ଜୟଦେବ ବିହାର ଓଭର ବ୍ରିଜ ରେ ମର୍ମନ୍ତୁଦ ଦୁର୍ଘଟଣା : ବାଇକ ସହ ଜଳିଗଲେ ଯୁବକ

ଭୁବନେଶ୍ୱର : ରବିବାର ବିଳମ୍ବିତ ରାତିରେ ଜୟଦେବ ଓଭରବ୍ରିଜରେ ମର୍ମନ୍ତୁଦ ଦୁର୍ଘଟଣା। ବାଇକ ସହ ଜଳିଗଲେ ଯୁବକ। ଘଟଣାସ୍ଥଳରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ କିପରି ବାଇକରେ ନିଆଁ ଲାଗିଲା ତାହା ଜଣାପଡିନାହିଁ। ସହିଦ ନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ପ୍ରତ୍ୟେକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ ଓଭରବ୍ରିଜ ଉପରେ ଯୁବକ ଜଣକ ବାଇକ୍‌ରେ ପଡିଥିବାବେଳେ ବାଇକ୍‌ଟି ହୁତୁହୁତୁ ହୋଇ ଜଳୁଥିଲା।
ଲୋକମାନେ ତାଙ୍କୁ ତୁରନ୍ତ ବାଇକରୁ ଘୋଷାଡି ଆଣିଥିଲେ କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା। ଯୁବକଙ୍କ ମୃତଦେହକୁ ବ୍ୟବଛେଦ ପାଇଁ କ୍ୟାପିଟାଲ୍‌ ହସ୍‌ପିଟାଲ ପଠାଯାଇଛି। ଆଖପାଖର CCTV ଫୁଟେଜ ଯାଞ୍ଚ କରୁଛି ପୋଲିସ। ଯୁବକଙ୍କ ଗାଡି ନମ୍ବରରୁ ପରିଚୟ ସଂଗ୍ରହ କରିବାକୁ ଚେଷ୍ଟା ଚାଲିଛି। କେହି ଦୁର୍ବୃତ୍ତ ଯୁବକ ଜଣଙ୍କୁ ହତ୍ୟା କରି ବାଇକ ଉପରେ ଶୁଆଇ ଦେଇଥିବା ପୋଲିସ ସନ୍ଦେହ
କରୁଛି। ତେବେ ଗାଡ଼ିଟି କଟକ ଆରଟିଓ ରେଜିଷ୍ଟ୍ରେସନ ହୋଇଥିବାରୁ ଯୁବକ ଜଣଙ୍କ କଟକର ହୋଇଥିବା ଅନୁମାନ କରାଯାଉଛି ।
ଅନ୍ୟପଟେସେହି ସ୍ଥାନରେ ରସୁଲଗଡ଼ ପଟୁ ଖଣ୍ଡଗିରି ଆସୁଥିବା ବେଳେ ଏକ ହାଇୱା ଟ୍ରକ୍ ସିରିଜ ଦୁର୍ଘଟଣା ଘଟାଇଥିଲା । ଗୋଟିଏ କାର୍ , ଗୋଟି ପିକଅପ ଭ୍ୟାନ୍ ସହ ଆଉ ଦୁଇଟି ଗାଡିକୁ ଧକ୍କା ମାରି ଡିଭାଇଡର ଅନ୍ୟପଟ ରାସ୍ତାକୁ ଚାଲି ଆସିଥିଲା । ଏହି ଦୁର୍ଘଟଣାରେ ୩ ରୁ ୪ଜଣ ଗୁରୁତର ହୋଇ କ୍ୟାପିଟଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।