ରାଜ୍ୟ ସରକାରଙ୍କ ଦ୍ୱାରା ୨୦୨୧ ଘୋଷଣା କରାଯାଇଥିବା ୩୧ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ୨୦୧୯କୁ ରଦ୍ଦ କଲେ ଓଡ଼ିଶା ହାଇକୋର୍ଟ। କାରଣ ଏଥିରେ ଦୁଇଟି ରିମେକ୍ ଚଳଚ୍ଚିତ୍ର ଖୁସୀ ଓ ଗୋଲମାଲ ଲଭ୍କୁ ତାଲିକାଭୁକ୍ତ କରାଯାଇଛି। ଯାହା କୌଣସି ବର୍ଗରେ ଏହି ପୁରସ୍କାର ପାଇଁ ଯୋଗ୍ୟ ନୁହେଁ। ତେଣୁ ଏହି ଦୁଇଟି ଫିଲ୍ମକୁ ହଟାଇ ମାସକ ଭିତରେ ପୁନଃ ତାଲିକା ଜାରି କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଫିଲ୍ମ ନିର୍ଦ୍ଦେଶକ ବବି ଇସ୍ଲାମଙ୍କ ଆବଦେନର ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।
ଜଷ୍ଟିସ୍ ଡ. ସଂଜୀବ କୁମାର ପାଣିଗ୍ରାହୀଙ୍କ ଜଣିକିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ମାମଲାରେ ଶୁଣାଣି ବେଳେ ଖଣ୍ଡପୀଠ କହିଥିଲେ “ ଖୁସୀ ଓ ଗୋଲମାଲ ଲଭ୍ ଏହି ଦୁଇଟି ଫିଲ୍ମକୁ ନୂଆ ତାଲିକାରେ କୌଣସି ପୁରସ୍କାର ବର୍ଗରେ ବିଚାର କରାଯିବ ନାହିଁ।” ଜାନୁଆରା ୧୧ ତାରିଖରେ ବିଚାରପତି ଏହି ରାୟ ଶୁଣାଇଥିବା ବେଳେ ବୁଧବାର ଏହି ରାୟ ପ୍ରକାଶ ପାଇଛି।
ଖବର ଅନୁସାରେ, ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ୨୦୨୧ ନଭେମ୍ବର ୫ ତାରିଖରେ ଚୂଡ଼ାନ୍ତ ତାଲିକା ପ୍ରକାଶ କରିଥିଲେ। ଏଥିରେ ଚୟନ କର୍ତ୍ତାମାନେ ଦୁଇଟି ରି-ମେକ୍ ସିନେମାକୁ ପୁରସ୍କାର ବର୍ଗରେ ରଖିଥିଲେ। ଗୋଟିଏ ହେଲା କୋରିଆନ୍ ଫିଲ୍ମ ‘ହୋପ୍’ର ଓଡ଼ିଆ ରି-ମେକ୍ ଖୁସୀ ଫିଲ୍ମ। ଏଥିରେ ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ଅଭିନେତ୍ରୀ, ଶ୍ରେଷ୍ଠ ଶିଶୁ କଳାକାର ଓ ଶ୍ରେଷ୍ଠ ଏଡିଟର ବର୍ଗରେ ଫିଲ୍ମଟି ପୁରସ୍କୃତ ହୋଇଥାନ୍ତା। ସେହିପରି ପଞ୍ଜାବୀ ଫିଲ୍ମ ‘କ୍ୟାରି ଅନ୍ ଜଟ୍ଟା’ର ଓଡ଼ିଆ ରି-ମେକ ଗୋଲ୍ମାଲ୍ ଲଭ୍କୁ ଶ୍ରେଷ୍ଠ ହାସ୍ୟ ଅଭିନେତା ପୁରସ୍କାର ବର୍ଗରେ ରଖାଯାଇଥିଲା।