ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରିମଣ୍ଡଳର ସମସ୍ତ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେବା ପରେ ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ଆସନ୍ତାକାଲି ଦିନ ୧୧ଟା ୪୫ରେ ନୂଆ ମନ୍ତ୍ରୀ ମାନଙ୍କର ଶପଥ ଗ୍ରହଣ କାର୍ଯ୍ୟକ୍ରମ ରହିଛି । ନୂଆ ମନ୍ତ୍ରୀ ମାନଙ୍କ ମଧ୍ୟରୁ ୧୩ ଜଣଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିବା ନେଇ ସମ୍ଭାବନା ରହିଥିବା ବେଳେ ୮ ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିବା ନେଇ ଚର୍ଚ୍ଚା ହେଉଛି । ସମ୍ଭାବ୍ୟ କ୍ୟାବିନେଟ୍ ମନ୍ତ୍ରୀଙ୍କ ତାଲିକାରେ ଝାରସୁଗୁଡା ବିଧାୟକ ନବ ଦାସ, ଆଠଗଡ ବିଧାୟକ ରାଜା ସ୍ୱାଇଁ, କାମାକ୍ଷାନଗର ବିଧାୟକ ପ୍ରଫୁଲ୍ଲ ମଲ୍ଲିକଙ୍କ ନାଁ ରହିଛି । ସେହିପରି ପ୍ରମିଳା ମଲ୍ଲିକ, ଉଷା ଦେବୀ, ଟୁକୁନି ସାହୁ, ଜଗନ୍ନାଥ ସାରକା, ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ, ପ୍ରଦୀପ ଅମାତ, ଅଶୋକ ପଣ୍ଡା, ରାଜେନ୍ଦ୍ର ଢୋଲକିଆ, ନିରଞ୍ଜନ ପୂଜାରୀଙ୍କ ନାଁ ସମ୍ଭାବ୍ୟ ତାଲିକାରେ ରହିଛି । ପ୍ରଥମଥର ପାଇଁ ୭ଜଣ ସମ୍ପୂର୍ଣ୍ଣ ନୂଆ ମୁହଁ ବୋଲି ଜଣାପଡ଼ିଛି । ସେପଟେ ୮ ଜଣ ବିଧାୟକଙ୍କ ନାମ ମଧ୍ୟ ସମ୍ଭାବ୍ୟ ରାଷ୍ଟ୍ରମନ୍ତ୍ରୀଙ୍କ ତାଲିକାରେ ରହିଛି । ସେମାନେ ହେଲେ ସମୀର ରଞ୍ଜନ ଦାସ, ଅଶ୍ୱିନୀ କୁମାର ପାତ୍ର, ପ୍ରୀତିରଞ୍ଜନ ଘଢେଇ, ଶ୍ରୀକାନ୍ତ ସାହୁ, ତୁଷାରକାନ୍ତି ବେହେରା, ରୋହିତ ପୂଜାରୀ, ରିତା ସାହୁ, ବାସନ୍ତୀ ହେମ୍ବ୍ରମଙ୍କ ନାଁ ତାଲିକାରେ ରହିଛି । ତେବେ ଏମାନଙ୍କ ଗୁରୁତ୍ୱପୂର୍ଣ୍ଣ ବିଭାଗ ମିଳିପାରେ । ଆସନ୍ତାକାଲି ସମ୍ଭାବ୍ୟ ତାଲିକାରେ ଥିବା ବିଧାୟକମାନେ ଶପଥ ନେଇପାରନ୍ତି ।ତେବେ ମନ୍ତ୍ରିମଣ୍ଡଳରେ ବିବାଦୀୟ ଚେହେରା ଥିବା ଦିବ୍ୟଶଙ୍କର ମିଶ୍ର, ପ୍ରତାପ ଜେନା, ଅରୁଣ ସାହୁଙ୍କ ସମେତ ମୋଟ ୧୨ଜଣ ମନ୍ତ୍ରୀଙ୍କୁ ବିଦା କରାଯାଇଛି।