ଆଜି ପବିତ୍ର ସ୍ନାନ ପୁର୍ଣ୍ଣିମା,ସ୍ନାନ ବେଦୀରେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ : ଆଜି ହେଉଛି ପବିତ୍ର ଦେବ ସ୍ନାନ ପୁର୍ଣ୍ଣିମା। ରତ୍ନବେଦୀରୁ ଓହ୍ଲାଇ ଆସି ସ୍ନାନବେଦୀରେ ବିଜେ କଲେଣି ଚତୁର୍ଦ୍ଧାମୂର୍ତୀ । ଭୋରୁ ଶ୍ରୀଜିଉମାନଙ୍କ ପହଣ୍ଡି ଆରମ୍ଭ ହୋଇଯାଇଛି। ସକାଳ ୭ଟା ସୁଦ୍ଧା ମହାପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି ସରିଯାଇଛି। ଶ୍ରୀଜିଉମାନେ ସ୍ନାନ ବେଦୀରେ ଉପବିଷ୍ଟ ହୋଇ ସାରିଲେଣି। ଶ୍ରୀଜିଉମାଙ୍କୁ ଧାଡି ପହଣ୍ଡିରେ ଅଣାଯାଇଛି।ନିୟମ ଅନୁସାରେ ଠାକୁରଙ୍କ ପହଣ୍ଡି ବିଜେ ପରେ ମହାସ୍ନାନ କରାଯାଇଥାଏ । ନୀତିକାନ୍ତି ଅନୁସାରେ ମହାପ୍ରଭୁଙ୍କୁ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରାଯିବ। ଏହି ଜଳ ଗୋଟିଏ ବର୍ଷ ପୂର୍ବରୁ ଗଚ୍ଛିତ ହୋଇ ରଖାଯାଇଥାଏ । କୁହାଯାଏ ଏହି ଜଳ ଯେଉଁ ସ୍ଥାନରୁ ଆସିଥାଏ ତାହାର ନାମ ସୁନା କୂଅ । ପୂର୍ବରୁ ସୁନାକୁଅ ବି ଶୋଧ ହୋଇ ସାରିଛି।

ପ୍ରଥମେ ଶ୍ରୀସୁଦର୍ଶନ, ପରେ ବଡ଼ଠାକୁର ବଳଭଦ୍ର, ମା’ ସୁଭଦ୍ରା ଓ ଶେଷରେ ସ୍ନାନବେଦୀକୁ ଆସିଛନ୍ତି ଜଗତରନାଥ ଶ୍ରୀଜଗନ୍ନାଥ। ଏହା ପରେ ସୁନା ଗୋସେଇଁ ପରିବାରର ସଦସ୍ୟମାନେ ସୁନାକୂଅରୁ ୧୦୮ ଗଡ଼ୁ ଜଳ ଆଣି ଜଳ ଗୃହରେ ରଖିବେ। ଚୁଆ, ଚନ୍ଦନ, କର୍ପୁର ଆଦି ପକାଯାଇ ଜଳକୁ ଅଧିବାସ କରାଯିବ। ଅଧିବାସ ଗୃହରୁ ଗରାବଡୁ ସେବକମାନେ ୧୦୮ ଗଡ଼ୁ ଜଳ ନେଇ ୪ଟି ପନ୍ତିରେ ସ୍ନାନବେଦୀରେ ରଖିବେ। ପୂର୍ବାହ୍ନ ୧୧ଟା ୨୦ରୁ ସ୍ନାନବିଧି ଆରମ୍ଭ କରାଯିବ। ଜଳ ବିଜେ ଓ ପୂଜା ପରେ ଚତୁର୍ଦ୍ଧାବିଗ୍ରହଙ୍କ ସ୍ନାନ ନୀତି ସମ୍ପନ୍ନ ହେବ। ଶ୍ରୀବଳଭଦ୍ର ୩୩ ଗଡ଼ୁ, ସୁଭଦ୍ରା ୨୨ ଗଡ଼ୁ, ଶ୍ରୀଜଗନ୍ନାଥ ୩୫ ଗଡ଼ୁ ଏବଂ ସୁଦର୍ଶନ ୧୮ ଗଡ଼ୁ ଜଳରେ ସ୍ନାନ କରିବେ। ଛେରାପହଁରା ନୀତି ସମ୍ପନ୍ନ ହେବା ପରେ ଅପରାହ୍ନ ୨ଟା ୪୦ରେ ମହାପ୍ରଭୁଙ୍କ ଦୁର୍ଲ୍ଲଭ ହାତୀବେଶ ଅନୁଷ୍ଠିତ ହେବ। ଏହି ବେଶ ଥାଇ ଘଣ୍ଟ ଛତା ସକାଳ ଧୂପ ଭୋଗ ସରିବ। କିନ୍ତୁ ମଙ୍ଗଳ ଆଳତି ସରିବା ପରଠାରୁ ନିରବଚ୍ଛିନ୍ନ ଭାବେ ସ୍ନାନବେଦୀ ସମ୍ମୁଖ ତଳ ର‍୍ୟାମ୍ପରେ ଭକ୍ତମାନେ ଦର୍ଶନ କରିପାରିବେ।

ସେହିପରି ସନ୍ଧ୍ୟା ୬ରୁ ରାତି ସାଢେ ୯ ଅର୍ଥାତ୍‌‌ ସାଢେ ୩ ଘଣ୍ଟା ସାହାଣ ମେଲା ଦର୍ଶନ ରହିଛି। ଶ୍ରଦ୍ଧାଳୁମାନେ ସ୍ନାନମଣ୍ଡପ ଉପରକୁ ଯାଇ ଦର୍ଶନ କରିବେ କିନ୍ତୁ କେହି ଠାକୁରଙ୍କୁ ସ୍ପର୍ଶ କରିପାରିବେ ନାହିଁ। ରାତି ୧୦ଟାରେ ହାତୀବେଶ ମଇଲମ ହେବ। ଏହାପରେ ପୁଷ୍ପାଞ୍ଜଳି ଓ ଡୋର ଲାଗି ସରିବା ପରେ ମହାପ୍ରଭୁ ସ୍ନାନବେଦୀରୁ ଗୋଟି ପହଣ୍ଡିରେ ଅଣସର ପିଣ୍ଡିକୁ ବିଜେ କରିବେ। ରାତି ୧୦ଟାରୁ ୧ଟା ମଧ୍ୟରେ ବାହୁଡା ପହଣ୍ଡି ଶେଷ କରାଯିବା ଲାଗି ସମୟ ନିର୍ଘଣ୍ଟ ହୋଇଛି। ଏହାପରେ ସୁନାଚିତା ଓ ରାହୁରେଖା ମଇଲମ ହୋଇ ତାଟି ବନ୍ଧା ଯିବ। ଆରମ୍ଭ ହେବ ଅଣସର ନୀତି। ସ୍ନାନ ପରେ ଜ୍ୱରରେ ପଡ଼ିବେ ମହାପ୍ରଭୁ। ଏହାପରେ ଉପଶମ ପାଇଁ ଚାଲିବ ଉପଚାର। ମହାପ୍ରଭୁ ସୁସ୍ଥ ହୋଇ ଆସନ୍ତା ୧୯ ତାରିଖରେ ନବଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ଜୁନ ୨୦ ତାରିଖରେ ରଥରେ ବସି ଯିବେ ଜନ୍ମବେଦୀକୁ।

ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା ପାଇଁ ଭୁବନେଶ୍ୱର ଓ କୋଣାର୍କରୁ ନିୟମିତ ଯାତ୍ରୀବାହୀ ବସଗୁଡ଼ିକର ମ୍ୟୁନିସିପାଲିଟି ବସ୍‌ଷ୍ଟାଣ୍ଡକୁ ପ୍ରବେଶ ପାଇଁ କୌଣସି ପ୍ରତିବଦ୍ଧ ନାହିଁ । ଭୁବନେଶ୍ୱର ଓ କୋଣାର୍କ ବ୍ୟତୀତ ଅନ୍ୟ ସ୍ଥାନରୁ ଆସୁଥିବା ବସ୍‌ଗୁଡ଼ିକ ସେମାନଙ୍କ ରାସ୍ତା ଅନୁସାରେ ପରିବର୍ତ୍ତନ କରାଯାଇଛି । ପୁରୀ ଟାଉନ୍‌ର ନିୟମତି ବସ୍‌ ଓ ଅଟୋରିକ୍ସାକୁ ବଡ଼ଦାଣ୍ଡର ମାଜଣା ଜାଗା ପର୍ଯ୍ୟନ୍ତ ଅନୁମତି ଦିଆଯିବ । ଦୁଇ ଚକିଆ ଯାନଗୁଡ଼ିକୁ ମାର୍କେଟ ଛକଠାରୁ ନାୟକ ପ୍ଲାଜା ପର୍ଯ୍ୟନ୍ତ ପାର୍କିଂ ପାଇଁ ଅନୁମତି ଦିଆଯିବ ଏବଂ ପୂର୍ଣ୍ଣ ହେଲା ପରେ ସେହି ଅନୁସାରେ ପରିବର୍ତ୍ତନ କରାଯିବ । କାର ଗୁଡ଼ିକୁ ଜଗନ୍ନାଥ ବଲ୍ଲଭ, ବଗଲା ଧର୍ମଶାଳା, ଶରଧାବାଲି, ବ୍ଲୁ ଫ୍ଲାଗ ବିଚ୍‌ ଏବଂ ହୋଟେଲ ନୀଳାଚଳ ଅଶୋକ ଠାରେ ପାର୍କିଂ କରାଯିବ ଏବଂ ପୂର୍ଣ୍ଣ ହେଲା ପରେ ସେହି ଅନୁସାରେ ପରିବର୍ତ୍ତନ କରାଯିବ ।