ପୁରୀ: ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ପବିତ୍ର ରାଧାଷ୍ଟମୀ । ଭାଦ୍ରବ ଶୁକ୍ଳପକ୍ଷ ଅଷ୍ଟମୀ ତିଥି ବା ଶ୍ରୀକୃଷ୍ଣ ଜନ୍ମାଷ୍ଟମୀର ଠିକ୍ ୧୫ ଦିନ ପରେ ଶ୍ରୀରାଧାଙ୍କ ଜନ୍ମତିଥିକୁ “ରାଧାଷ୍ଟମୀ” ଭାବେ ଶ୍ରଦ୍ଧାର ସହ ପାଳନ କରାଯାଏ । ଏହି ବିଶେଷ ଅବସରରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ସମ୍ପନ୍ନ ହେବ । ଅପରାହ୍ଣରେ ଚକ୍ରରାଜ ସୁଦର୍ଶନଙ୍କ ଚଳନ୍ତି ପ୍ରତିମା ପ୍ରଥମେ ଶ୍ରୀମନ୍ଦିର ବେଢା ପରିକ୍ରମା କରିବେ ଏବଂ ପରେ ନଗର ପରିକ୍ରମା କରି ପନ୍ତି ଭୋଗ ଗ୍ରହଣ କରିବେ । ଏହାପରେ, ଶ୍ରୀମନ୍ଦିରର ଭଣ୍ଡାର ରକ୍ଷକ ଓ ହିସାବ ରକ୍ଷକ ଭାବେ ପରିଚିତ ଗୌଡ଼ବାଡ଼ ସାହିସ୍ଥିତ ଜମ୍ବେଶ୍ୱର ମହାଦେବଙ୍କ ମନ୍ଦିରକୁ ଚକ୍ରରାଜ ବିଜେ କରିବେ । ସେଠାରେ ସ୍ୱତନ୍ତ୍ର ଶୀତଳ ଭୋଗ ଓ ପ୍ରସାଦ ଲାଗି ହେବ । ଜମ୍ବେଶ୍ୱରଙ୍କ ପକ୍ଷରୁ ଜଣେ ପୂଜାପଣ୍ଡା ସାମନ୍ତ ଶ୍ରୀମନ୍ଦିରର ବାର୍ଷିକ ଆୟବ୍ୟୟ ହିସାବ ସୁଦର୍ଶନଙ୍କ ସମ୍ମୁଖରେ ପାଠ କରିବେ । ସୁଦର୍ଶନ ମହାପ୍ରଭୁ ଏହି ବାର୍ଷିକ ହିସାବ ଆଣି ପୁନର୍ବାର ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବାର ପରମ୍ପରା ରହିଛି ।