ଆସନ୍ତା କାଲି ମହାପ୍ରଭୁଙ୍କ ନବଯୌବନ ଦର୍ଶନ

ଏହି ସମୟରେ ଦର୍ଶନ କରିବେ ଶ୍ରଦ୍ଧାଳୁ

ଦୀର୍ଘ  ୧୫ ଦିନ ହେବ ଶ୍ରୀମନ୍ଦିରରେ ନ ଥିଲା ଭକ୍ତଙ୍କ ଗହଳି । ମହାପ୍ରଭୁ ଜ୍ୱରରେ ପଡ଼ିଥିଲେ। ଚାଲିଥିଲା ଅଣସର ନୀତି । ଏହି ସମୟରେ ଶ୍ରଦ୍ଧାଳୁମାନେ ବ୍ରହ୍ମଗିରି ଅଲରାନାଥଙ୍କ ଦର୍ଶନ କରିବାକୁ ଭିଡ଼ ଜମାଉଥିଲେ। ମହାପ୍ରଭୁ ସୁସ୍ଥ ହୋଇ ସାରିଲେଣି । ଆଉ ମାତ୍ର କେଇ ଘଣ୍ଟା ପରେ ନବଯୌବନ ବେଶରେ ଦର୍ଶନ ଦେବାକୁ ଯାଉଥିବାରୁ ଭକ୍ତଙ୍କ ମନ ଅଧୀର ହୋଇ ପଡ଼ିଲାଣି। ରାତି ପାହିଲେ ମିଳିବ ମହାପ୍ରଭୁଙ୍କ ଦର୍ଶନ ।

ଆସନ୍ତାକାଲି ମହାପ୍ରଭୁଙ୍କ ନବଯୌବନ ଦର୍ଶନ। ନବଯୌବନ ଦର୍ଶନ ନେଇ ଶ୍ରୀମନ୍ଦିର ପ୍ରଶାସନ ସମୟ ନିଘଣ୍ଟ ଜାରି କରିଛି। ସକାଳ ୮ଟାରେ ତାଟି ଫିଟିବା ପରେ ପ୍ରଥମ ୧ ଘଣ୍ଟା ପରିମାଣିକ ଦର୍ଶନ ହେବ। ପରେ ସକାଳ ୯ଟାରୁ ୧୦ଟା ୩୦ ଯାଏଁ ସର୍ବସାଧାରଣ ଦର୍ଶନ ହେବ। ଏହାପରେ ଦିନ ୨ଟାରୁ ୩ଟା,ସନ୍ଧ୍ୟା ୬ଟାରୁ ୬ଟା ୩୦ ଯାଏଁ ସର୍ବସାଧାରଣ ଦର୍ଶନ କରିବେ।
ରାତି ୯ଟାରୁ ୧୦ ଟା ୩୦ ଓ ରାତି ସାଢେ ୧୧ଟାରୁ ସାଢେ ୧୨ ଦର୍ଶନ ହେବ। ବିଶେଷ ନୀତି ପାଇଁ ସକାଳ ସାଢେ ୧୦ ଟାରୁ ଦିନ ୨ଟା ଦର୍ଶନ ବନ୍ଦ ଓ ୩ଟାରୁ ୬ଟା ଦର୍ଶନ ବନ୍ଦ ରହିବ। ସେହିପରି ସାଢେ ୬ଟାରୁ ରାତି ୯ଟା ଓ ରାତି ସାଢେ ୧୦ ରୁ ସାଢେ ୧୧ଟା ମଧ୍ୟ ଦର୍ଶନ ବନ୍ଦ ରହିବ।

ଦୁଇବର୍ଷର ବ୍ୟବଧାନ ପରେ ଏଥର ଭକ୍ତ ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କ ଦର୍ଶନ ପାଇପାରିବେ । ଏହା ପୂର୍ବରୁ ଶ୍ରୀଜୀଉଙ୍କ ବନକ ଲାଗି ନୀତି ଚାଲିଛି । ଏଥିସହ ଚନ୍ଦନ ଲାଗି ମଧ୍ୟ ଚାଲିଛି । ଦତ୍ତମହାପାତ୍ର ସେବକମାନେ ବନକ ଲାଗି କରିବେ । ଶ୍ରୀଜୀଉଙ୍କ ଶ୍ରୀମୁଖ ଶୃଙ୍ଗାର ପାଇଁ ହିଙ୍ଗୁଳ,ହରିତାଳ, କେଶର,କସ୍ତୁରୀ  କଳା ଓ ଧଳା ପ୍ରାକୃତିକ ରଙ୍ଗ  ଲେପନ କରିବେ ।

ଆଜି ବିଳମ୍ବିତ ରାତ୍ରିରେ ମଧ୍ୟ ବନକ ଲାଗି ନୀତି କରାଯିବ । ସେପରି ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ  ତିନିରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରଥ ମାନଙ୍କରୁ ମେଣ୍ଡି କଢ଼ାଯିବା ପରେ ତିନି ପାର୍ଶ୍ୱରେ ୨୭ ଗୋଟି ଶିଖର ଡମ୍ବରୁ ଲଗାଯିବା ପରେ ସେଥିରେ ପାର୍ଶ୍ୱ ଦେବାଦେବୀଙ୍କୁ ସ୍ଥାପନ କରାଯାଇଛି ।

ଆଜି ପୁରୀ ରିଜର୍ଭ ପୁଲିସ୍‌ ଲାଇନରେ ରଥଯାତ୍ରା ପାଇଁ ମକ୍ ଡ୍ରିଲ୍ କରାଯାଇଛି । ରଥ ଯାତ୍ରା ବେଳେ କେହି ଗୁରୁତର ହୋଇପଡ଼ିଲେ, ତାଙ୍କୁ କିପରି ଗ୍ରୀନ୍‌ କରିଡର କରାଯାଇ ପୁରୀ ବଡ଼ ମେଡିକାଲ ପର୍ଯ୍ୟନ୍ତ ନିଆଯିବ , ସେଚ୍ଛାସେବୀମାନେ ତାହାର ରିହର୍ସଅଲ କରିଛନ୍ତି।