ଭୁବନେଶ୍ୱର: ଅଣସର ଘରୁ ବାହାରି ଆଜି ଭକ୍ତଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି। ଆଜି ହେଉଛି ପବିତ୍ର ନବଯୌବନ ଦର୍ଶନ। ତେବେ ଚତୁର୍ଦ୍ଦଶୀ ତିଥି କ୍ଷୟ ହେଉଥିବାରୁ ଏଥର ନବଯୌବନ ଦର୍ଶନ ଅବଧି ମାତ୍ର ଦୁଇ ଘଣ୍ଟା ରହିଛି। ସ୍ୱଳ୍ପ ସମୟ ଯୋଗୁଁ ସାଧାରଣ ଦର୍ଶନ ମିଳିପାରିବ କି ନାହିଁ, ସେ ନେଇ ସନ୍ଦେହ ପ୍ରକାଶ ପାଇଛି। ଏଥିପାଇଁ ଗତକାଲିଠାରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ସୂଚନା ପ୍ରଦାନ କରାଯାଇଛି। ଅପରପକ୍ଷରେ ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ ପରେ ଆସନ୍ତା ଗୁରୁବାର ଦିନ ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେବ। ତିନି ଠାକୁର ରଥରେ ବିଜେ କରି ମାଉସୀମା ମନ୍ଦିର ଅଭିମୁଖେ ଯାତ୍ରା କରିବେ। ଏଥିପାଇଁ ସାରା ପୁରୀ ସହର ଓ ବଡ଼ଦାଣ୍ଡକୁ ଆକର୍ଷଣୀୟ ଭାବେ ସଜେଇ ଦିଆଯାଇଛି। ଶ୍ରୀମନ୍ଦିର ସମ୍ମୁଖ ସମେତ ସମ୍ପୂର୍ଣ୍ଣ ବଡ଼ଦାଣ୍ଡରେ ରଙ୍ଗାରଙ୍ଗ ଝୋଟି ଚିତା ପକାଯାଇ ମହାପ୍ରଭୁ ଓ ଭକ୍ତଙ୍କ ସ୍ୱାଗତ ପାଇଁ ପ୍ରସ୍ତୁତି କରାଯାଇଛି। ଗୁରୁବାର ଭୋରରୁ ପ୍ରଭୁଙ୍କ ପହଣ୍ଡି ବିଜେ ଆରମ୍ଭ ହେବ ବୋଲି ସୂଚନା ମିଳିଛି।