ଆଜି ରାଜାରାଣୀ ସଂଗୀତ ଉତ୍ସବର ଉଦଯାପନୀ ସଂଧ୍ୟା

ଭୁବନେଶ୍ୱର ତା-14.11:ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ଆୟୋଜିତ ରାଜାରାଣୀ ସଙ୍ଗୀତ ଉତ୍ସବ ଆଜି ଉଦଯାପିତ ହୋଇଯାଇଛି । ଆଜି ତୃତୀୟ ତଥା ଅନ୍ତିମ ସନ୍ଧ୍ୟାର କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥିମାନଙ୍କ ମଧ୍ୟରେ ରାଜ୍ୟ ସୂଚନା ,ପ୍ରଯୁକ୍ତି, କ୍ରୀଡା ଏବଂ ଯୁବ ବ୍ୟାପାର ତଥା ଗୃହ ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା , ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ଶ୍ରୀ ସଚିନ୍ ଆର୍ .ଯାଦବ , ସଚିବ, ଭୁବନେଶ୍ୱର ମ୍ୟୁଜିକ ସର୍କଲ ଶ୍ରୀ କ୍ଷୀରୋଦ ପଟ୍ଟନାୟକ , ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଭାପତି ତଥା ପଦ୍ମଶ୍ରୀ ଅରୁଣା ମହାନ୍ତି, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀ ରଞ୍ଜନ କୁମାର ଦାସ, ବିଭାଗୀୟ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସୁବୋଧ କୁମାର ଆଚାର୍ଯ୍ୟ , ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ଶ୍ରୀ ପ୍ରବୋଧ କୁମାର ରଥ ପ୍ରମୁଖ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

ଆଜିର ଏହି ସଙ୍ଗୀତ ସନ୍ଧ୍ୟାର ପ୍ରଥମ ଆସରରେ ଶିଳ୍ପୀ କୁନ୍ନଡ ବାଲମୁରଲୀ କ୍ରୀଷ୍ଣା ( ଚେନ୍ନାଇ) କର୍ଣ୍ଣାଟକୀ ଶୈଳୀରେ ତାଙ୍କର ଗାୟନ ପରିବେଷଣ କରିଥିଲେ। ତାଙ୍କ ପରିବେଷଣରେ ରହିଥିଲା ରାଗ ହିନ୍ଦୋଳ ଏବଂ ତାଳ ଆଦିତାଳ । ଚମତ୍କାର ଗାୟନ ଶୈଳୀ ମାଧ୍ୟମରେ ସେ ଦର୍ଶକ ମାନଙ୍କୁ ବିମୋହିତ କରିପାରିଥିଲେ। ଏହି ପରିବେଷଣରେ ତାଙ୍କୁ ମୃଦଙ୍ଗମ୍ ଏବଂ ବେହେଲାରେ ସହାୟତା କରିଥିଲେ ଯଥାକ୍ରମେ ଶ୍ରୀ ପତ୍ରୀ ସତୀଶ କୁମାର ଏବଂ ଶ୍ରୀ କାର୍ତ୍ତିକ ନାଗରାଜ । ଆଜିର ଦ୍ୱିତୀୟ ପରିବେଷଣରେ ଆକ୍କାରାଇ ଭଗିନୀ ଦ୍ୱୟ ଶୁଭଲକ୍ଷ୍ମୀ ଓ ସ୍ୱର୍ଣ୍ଣଲତା ବେହେଲା ବାଦନରେ ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ। ପ୍ରକାଶ ଥାଉକି, ୨୦୧୯ ମସିହାରେ ତାମିଲନାଡୁ ସରକାରଙ୍କ ଦ୍ୱାରା ଏହି ଦୁଇ ଜଣଙ୍କୁ ‘ କଲ୍ଲାଇମା ମଣି ‘ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଶ୍ରୀମତୀ ସଙ୍ଗୀତା ଗୋସାଇଁ ଏବଂ ଶ୍ରୀମତୀ ଅନୁଜା ତାରିଣୀ ମିଶ୍ର ।