ଦୃଶ୍ୟ । ନିଜ ଦେଶ ଛାଡି ବିଦେଶ ରେ ରହୁଥିବା ୟୁକ୍ରେନ ନାଗରିକ ମାନେ ୟୁକ୍ରେନ କୁ ପ୍ରତ୍ୟାବର୍ତ୍ତନ କରି ରୁଷର ଆକ୍ରମଣକୁ ଜବାବ ଦେବାପାଇଁ ଏକାଠି ହେଉଛନ୍ତି I ଏହା ସହିତ ନିଜ ଦେଶ ରେ ଆଉ ତିଆରି କରୁଛନ୍ତି କକଟେଲ ବୋମା । ରୁଷର ଟ୍ୟାଙ୍କ ହେଉ କିମ୍ବା ମିଲିଟାରୀ ଟ୍ରକ କିମ୍ବା କୌଣସି ମୁହୁର୍ତ୍ତରେ ଯଦି ଶତ୍ରୁ ସେମାନଙ୍କ ଉପରକୁ ଆକ୍ରମଣ କରେ ତେବେ ଜବାବ ଦେବାପାଇଁ ଏହିସବୁ କକଟେଲ ବୋମାକୁ ମହଜୁଦ ରଖୁଛନ୍ତି ୟୁକ୍ରେନ ଲୋକମାନେ ।
ରାଷ୍ଟ୍ରପତି ଜେଲେନ୍‌ସ୍କି ରୁଷଠାରୁ ନିଜ ଦେଶକୁ ରକ୍ଷା କରିବାକୁ ସାଧାରଣ ନାଗରିକଙ୍କୁ ଆଗକୁ ଆସିବା ପାଇଁ ଅନୁରୋଧ କରିଥିଲେ। ଜେଲେନ୍‌ସ୍କିଙ୍କ ଏହି ଅନୁରୋଧ ଏବେ ଫଳପ୍ରଦ ହୋଇଥିବା ଦେଖିବାକୁ ମିଳିଛି। କିଭ୍‌ର ଏକ ଅଞ୍ଚଳରେ ବହୁସଂଖ୍ୟକ ସାଧାରଣ ନାଗରିକ ରୁଷ ବିରୁଦ୍ଧରେ ଲଢିବାକୁ ୟୁକ୍ରେନ ସେନାରେ ଭର୍ତ୍ତି ହେବା ପାଇଁ ପହଞ୍ଚିଛନ୍ତି। ୟୁକ୍ରେନର ପୂର୍ବତନ ପ୍ରବୀଣ ସୈନିକମାନେ ଦେଶ ରକ୍ଷା ପାଇଁ ପୁଣି ସେନାରେ ସାମିଲ ହେବାକୁ ପ୍ରସ୍ତୁତ। ଏଭଳି ବହୁ ସଂଖ୍ୟକ ନାଗରିକ ୟୁକ୍ରେନ ସେନାରେ ସାମିଲ ହେବା ପାଇଁ କିଭ୍‌ରେ ପହଞ୍ଚିଛନ୍ତି, ଯେଉଁମାନେ ଯୁଦ୍ଧ ମଧ୍ୟରେ ନିଜ ଦେଶର ସୁରକ୍ଷା ପାଇଁ ବିଦେଶରୁ ସ୍ବଦେଶ ଫେରିଛନ୍ତି। ରୁଷ ବିରୋଧରେ ୟୁକ୍ରେନର ସାଧାରଣ ନାଗରିକଙ୍କ ଏଭଳି ଆଭିମୁଖ୍ୟ ପୁଟିନଙ୍କ ଚିନ୍ତା ବଢାଉଛି।