କାକଟପୁର: ଆଜି ଚୈତ୍ର ମାସର ପବିତ୍ର ଚତୁର୍ଥ ମଙ୍ଗଳବାର। ଏହି ଅବସରରେ କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ପ୍ରସିଦ୍ଧ ଚତୁର୍ଥ ପାଳି ଯାତ୍ରା ଅନୁଷ୍ଠିତ ହେଉଛି। ଆଜି ମା’ ଅତି ମନୋରମ ‘ରାଜରାଜେଶ୍ୱରୀ ବେଶ’ ରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। ମା’ଙ୍କର ଏହି ଦୁର୍ଲଭ ତଥା କମଣୀୟ ରୂପକୁ ଦର୍ଶନ କରିବା ପାଇଁ ପୀଠରେ ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହୋଇଛି। ଭୋର ୪ଟାରୁ ଦ୍ୱାରଫିଟା ନୀତି ସମ୍ପନ୍ନ ହେବା ପରେ ମା’ଙ୍କର ସମସ୍ତ ରୀତିନୀତି ଅନୁଷ୍ଠିତ ହୋଇଥିଲା। ଶ୍ରଦ୍ଧାଳୁମାନେ ବ୍ୟାରିକେଡ୍ ମଧ୍ୟରେ ଶୃଙ୍ଖଳିତ ଭାବେ ଧାଡ଼ିରେ ଯାଇ ମା’ଙ୍କ ଦର୍ଶନ କରୁଛନ୍ତି। ମନ୍ଦିର ପରିସର ହରିବୋଲ ଓ ହୁଳହୁଳି ଶବ୍ଦରେ ପ୍ରକମ୍ପିତ ହେଉଛି। ଆଜି ମା’ଙ୍କ ନିକଟରେ ପ୍ରସିଦ୍ଧ ଚୂଡ଼ାଘସା ଭୋଗ ଲାଗିବାର ପରମ୍ପରା ରହିଛି। ଏହି ବିଶେଷ ଦିନରେ ମନ୍ଦିର ବେଢ଼ା ଭିତରେ ଘଣ୍ଟପାଟୁଆ ନୃତ୍ୟ ଚାଲିଥିବା ବେଳେ ବିଳମ୍ବିତ ରାତିରେ ପାରମ୍ପରିକ କାଳିକା ନୃତ୍ୟ ପରିବେଷଣ କରାଯିବ। ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ଓ ମନ୍ଦିର ପରିଚାଳନା କମିଟି ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।