ଭୁବନେଶ୍ୱର: ଆଜି ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ। ଧରାବତରଣ କରିବେ ସୃଷ୍ଟିର କର୍ଣ୍ଣଧାର ଶ୍ରୀକୃଷ୍ଣ। ଏହି ଅବସରରେ ସାରା ରାଜ୍ୟରେ ଏକ ଅପୂର୍ବ ଆଧ୍ୟାତ୍ମିକ ଓ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି। ସକାଳୁ ସକାଳୁ ବିଭିନ୍ନ କୃଷ୍ଣ ମନ୍ଦିର ଓ ବିଷ୍ଣୁ ପୀଠଗୁଡ଼ିକରେ ଶ୍ରଦ୍ଧାଳୁଙ୍କ ଅଭୂତପୂର୍ବ ଭିଡ଼ ଦେଖିବାକୁ ମିଳିଛି। ‘ହରେ କୃଷ୍ଣ’ ମହାମନ୍ତ୍ର, ଭଜନ-କୀର୍ତ୍ତନ ଏବଂ ‘ହାତୀ ଘୋଡ଼ା ପାଲ୍କି, ଜୟ କହ୍ନେୟା ଲାଲ୍ କି’ ଧ୍ବନିରେ ଗଗନପବନ ପ୍ରକମ୍ପିତ ହେଉଛି। ରାଜ୍ୟର ପ୍ରମୁଖ ମନ୍ଦିରଗୁଡ଼ିକୁ ରଙ୍ଗବେରଙ୍ଗର ଆଲୋକମାଳା ଓ ସୁଗନ୍ଧିତ ଫୁଲରେ ଆକର୍ଷଣୀୟ ଭାବେ ସଜାଯାଇଛି। ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଶ୍ରୀକୃଷ୍ଣ ଜନ୍ମ ନୀତି ପାଇଁ ସ୍ୱତନ୍ତ୍ର ବିଧିବିଧାନ ଓ ପୂଜାର୍ଚ୍ଚନା ଚାଲିଛି। ରାତି ୧୨ଟାରେ ଶ୍ରୀକୃଷ୍ଣଙ୍କ ଗର୍ଭଉଦକ ଓ ଜନ୍ମ ନୀତିକାନ୍ତି ସମ୍ପନ୍ନ ହେବ। ଏଥିପାଇଁ ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଭକ୍ତମାନେ ଦିନସାରା ଉପବାସ ରହି ନିଷ୍ଠାର ସହ ଏହି ପର୍ବ ପାଳନ କରୁଛନ୍ତି। ମନ୍ଦିର ସହ ଘରେ ଘରେ ସୁନ୍ଦର ଖଟୁଲିରେ ବାଳଗୋପାଳଙ୍କୁ ବିରାଜମାନ କରାଇ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି।