ଆଜି ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ : ଅଖ ଚକ ଡେରା ନୀତି ସଂପନ୍ନ

ଆଜି ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ। ଏହି ଅବସରରେ ତିନି ରଥର ୬ଟି ନାହାକ ଚକ ସହ ତିନୋଟି ଅଖ ସଂଯୋଗର ଶୁଭ ଅନୁକୂଳ ହୋଇଛି। ଶ୍ରୀମନ୍ଦିରରୁ ପୂଜାପଣ୍ଡା ସାମନ୍ତଙ୍କ ଦ୍ୱାରା ଆଜ୍ଞାମାଳ ଅଣାଯିବା ପରେ ବିଶ୍ୱକର୍ମା ମହାରଣା ଓ ଭୋଇ ସେବକଙ୍କ ସହାୟତାରେ କରାଯାଇଥିଲା ଏହି ସଂଯୋଗ କାର୍ଯ୍ୟ। ପ୍ରତ୍ୟେକ ରଥର ୨ ଟି ଲେଖାଏଁ ଚକରେ ଅଖ ସଂଯୋଗ କରାଯାଇଥିବା ବେଳେ ଆଗକୁ ସମୁଦାୟ ୪୨ଟି ଚକ ଓ ୨୧ ଟି ଅଖର କାର୍ଯ୍ୟ ଆରମ୍ଭ କରାଯିବ।
ତେବେ ରବିବାରଠୁ ଆରମ୍ଭ ହୋଇଛି ରଥ ନିର୍ମାଣର ଆଉ ଏକ ପର୍ଯ୍ୟାୟ କାର୍ଯ୍ୟ। ଅକ୍ଷୟ ତୃତୀୟା ଅବସରରେ ରଥ ନିର୍ମାଣ ଅନୁକୂଳ କରାଯାଇଥିବା

ବେଳେ ଆଜି ରଥର ଚକ ଓ ଅଖ ସଂଯୋଗର ଅନୁକୂଳ କରାଯାଇଛି। ପରମ୍ପରା ଅନୁଯାୟୀ ଆଜି ଭଉଁରୀ ଅବସରରେ ଶ୍ରୀମନ୍ଦିରରେ ସକାଳ ଧୂପ ଶେଷ ହେବା ପରେ ପୂଜାପଣ୍ଡାମାନେ ୩ ରଥ ପାଇଁ ଆଜ୍ଞାମାଳ ଆଣି ରଥଖଳାରେ ପହଞ୍ଚିଥିଲେ। ବିଶ୍ଵକର୍ମା ମହାରଣା ମାନେ ନିର୍ମାଣ କରିଥିବା ପ୍ରତ୍ୟେକ ରଥର ଦୁଇଟି ଲେଖାଏଁ ଚକ ସହ ଅଖର ସଂଯୋଗ କରିଥିଲେ ଭୋଇ ସେବକମାନେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଉପସ୍ଥିତିରେ ଏହି ଅନୁକୂଳ କାର୍ଯ୍ୟ ବେଶ୍ ସୁରୁଖୁରୁରେ ସଂପନ୍ନ ହୋଇଥିଲା। ମହାପ୍ରଭୁଙ୍କ ରଥ ନିର୍ମାଣ ଓ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ଚଳିତ ବର୍ଷ ଭକ୍ତଙ୍କ ଗହଣରେ ଶୃଙ୍ଖଳିତ ଭାବେ ହେବା ନେଇ ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ


ତେବେ ପ୍ରତ୍ୟେକ ରଥର ଦୁଇଟି ଚକ ଅଖ ସଂଯୋଗ ପରେ ଏବେ ରଥର ସମୁଦାୟ ୪୨ ଟି ଚକ ଓ ୨୧ ଟି ଅଖ କାର୍ଯ୍ୟ ଜୋରସୋରରେ ଆରମ୍ଭ କରାଯାଇଛି। ଏହାଛଡ଼ା ତିଆରି ସରିଥିବା ସମସ୍ତ ୪୨ ଟି ତୁମ୍ବରେ ଅର ଓ ପହି ଯୋଡ଼ିବା କାର୍ଯ୍ୟ ମଧ୍ୟ ସଂପନ୍ନ କରାଯିବ। ଆସନ୍ତା ଶୀତଳ ଷଷ୍ଠୀ ପରଦିନ ୩ ଟି ଯାକ ରଥର ସମସ୍ତ ୪୨ ଟି ଚକ ସଂପନ୍ନ କରାଯିବାର ବିଧି ରହିଛି। ଏଣୁ ଏହାକୁ ଦୃଷ୍ଟିରେ ରଖି ୩ ରଥର ସମସ୍ତ ମହାରଣା ମାନେ ପ୍ରସ୍ତୁତି କରୁଥିବା କହିଛନ୍ତି। ଦୀର୍ଘ ଦୁଇବର୍ଷ ପରେ ରଥଖଳାକୁ ଆଜ୍ଞାମାଳ ବିଜେ ସହ ରଥ ନିର୍ମାଣ କାର୍ଯ୍ୟର ଚକ ଅଖ ଡେରା ନୀତି ଭକ୍ତ ମାନେ ସ୍ବଚକ୍ଷୁରେ ଦର୍ଶନ କରି ନିଜକୁ ଧନ୍ୟ ମନେ କରିଥିବା କହିଛନ୍ତି।‌


ସେପଟେ ମହାପ୍ରଭୁଙ୍କ ନିର୍ଦ୍ଦେଶରେ ରଥଯାତ୍ରା ପାଇଁ ଚକ ଠିଆ କରିବାକୁ ଆଜ୍ଞାମାଳ ବିଜେ ପରେ ଚକ ଅଖ ଡେରା ନୀତି ସମ୍ପନ୍ନ ହୋଇଛି। ପ୍ରତିକୂଳ ପାଗ ସତ୍ତ୍ୱେ ଭୋଇ ସେବକ ମାନେ ନାହାକ ଚକ ଓ ଅଖ ପ୍ରସ୍ତୁତ କରିବା ପରେ ପାଣି ପଡି ଚକ ପବିତ୍ର କରାଯାଇଥିଲା। ଏହାପରେ ଆଜ୍ଞାମାଳ ବିଜେ କରାଯାଇ ତିନୋଟି ରଥର ୬ଟି ନାହାକ ଚକ ସହ ତିନୋଟି ଅଖ ସଂଯୋଗ କରାଯାଇ ଡେରାଯାଇଛି।