ଭୁବନେଶ୍ବର: ଭିଜିଲାନ୍ସ ଜାଲରେ କଟକ ଟିପିସିଓଡ଼ିଏଲ୍ ନରସିଂହପୁର ସେକ୍ସନ୍ ଲାଇନ୍ ମ୍ୟାନ୍ ଧର୍ମନିରଞ୍ଜନ ଚୌଧୁରୀ । ୧୫ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ମାଡ଼ିବସିଲା ଭିଜିଲାନ୍ସ । କଟକ ଜିଲ୍ଲାରେ ଏକ ଭଙ୍ଗା ବିଦ୍ୟୁତ୍ ଖୁଣ୍ଟ ବଦଳାଇବା ପାଇଁ ଜଣେ ଚାଷୀଙ୍କଠାରୁ ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧର୍ମନିରଞ୍ଜନଙ୍କୁ ମାଡିବସିଲା ଭିଜିଲାନ୍ସ ଟିମ୍। ଭିଜିଲାନ୍ସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଅଭିଯୋଗକାରୀ ଚାଷୀଙ୍କ ଚାଷଜମି ଦେଇ ଏକ ୧୧ କେଭି ବିଦ୍ୟୁତ୍ ଲାଇନ୍ ଯାଇଥିଲା। ସେଠାରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟ ନଷ୍ଟ ହୋଇଯାଇଥିଲା ଏବଂ ବିପଜ୍ଜନକ ଅବସ୍ଥାରେ ଥିଲା। କୌଣସି ଦୁର୍ଘଟଣାର ଆଶଙ୍କା କରି ଉକ୍ତ ଖୁଣ୍ଟ ବଦଳାଇବା ପାଇଁ ଚାଷୀ ଜଣକ ସ୍ଥାନୀୟ ବିଦ୍ୟୁତ୍ କାର୍ଯ୍ୟାଳୟ ସହ ଯୋଗାଯୋଗ କରିଥିଲେ। ଏହି କାମ ଦାୟିତ୍ୱ ନେଇଥିବା ଲାଇନମ୍ୟାନ ଧର୍ମ ନିରଞ୍ଜନ ଚୌଧୁରୀ ଭଙ୍ଗା ଖୁଣ୍ଟ ବଦଳାଇବା ପାଇଁ ଚାଷୀଙ୍କୁ ୨୫,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଗତ ଜୁନ୍ ୨ ତାରିଖରେ ଖୁଣ୍ଟ ବଦଳାଯିବା ପରେ ଅଭିଯୁକ୍ତ ଜଣକ ୟୁପିଆଇ (UPI) ମାଧ୍ୟମରେ ୮,୦୦୦ ଟଙ୍କା ଗ୍ରହଣ କରିଥିଲେ। ତେବେ ବଳକା ଟଙ୍କା ନଦେଲେ ସେ ଜମିରୁ ପୁରୁଣା ଭଙ୍ଗା ଖୁଣ୍ଟଟିକୁ ହଟାଇବେ ନାହିଁ ବୋଲି ଜିଦ୍ ଧରିଥିଲେ। ଚାଷୀ ଜଣକ ବାକି ୧୭,୦୦୦ ଟଙ୍କା ଦେବାକୁ ଅସମର୍ଥତା ପ୍ରକାଶ କରିବା ପରେ, ଶେଷରେ ୧୫,୦୦୦ ଟଙ୍କାରେ କଥା ଛିଣ୍ଡିଥିଲା। ବାରମ୍ବାର ଟଙ୍କା ମାଗିବାରୁ ଅତିଷ୍ଠ ହୋଇ ଚାଷୀ ଜଣକ ଏନେଇ ଓଡ଼ିଶା ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ଭିଜିଲାନ୍ସ ଟିମ୍ ଏକ ଜାଲ ବିଛାଇଥିଲେ। ଯୋଜନା ମୁତାବକ, ଅଭିଯୋଗକାରୀଙ୍କଠାରୁ ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧର୍ମ ନିରଞ୍ଜନ ଚୌଧୁରୀଙ୍କୁ ଭିଜିଲାନ୍ସ ଅଧିକାରୀମାନେ ରଙ୍ଗେ ହାତ୍ ଧରିଥିଲେ। ଅଭିଯୁକ୍ତଙ୍କ ନିକଟରୁ ସମସ୍ତ ଟଙ୍କା ଜବତ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ସହିତ ଜଡ଼ିତ ଗୋଟିଏ ସ୍ଥାନରେ ମଧ୍ୟ ଚଢ଼ାଉ ଜାରି ରହିଛି ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି।