କଟକ: ଆସନ୍ତା ୧୧ ନଭେମ୍ବରରେ କଟକ ସହରରେ ମା’ କାଳୀଙ୍କ ମେଢ଼ ଭସାଣି ଉତ୍ସବ ପାଇଁ କମିସନରେଟ୍ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଟ୍ରାଫିକ୍ କଟକଣା ଜାରି ହୋଇଛି। ୧୧ ତାରିଖ ସକାଳ ୭ଟାରୁ ଭସାଣି ଶେଷ ହେବା ଯାଏଁ ଏହି ନିୟମ ବଳବତ୍ତର ରହିବ। ଓଏମ୍ପି ଛକ, ମାଲଗୋଦାମ, କଲେଜ ଛକ, ମୋଚିସାହି, ରାଣୀହାଟ, ବଜ୍ରକବାଟୀ, ମଙ୍ଗଳାବାଗ, ହାୱଡ଼ା ମୋଟର ଛକ, ବକ୍ସିବଜାର ସମେତ ସହରର ୨୦ରୁ ଅଧିକ ସ୍ଥାନରେ ଯାନବାହନ ଚଳାଚଳ ନିୟନ୍ତ୍ରଣ କରାଯିବ। କେତେକ ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ରହିବା ସହ ଗାଡ଼ିଗୁଡ଼ିକୁ ବିକଳ୍ପ ରାସ୍ତାରେ ଛଡ଼ାଯିବ। ଭସାଣି ଦେଖିବାକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ସହରର ପ୍ରାୟ ୨୦ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ବେଲଭ୍ୟୁ ଛକ, ରେଭେନ୍ସା କଲେଜିଏଟ୍ ସ୍କୁଲ ପଡ଼ିଆ, ବିଡ଼ାନାସୀ ହାଇସ୍କୁଲ, ଖ୍ରୀଷ୍ଟିଆନ୍ ଗ୍ରାଉଣ୍ଡ, ବାଲିଯାତ୍ରା ପଡ଼ିଆ, ପୁରୁଣା ପୁରୀ ବସଷ୍ଟାଣ୍ଡ, ପୁରୁଣା ବାଦାମବାଡ଼ି ବସଷ୍ଟାଣ୍ଡ ଓ ଅନ୍ୟାନ୍ୟ ସ୍ଥାନରେ ଗାଡ଼ି ପାର୍କିଂ କରାଯାଇପାରିବ। କେତେକ ସ୍ଥାନରେ କେବଳ ଦୁଇଚକିଆ ଯାନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି। ତେବେ ପୁଲିସ, ଅଗ୍ନିଶମ, ଅବକାରୀ ଓ ଆମ୍ବୁଲାନ୍ସ ଭଳି ଜରୁରୀକାଳୀନ ସେବା ନିୟୋଜିତ ଯାନବାହନକୁ ଏହି କଟକଣାରୁ ବାଦ୍ ଦିଆଯାଇଛି। ନିୟମ ଉଲ୍ଲଂଘନ କଲେ ଆଇନ ଅନୁଯାୟୀ ଦଣ୍ଡବିଧାନ କରାଯିବ ବୋଲି କମିଶନରେଟ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।