ଓ୍ବାସିଂଟନ୍: ପଶ୍ଚିମ ଏସିଆରେ ଯୁଦ୍ଧ ଆଶଙ୍କା ପୁଣି ବଢ଼ିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ ଇରାନରେ ଆଉ ମାତ୍ର କିଛି ଟାର୍ଗେଟ୍ ବାକି ଅଛି ଏବଂ ଆବଶ୍ୟକ ପଡ଼ିଲେ ମାତ୍ର ୧୦ ମିନିଟ୍ ମଧ୍ୟରେ ସେଗୁଡ଼ିକୁ ଧ୍ୱଂସ କରିଦିଆଯିବ। ଏହି ବୟାନ ପରେ ଉଭୟ ଦେଶ ମଧ୍ୟରେ ସାମରିକ ଉତ୍ତେଜନା ତୀବ୍ର ହୋଇଛି। ଫ୍ଲୋରିଡାରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଟ୍ରମ୍ପ କହିଥିଲେ ଯେ ଆମେରିକା ଇରାନର ସାମରିକ କ୍ଷମତା ଓ ପରମାଣୁ କାର୍ଯ୍ୟକ୍ରମକୁ ବହୁ ପରିମାଣରେ ଦୁର୍ବଳ କରିସାରିଛି। ତଥାପି ନାତାଞ୍ଜ ପରମାଣୁ କେନ୍ଦ୍ର ନିକଟସ୍ଥ ‘ପିକ୍ଆକ୍ସ ମାଉଣ୍ଟେନ୍’ ଭୂଗର୍ଭ କମ୍ପ୍ଲେକ୍ସ ଭଳି କିଛି ସ୍ଥାନ ଏବେ ବି ଆମେରିକାର ନଜରରେ ଅଛି ଏବଂ ସେଗୁଡ଼ିକୁ ନିୟନ୍ତ୍ରଣକୁ ଆଣିବାକୁ ପଡ଼ିବ। ଅନ୍ୟପକ୍ଷରେ, ଟ୍ରମ୍ପଙ୍କ ଏହି ଚେତାବନୀ ପୂର୍ବରୁ ଇରାନର ସୁପ୍ରିମ୍ ଲିଡର୍ ମୋଜତବା ଖାମେନେଇ ଆମେରିକା ଓ ଇସ୍ରାଏଲକୁ କଡ଼ା ଜବାବ ଦେଇଛନ୍ତି। ଇରାନ ଉପରେ ପୁଣି ଆକ୍ରମଣ ହେଲେ ତୁରନ୍ତ ଏବଂ ବ୍ୟାପକ ପ୍ରତିଆକ୍ରମଣ କରିବାକୁ ସେ ସେନାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଶତ୍ରୁପକ୍ଷର ପ୍ରମୁଖ ଠିକଣାଗୁଡ଼ିକୁ ନୂଆ ଟାର୍ଗେଟ୍ ତାଲିକାରେ ସାମିଲ କରିବାକୁ ଏବଂ ପ୍ରତିରକ୍ଷା କ୍ଷମତା ସୁଦୃଢ଼ କରିବାକୁ କୁହାଯାଇଛି। ଫଳରେ ଏହି ପରସ୍ପର ବିରୋଧୀ ବୟାନବାଜି କାରଣରୁ ପଶ୍ଚିମ ଏସିଆରେ ପରିସ୍ଥିତି ଅଧିକ ଜଟିଳ ହୋଇପଡ଼ିଛି।