ଆଜି ଅଁଳାନବମୀ, ସାକ୍ଷୀଗୋପାଳ ଚଳଚଞ୍ଚଳ

ସାକ୍ଷୀଗୋପାଳ :କାର୍ତ୍ତିକ ମାସ ଶୁକ୍ଳପକ୍ଷ ନବମୀ ତିଥି ମଙ୍ଗଳବାର ସାକ୍ଷୀଗୋପାଳ ମନ୍ଦିରରେ ପାଳନ ହେବ ଅଁଳାନବମୀ। ଏହି ଅବସରରେ ବର୍ଷକୁ ଗୋଟିଏ ଦିନ ଶ୍ରୀରାଧା ଓଡ଼ିଆଣୀ ବେଶରେ ସଜେଇ ହେବେ। ପାରମ୍ପରିକ ସୁବର୍ଣ୍ଣ ଗହଣାଗୁଡିକ ମଧ୍ୟରେ ପାଦପଦ୍ମ, ପାଉଁଜି, ଝୁଣ୍ଟିଆ, ପାହୁଡ଼, ବାଙ୍କି, ଚନ୍ଦ୍ରହାର ଶିକୁଳି, ବେଙ୍ଗପାଟିଆ, ତାବିଜ, ଅଁଳାମାଳ, ପୋହଳାମାଳ, ଚାପସରୀ, ପଣସକଣ୍ଟା ଖଡୁ, ବାହୁଟି, ବଟଫଳ ମାଳ, ଦ୍ରାବିଡ଼ଚନ୍ଦ୍ର, ମୟୂରସା ଗୁଣା, ନୁଥ, ସେତିହାର, କିରୀଟ ଆଦି ଗହଣା ଲାଗି କରାଯିବ। ଫୁଲହାର, ଅଁଳାଫଳ ମାଳ, ଦୂବ ସହିତ କଜଳ, ସିନ୍ଦୂର, ଅଳତା ଓ ଚନ୍ଦନପାଟି କରାଯିବ। ଏଥିସହିତ ସାକ୍ଷୀଗୋପାଳ ଠାକୁର ନଟବର ବେଶରେ ଶୋଭାପାଇବେ। ସୋମବାର ରାତି ୯ଟାରେ ଠାକୁରଙ୍କ ପହୁଡ଼ ନୀତି କରାଯାଇ ୧୨ଟାରେ ଦେବନୀତି ଆରମ୍ଭ ହୋଇଥିଲା। ମଙ୍ଗଳବାର ଭୋର୍‌ ୬ଟାରୁ ସାହଣମେଲା ଦର୍ଶନ ରଖାଯାଇଥିବା ବେଳେ ୨ ଘଣ୍ଟା ପୂର୍ବରୁ ରାଧାପାଦ ଦର୍ଶନ ଆରମ୍ଭ କରାଯିବ ବୋଲି ସେବାୟତ ସଂଘ ସମ୍ପାଦକ ବିଜୟ କୁମାର ନନ୍ଦ କହିଛନ୍ତି।

ଅଁଳାନବମୀ ପାଇଁ ମନ୍ଦିରକୁ ନୂତନ ରଙ୍ଗ, ଫୁଲମାଳ, ସୁନ୍ଦର ଆଲୋକରେ ସଜ୍ଜିତ କରାଯାଇଛି। ଶୃଙ୍ଖଳିତ ଦର୍ଶନ ନିମନ୍ତେ ମନ୍ଦିର ସମ୍ମୁଖରେ ଛାୟାପ୍ରଦ ବାରିକେଡ୍‌, ଯାନବାହନ ନିୟନ୍ତ୍ରଣଠାରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ପୁରୀ ଏସ୍‌ପି ଡ. କେ.ବିଶାଲ ସିଂହ ଅନ୍ୟ ପୋଲିସ ଅଧିକାରୀମାନଙ୍କ ସହ ସୁରକ୍ଷା ବ୍ୟବସ୍ଥା ଡେମୋ କରିଥିଲେ। ଅଁଳା ନବମୀ ପାଇଁ ସତ୍ୟବାଦୀ ତହସିଲଦାର ଜୟନ୍ତ ଜୟସିଂ, ମନ୍ଦିର କାର୍ଯ୍ୟନିର୍ବାହୀ ବିଶ୍ୱବାସୀ ତ୍ରିପାଠୀ, ସେବାୟତ ସଂଘ କର୍ମକର୍ତ୍ତା, ଥାନା ଆଇଆଇସିଙ୍କ ପ୍ରତିଟି ବିଭାଗରେ ତତ୍ପରତା ପ୍ରକାଶ ପାଇଛି। ସଂସ୍କୃତି ବିଭାଗ ପକ୍ଷରୁ ତିନିଦିନବ୍ୟାପୀ ଶ୍ରୀରାଧା ଉତ୍ସବ ମେଳା ପଡିଆରେ ଷ୍ଟଲ ଖୋଲାଯାଇଛି। ଭିଡ଼ ନିୟନ୍ତ୍ରଣ ପାଇଁ ୨ ଜଣ ଅତିରିକ୍ତ ଏସ୍‌ପି, ୯ ଜଣ ଡିଏସ୍‌ପି, ୧୭ଜଣ ଇନ୍ସପେକ୍ଟର, ୬୯ ଜଣ ଏସ୍‌ଆଇ, ଏଏସ୍‌ଆଇ, ୨୨ ହାବିଲଦାର, ୫୪ କନଷ୍ଟେବଲ, ୮ ଟ୍ରାଫିକ କନଷ୍ଟେବଲ, ୧୯ ପ୍ଲାଟୁନ ଫୋର୍ସ ଓ ୨୦୨ ଗୃହରକ୍ଷୀଙ୍କୁ ମୁତୟନ କରାଯାଇଛି। ମନ୍ଦିର ସିଂହଦ୍ୱାରରେ ମେଟାଲ ଡିକ୍ଟେଟର, ବିଭିନ୍ନ ସ୍ଥାନରେ ସିସିଟିଭି, ସନ୍ଧାନୀ କୁକୁର, ସାଦା ପୋଷାକରେ ଗୋଇନ୍ଦା ପୋଲିସ, ବୋମା ନିଷ୍କ୍ରିୟକାରୀ, ଅଗ୍ନିଶମ, ଆମ୍ବୁଲାନ୍ସ, ଆଶୁ ଚିକିତ୍ସା, ପର୍ଯ୍ୟାପ୍ତ ପାନୀୟ ଜଳ ଯୋଗାଣ ଆଦିର ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି।

NATIONALODISHA