ଆଜି ଭାରତ ର ମହାନ ରାଷ୍ଟ୍ରପତି ଡ଼.ଅବଦୁଲ କଲାମ ‘ମିସାଇଲ ମ୍ୟାନ୍’ଙ୍କ ଜନ୍ମ ବାର୍ଷିକୀ

ଆଜି ଭାରତର ଏକାଦଶ ରାଷ୍ଟ୍ରପତି ଡଃ ଏପିଜେ ଅବଦୁଲ କଲାମଙ୍କ ଜନ୍ମ ବାର୍ଷିକୀ I ନିଜ କର୍ତ୍ତବ୍ୟନିଷ୍ଠା , ଓ କଠିନ ପରିଶ୍ରମରେ ରଚିଯାଇଛନ୍ତି ଇତିହାସର ସ୍ୱର୍ଣ୍ଣିମ ପୃଷ୍ଠା । ଅକ୍ଟୋବର ୧୫ ରେ ସମଗ୍ର ଦେଶ ତାଙ୍କ ଜନ୍ମଦିନକୁ ସ୍ମରଣ କରୁଛି । ଡକ୍ଟର କଲାମ ଜଣେ ପ୍ରେରଣାଦାୟକ ବ୍ୟକ୍ତିତ୍ୱ ଥିଲେ, କିନ୍ତୁ ତାଙ୍କର ପୁରା ଜୀବନ ଲୋକଙ୍କ ପାଇଁ ଏକ ବଡ଼ ପ୍ରେରଣା । ତାମିଲନାଡୁ ରାମେଶ୍ୱରମରେ ୧୯୩୧ ମସିହା ଅକ୍ଟୋବର ୧୫ ତାରିଖରେ ଏକ ଗରିବ ମୁସଲିମ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ପରିବାରର ୫ ସନ୍ତାନଙ୍କ ମଧ୍ୟରେ କଲାମ ଥିଲେ ସବୁଠୁ ସାନ । ବାପା ଡଙ୍ଗା ଚଳାଇ ପରିବାର ପୋଷୁଥିଲେ । ତେଣୁ ପରିବାର ପାଇଁ ଖୁବ କମ ବୟସରୁ କଲାମ ମଧ୍ୟ ଡଙ୍ଗା ଚଳାଇବା ସହ ଖବରକଗଜ ବିକ୍ରି କରିବା କାମ କରୁଥିଲେ । ଡକ୍ଟର କଲାମଙ୍କ ସ୍ୱପ୍ନ ଥିଲା ପାଇଲଟ୍ ହେବାର ହେଲେ ଏସବୁ ପ୍ରତିବନ୍ଧକ ତାଙ୍କ ସ୍ୱପ୍ନକୁ ସାକାର କରିବାରେ ପଥରୋଧ କରିପାରିନଥିଲା । କଲାମ ସବୁବେଳେ କହୁଥିଲେ: ସ୍ୱପ୍ନ ଏପରି ଦେଖନି ଯାହା ଶୋଇ କରି ଦେଖାଯାଏ ବରଂ ଏପରି ସ୍ୱପ୍ନ ଦେଖ ଯାହାପାଇଁ ନିଦ ହଜିଯିବ । ସ୍ୱପ୍ନ କେତେ ଯେ ଶକ୍ତିଶାଳୀ ତାହା କଲାମଙ୍କ ଜୀବନୀରୁ ସ୍ପଷ୍ଟ ହୁଏ ।ରାମେଶ୍ୱରମରେ ସ୍କୁଲ ପଢା ଶେଷ ହେବା ପରେ ତିରୁଚିରାପଲିର ସେଣ୍ଟ ଜୋସେଫ୍ କଲେଜରେ ଉଚ୍ଚଶିକ୍ଷା ଶେଷ କରିଥିଲେ । ଏହାପରେ ମାଡ୍ରାସର ଇନଷ୍ଟିଚ୍ୟୁଟ୍ ଅଫ୍ ଏରୋନେଟିକାଲ ଇଞ୍ଜିନିୟରିଂରେ ପଢିଥିଲେ । ପରେ ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଅର୍ଗାନାଇଜେସନ୍ (ଡିଆରଡିଓ)ରେ ସିନିୟର ସାଇଣ୍ଟିଫିକ୍ ଆସିଷ୍ଟାଣ୍ଟଣ୍ଟ ଭାବେ ୧୯୫୮ରେ ଯୋଗ ଦେଇଥିଲେ । ଏହି କ୍ରମରେ ୧୯୬୯ରେ ଯୋଡି ହୋଇଥିଲେ ମହାକାଶ ବିଜ୍ଞାନ ଗବେଷଣା କେନ୍ଦ୍ର ଇସ୍ରୋ ସହ । ସେବେଠୁ ରଚି ଚାଲିଲେ ଗୋଟିଏ ପରେ ଗୋଟିଏ ମାଇଲ ଖୁଣ୍ଟ ।୧୯୯୮ ଐତିହାସିକ ପୋଖରାନ୍ ଆଣବିକ ବୋମା ପରୀକ୍ଷଣର ସେଥିଲେ ମୁଖ୍ୟ ପୁରୋଧା । ତାଙ୍କ ତତ୍ତବଧାନରେ ନିର୍ମାଣ ହେଲା ଭାରତର ପ୍ରଥମ ମହାକାଶଯାନ ଏସଏଲଭି -୩ ସ୍ପେସ୍ ଭେଇକିଲ । ଦେଶକୁ ଭେଟିଦେଲେ ଅଗ୍ନି, ତ୍ରିଶୂଳ, ପୃଥ୍ୱୀ, ବ୍ରହ୍ମୋସ୍ ପରି କ୍ଷେପଣାସ୍ତ୍ର । ସେ ହୋଇଗଲେ ଭାରତର ମିସାଇଲ ମ୍ୟାନ୍ । ଏହା ପରେ ୨୦୦୨ରୁ ୨୦୦୭ରୁ ସେ ହେଲେ ଭାରତର ୧୧ତମ ରାଷ୍ଟ୍ରପତି । ସବୁଠୁ ବଡ କଥା ହେଲେ କ୍ଷମତା ତାଙ୍କ ସରଳ ଜୀବନକୁ ପ୍ରଭାବିତ କରିପାରିନଥିଲା ।କାର୍ୟ୍ୟକାଳ ଶେଷ ପରେ ରାଷ୍ଟ୍ରପତି ଭବନ ଛାଡିବା ବେଳକୁ ତାଙ୍କ ସାଙ୍ଗରେ ବଡ ଟିଣ ବାକ୍ସଟେ ବ୍ୟତୀତ ଆଉ କିଛି ନଥିଲା । ଯାହା ସମସ୍ତଙ୍କୁ ଏକ ଶିକ୍ଷା ଦେଇଥିଲା ।
ତାଙ୍କର ଅତୁଳନୀୟ କାର୍ୟ୍ୟ ପାଇଁ ତାଙ୍କୁ ୧୯୯୭ରେ ‘ଭାରତ ରତ୍ନ’ ସମ୍ମାନରେ ସମ୍ମାନିତ କରାଗଲା । ଏହାପରେ ୧୯୮୧ ତାଙ୍କୁ ପଦ୍ମଭୂଷଣ ଓ ୧୯୯୦ରେ ପଦ୍ମବିଭୂଷଣ ସମ୍ମାନ ଓ ଅହୁରି ଅନେକ । ୨୦୧୫ ଜୁଲାଇ ୨୭ ତରିଖରେ ସିଲଂର ଆଇଆଇଏମ ଇନଷ୍ଟିଚ୍ୟୁଟ ରେ ଭାଷଣ ଦେଉଥିବାବେଳେ ହୃଦଘାତରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ କଲାମ । ଆଜି ତାଙ୍କର ପାର୍ଥିବ ଶରୀର ନାହିଁ ସତ ହେଲେ ପ୍ରତ୍ୟେକଙ୍କ ହୃଦୟରେ ସେ ସବୁବେଳେ ଜୀବନ୍ତ ।

ସେପଟେ ପୂର୍ବତନ ରାଷ୍ଟ୍ରପତି ଡଃ କଲାମଙ୍କୁ ତାଙ୍କର ୯୦ ତମ ଜନ୍ମ ବାର୍ଷିକୀରେ ସ୍ମରଣ କରି ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଛବି ସହିତ ଟୁଇଟ୍ କରି କହିଛନ୍ତି । ଯେ ଭାରତକୁ ଶକ୍ତିଶାଳୀ, ସମୃଦ୍ଧ ତଥା ଦକ୍ଷ କରିବାରେ ସେ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି । ଦେଶବାସୀଙ୍କ ପାଇଁ ସର୍ବଦା ପ୍ରେରଣା ରହିବେ ।

ସେହିପରି ରାଷ୍ଟ୍ରପତି କୋବିନ୍ଦ ଭାରତର ପୂର୍ବତନ ରାଷ୍ଟ୍ରପତି ଡଃ ଏପିଜେଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଅନ୍ୟପକ୍ଷରେ ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ଟୁଇଟ୍ କରି କହିଛନ୍ତି, ‘ଦେଶର ପୂର୍ବତନ ରାଷ୍ଟ୍ରପତି ଡ AP ଏପିଜେ ଅବଦୁଲ କଲାମଙ୍କ ଜନ୍ମ ବାର୍ଷିକୀରେ ତୁମର ଗୁଣାତ୍ମକ ସ୍ମୃତିକୁ ଅଭିନନ୍ଦନ।

Comments (0)
Add Comment