ସ୍କୁଲ ପରିଚାଳନା କମିଟିର ସଦସ୍ୟଙ୍କୁ ଦିଆଯିବ ତାଲିମ୍

ଭୁବନେଶ୍ୱର: ସ୍କୁଲ ସ୍ତରରେ ଆମୂଳଚୁଳ ପରିବର୍ତ୍ତନ କରି ଶିକ୍ଷାର ମାନ ବୃଦ୍ଧି ଲାଗି ପ୍ରସ୍ତୁତ ହେଉଛି ଯୋଜନା । ଚଳିତବର୍ଷ ଶିକ୍ଷା ବ୍ୟବସ୍ଥାକୁ ଉପରକୁ ନେବା ପାଇଁ ଅନେକ ନୂତନ ଯୋଜନା କାର୍ଯ୍ୟକାରୀ କରାଯାଇଥିବା ବେଳେ ଆଗକୁ ଏହି ତାଲିକାରେ ଆଉ କିଛି ନୂଆ ଯୋଜନା ଯୋଡ଼ି ହେବାକୁ ଯାଉଛି । ବିଶେଷକରି ପ୍ରାଥମିକ ସ୍କୁଲଗୁଡ଼ିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବାବେଳେ ଏଠାକାର ଶିକ୍ଷାକୁ ସୁଦୃଢ଼ କରିବା ପାଇଁ ବିଭାଗ ଅଣ୍ଟା ଭିଡ଼ିଛି । ଏଥିପାଇଁ ସ୍କୁଲ ସହିତ ଜଡ଼ିତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସ୍ୱତନ୍ତ୍ର ତାଲିମ ପ୍ରଦାନ କରାଯିବ । ବିଶେଷକରି ବର୍ତ୍ତମାନ ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ସ୍କୁଲ ପରିଚାଳନା କମିଟିକୁ ଅଧିକ କ୍ରିୟାଶୀଳ କରିବା ପାଇଁ କମିଟିର ସବୁ ସଦସ୍ୟଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ । ତେବେ ଏହି ଯୋଜନା ୨୦୨୦ ମେ’ରୁ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଥିଲେ ହେଁ କରୋନା ସମସ୍ୟା ଲାଗି ଏହା ୨୦୨୩-୨୪ ଶିକ୍ଷାବର୍ଷରୁ ଆରମ୍ଭ ହେବ ବୋଲି ନିଷ୍ପତ୍ତି ହୋଇଛି । ତେବେ ଏହି ପ୍ରଶିକ୍ଷଣରେ ପରିଚାଳନା କମିଟିର ସଦସ୍ୟଙ୍କୁ ସେମାନଙ୍କର କର୍ତ୍ତବ୍ୟ, ଦାୟିତ୍ୱ ସମ୍ପର୍କରେ ଅବଗତ କରାଯିବ । ବିଶେଷକରି ଗୁଣାତ୍ମକ ଶିକ୍ଷା, ସ୍କୁଲରେ ଶୈକ୍ଷିକ ବାତାବରଣ କିପରି ରହିବ ସେ ସମ୍ପର୍କରେ ମଧ୍ୟ ପ୍ରଶିକ୍ଷଣ ଦିଆଯିବ । ଏହାବ୍ୟତୀତ ସ୍କୁଲ ଡେଭଲପମେଣ୍ଟ ପ୍ଲାନ(ଏସ୍‌ଡିପି) ପ୍ରସ୍ତୁତି, ଆର୍ôଥକ ପରିଚାଳନା, ଅଧାରୁ ପାଠଛାଡୁଥିବା ପିଲାଙ୍କ ଅଭିଭାବକଙ୍କୁ ସଚେତନ କରିବା, ସ୍କୁଲ ସପୋର୍ଟ ସ୍କିମ୍‌(ଏସ୍‌ଏସ୍‌ସି) କାର୍ଯ୍ୟକାରୀ କରିବାର ପଦ୍ଧତି, ମଧ୍ୟାହ୍ନ ଭୋଜନର ମାନ ଯାଞ୍ଚ କରିବା ସହ ଶ୍ରେଣୀକକ୍ଷରେ ନିୟମିତ ଶିକ୍ଷକଙ୍କର ଶିକ୍ଷାଦାନ ବ୍ୟବସ୍ଥା ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯିବ । ଏନେଇ ଜିଲ୍ଲାସ୍ତରରେ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯିବ, ଯେଉଁଥିରେ ୧୦ଜଣ ସଦସ୍ୟ ରହିବେ । ଏହାବ୍ୟତୀତ ଡିପିସି, ଶିକ୍ଷକ, କୋର୍ଡିନେଟର, ଏସ୍‌ଆର୍‌ଜି, ଡିଆର୍‌ଜି, ବିଆର୍‌ଜି ସଦସ୍ୟମାନେ ମଧ୍ୟ ରହିବେ । ଏହି ପ୍ରଶିକ୍ଷଣ ଲାଗି ସ୍କୁଲ ଓ ଗଣଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀଙ୍କ ସମେତ ଏସ୍‌ସିଇଆର୍‌ଟି ଏବଂ ଓପେସାର ବିଶେଷଜ୍ଞ ମଧ୍ୟ ସାମିଲ ହେବେ । ଜିଲ୍ଲାୱାରୀ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚାଲିବ । ପ୍ରଥମ ପର୍ଯ୍ୟାୟରେ ଅନୁଗୁଳ, ବାଲେଶ୍ୱର, ଭଦ୍ରକ, ବରଗଡ଼, ବଲାଙ୍ଗିର, ବୌଦ୍ଧ, କଟକ, ଦେଓଗଡ଼, ଢେଙ୍କାନାଳ, ଗଜପତି, ଗଞ୍ଜାମ ଏବଂ ଯାଜପୁର ଜିଲ୍ଲାରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହେବ । ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡ଼ା, କେନ୍ଦୁଝର ଏବଂ ଖୋର୍ଦ୍ଧା ଜିଲ୍ଲା ଥିବାବେଳେ ତୃତୀୟ ପର୍ଯ୍ୟାୟରେ କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର ଓ ନୟାଗଡ ଜିଲ୍ଲା ରହିଛି । ଶେଷ ପର୍ଯ୍ୟାୟରେ ନୂଆପଡ଼ା, ପୁରୀ, ରାୟଗଡ଼ା, ସମ୍ବଲପୁର, ସୋନପୁର ଏବଂ ସୁନ୍ଦରଗଡ଼ ଜିଲ୍ଲା ରହିଛି । ତେବେ ପ୍ରତ୍ୟେକ ଜିଲ୍ଲାରେ କ୍ଲଷ୍ଟରୱାରୀ ପ୍ରଶିକ୍ଷଶ ପ୍ରଦାନ କରାଯିବ । ଏହି ପ୍ରଶିକ୍ଷଣରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ଶିକ୍ଷକଙ୍କ ମଧ୍ୟରୁ ୭ହଜାର ୪୦୦ଜଣଙ୍କୁ ମଧ୍ୟ ସାମିଲ କରାଯିବ । ଯେଉଁଥିରେ ୨୨୯୨ଜଣ ପ୍ରଧାନଶିକ୍ଷକଙ୍କୁ ଲିଡରଶିପ୍ ଟ୍ରେନିଂ ଦିଆଯିବ । ସେହିପରି ପ୍ରଥମ ପର୍ଯ୍ୟାୟରେ ୯ହଜାର ୨୦୦ସ୍କୁଲକୁ ମନୋନୀତ କରାଯାଇଥିବା ବେଳେ ପରେ ପର୍ଯ୍ୟାୟ କ୍ରମେ ବିଭିନ୍ନ ସ୍କୁଲକୁ ସାମିଲ କରାଯିବ । ଏହି ସ୍କୁଲ ମ୍ୟାନେଜମେଣ୍ଟ କମିଟି ପ୍ରଶିକ୍ଷଣ ଲାଗି ପ୍ରତି ସ୍କୁଲ ପିଛା ୩୫୦୦ଟଙ୍କା ବ୍ୟୟ କରାଯିବ । ଏହି ପ୍ରଶିକ୍ଷଣ ୭ଦିନ ଧରି ହେବ । ପ୍ରଶିକ୍ଷଣ ସମୟରେ ପ୍ରତ୍ୟେକ ସଦସ୍ୟଙ୍କର ମତାମତ ଏବଂ ସମ୍ପୃକ୍ତ ସ୍କୁଲର ବିକାଶ ଲାଗି କେଉଁ ପ୍ରକାର ବ୍ୟବସ୍ଥାର ଆବଶ୍ୟକତା ରହିଛି ସେ ସମ୍ପର୍କରେ ମଧ୍ୟ ବ୍ୟକ୍ତିଗତ ତଥ୍ୟ ସଂଗ୍ରହ କରାଯିବ । ଅନେକ ସମୟରେ ସଦସ୍ୟଙ୍କ ମଧ୍ୟରେ କିଛି ଫାଟ ଥିବାରୁ ସେହି ସମସ୍ୟାର ସମାଧାନର ଦାୟିତ୍ୱ ସ୍କୁଲ ପ୍ରଧାନଶିକ୍ଷକଙ୍କୁ ଦିଆଯିବ । ତେବେ ପ୍ରଶିକ୍ଷଣ ପୂର୍ବରୁ ଜିଲ୍ଲାୱାରୀ ଡିଇଓଙ୍କୁ ସେମାନଙ୍କ ଅଧୀନରେ ଥିବା ସ୍କୁଲର ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ପ୍ରଶିକ୍ଷଣ କେବଳ ସରକାରୀ ସ୍କୁଲ ପାଇଁ କରାଯାଇଛି । ଏନେଇ ଆସନ୍ତା ଜାନୁଆରୀ ଶେଷ ସୁଦ୍ଧା ବିଭାଗର ଏକ କମିଟି ବ୍ଲୁ-ପ୍ରିଣ୍ଟ୍ ପ୍ରସ୍ତୁତ କରିବା ସହ ୩୧୬ ବିଇଓଙ୍କ ମତାମତ ଗ୍ରହଣ କରିଯିବ । ଡିଇଓଙ୍କ ସହ ଆଲୋଚନା କରାଯିବା ପରେ ଜିଲ୍ଲାପାଳଙ୍କ ସହ ବିଭାଗର ଅଧିକାରୀମାନେ ଆଲୋଚନା କରିବେ । ରାଜ୍ୟରେ କରୋନା ସ୍ଥିତିକୁ ଗୁରୁତ୍ୱ ଦେଇ କାର୍ଯକ୍ରମ ପରିଚାଳନା ଲାଗି ବନ୍ଦୋବସ୍ତ କରାଯିବ । ଯଦି ସମସ୍ୟାରେ ସୁଧାର ଆସିଥିବ ପରିସ୍ଥିତି ସୁଧୁରି ଥିବ ତେବେ ଏହି କାର୍ଯ୍ୟକ୍ରମ ସରଳ ଭାବେ କାର୍ଯ୍ୟକାରୀ କରାଯିବ ।