ରିଭଲକୋଣା ହଷ୍ଟେଲରେ ଜୁନିୟରଙ୍କ ଉପରେ ନିର୍ଯାତନା, ପ୍ରଶାସନର କଡ଼ା ଆକ୍ସନ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ରିଭଲକୋଣା ଜୁନିୟର ଛାତ୍ରଙ୍କୁ ହଷ୍ଟେଲ ପରିସରରେ ନିର୍ଯାତନା ଦେବା ଘଟଣାରେ ପ୍ରଶାସନର କଡା ଆକ୍ସନ | ରାତି ଅଧରେ ୨୭ ଜଣ ପିଲାଙ୍କୁ ମାଡ ମାରିଥିବା ମୋଟ ୭ ଜଣ ଛାତ୍ରଙ୍କୁ ଟିସି ଦେଇ ସ୍କୁଲରୁ ବିଦା କରାଯାଇଛି । ସେହିପରି ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରତାପ ଚନ୍ଦ୍ର ସାଉଁତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ରାୟଗଡା ଜିଲ୍ଲାପାଳ । କେଉଁ ପରିସ୍ଥିତିରେ ପିଲା ମାନଙ୍କୁ ନିର୍ଯାତନା ଦିଆଗଲା ଏବଂ ହଷ୍ଟେଲ ପରିଚାଳନାଗତ ତ୍ରୁଟି କେଉଁଠି ରହିଲା ସେ ସଂକ୍ରାନ୍ତରେ ରିପୋର୍ଟ ମାଗିଛନ୍ତି । ତଦନ୍ତ ବେଳେ ଜଣାପଡିଛି ଯେ, ରିଭଲକୋଣା ବିଦ୍ୟାଳୟରେ ଗତ ୧୦ ବର୍ଷ ହେବ ଜୁନିୟର୍ ପିଲାମାନଙ୍କୁ ଏପରି ରାଗିଂ କାରାଯାଉଛି । ସିନିୟର ପିଲାମାନେ ଜୁନିୟର ପିଲାମାନଙ୍କୁ କଥା କଥାରେ ମାଡ଼ ମାରିବା ସହ ନିଜର ଲୁଗାପଟା ସଫା କରିବା ପାଇଁ ମଧ୍ୟ ବାଧ୍ୟ କରାନ୍ତି ବୋଲି ଖୁଲାସା କରିଛନ୍ତି ଜିଲ୍ଲା ସ୍ବତନ୍ତ୍ର ଉନ୍ନୟନ ପରିଷଦର ଉପାଧ୍ୟକ୍ଷା ମଞ୍ଜୁଳା ମିଣିଆକା । ହଷ୍ଟେଲ ଭିତରେ ଫୋନ ବ୍ୟବହାରକୁ ନେଇ ବାରଣ ନଥିବା ବେଳେ ପିଲାମାନେ ଦୈନନ୍ଦିନ ମାଦକ ଦ୍ରବ୍ୟ ମଧ୍ୟ ସେବନ କରନ୍ତି ବୋଲି ଉପାଧ୍ୟକ୍ଷା ମିଣିଆକା ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଥିବା ବେଳେ, ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମଧ୍ୟ ଏ ବାବଦରେ ରିପୋର୍ଟ ମାଗିଛନ୍ତି ବୋଲି ସେ କହିଛନ୍ତି ।