ଭୁବନେଶ୍ୱର : ଚିଲିକା, ଦେଓମାଳି, ଧଉଳି, ଖଣ୍ଡଗିରି-ଉଦୟଗିରି, ଖିଚିିଂ, ସାତକୋଶିଆ ଓ ଶିମିଳିପାଳ ଭଳି ବିଶ୍ୱପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀଗୁଡ଼ିକୁ ଚିହ୍ନଟ କରି ‘ଏକୀକୃତ ମାଷ୍ଟରପ୍ଲାନ୍’ ଅନୁସାରେ ବିକାଶ କରାଯାଉଛି। ସେହିପରି ଆଠଟି କ୍ଷେତ୍ରରେ ବହୁଳ ପ୍ରଚାର ପ୍ରସାର ଉପରେ ଗୁରୁତ୍ୱ ଦିଆଯାଇଛି। ସେଇ କ୍ଷେତ୍ରଗୁଡ଼ିକ ହେଉଛି ସ୍କାରକୀ, ଧାର୍ମିକସ୍ଥଳୀ, ଶ୍ରୀକ୍ଷେତ୍ର ଧାମ, ବେଳାଭୂମି, ନଦନଦୀ, ପର୍ବତଶିଖର, ହସ୍ତଶିଳ୍ପ ଓ ମେଳା ମହୋତ୍ସବ। ୨୦୨୫-୨୬ ଆର୍ଥିକବର୍ଷ ପାଇଁ ୧୭୬.୫୦ କୋଟି ଟଙ୍କା ବଜେଟ୍ରେ ବ୍ୟୟବରାଦ ହୋଇଛି। ଏହି ସୂଚନା ଦେଇଛନ୍ତି ପର୍ଯ୍ୟଟନ ବିଭାଗ ଦାୟିତ୍ୱରେ ଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଶୁକ୍ରବାର ବିଧାନସଭାରେ ଅନୁମୋଦନ ପାଇଁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ପର୍ଯ୍ୟଟନ ବିଭାଗର ୨୦୨୫-୨୬ ଆର୍ôଥକ ବର୍ଷ ପାଇଁ ସର୍ବମୋଟ୍ ୮୨୦ କୋଟି ଟଙ୍କାର ଖର୍ଚ୍ଚ ଦାବି ଆଗତ କରିଛନ୍ତି। ଏଥିରେ ପ୍ରଶାସନିକ ବ୍ୟୟ ବାବଦରେ ୨୦କୋଟି ଟଙ୍କା ରହିଥିବାବେଳେ ଯୋଜନା ଅର୍ଥ ବାଦଦକୁ ୮୦୦ କୋଟି ଟଙ୍କା ବ୍ୟୟବରାଦ ଅନ୍ତର୍ଭୁକ୍ତ। ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି, ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧିରେ ପର୍ଯ୍ୟଟନ ବିଭାଗ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ରାଜ୍ୟର ସମୃଦ୍ଧ ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ପର୍ଯ୍ୟଟନ ବିଭାଗ ସଦା ସର୍ବଦା ପ୍ରଚେଷ୍ଟାରତ। ସେଥିପାଇଁ ଐତିହ୍ୟ, ସଂସ୍କୃତି, ପରମ୍ପରା, ଐତିହ୍ୟସ୍ଥଳୀଗୁଡ଼ିକର ସଂରକ୍ଷଣ ଉପରେ ସରକାର ସ୍ୱତନ୍ତ୍ର ଗୁରୁତ୍ୱ ଦେଇଛନ୍ତି। ଭିତ୍ତିଭୂମି ବିକାଶ ଉପରେ ବି ଫୋକସ୍ ରହିଛି। ଏଥିପାଇଁ ବଜେଟ୍ରେ ୩୫୫କୋଟି ବ୍ୟୟବରାଦ ହୋଇଛି। ଓଡ଼ିଶା ପର୍ଯ୍ୟଟନ ନୀତି-୨୦୨୨ ଆଧାରରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ କରାଯାଉଛି ବୋଲି ଶ୍ରୀମତୀ ପରିଡ଼ା ପ୍ରକାଶ କରିଛନ୍ତି। ଶେଷରେ ବାଚସ୍ପତି ସୁରମା ପାଢ଼ୀ ବାଚନିକ ଭୋଟ୍ରେ ପର୍ଯ୍ୟଟନ ବିଭାଗର ଖର୍ଚ୍ଚଦାବି ପାରିତ କରିଛନ୍ତି।
ପର୍ଯ୍ୟଟନ ବିଭାଗର ଖର୍ଚ୍ଚ ଦାବି ୮୨୦ କୋଟି ପାରିତ, ସାତଟି ପର୍ଯ୍ୟଟନ କ୍ଷେତ୍ରରେ ହେଉଛି ବିକାଶ
