ଆଜି ପବିତ୍ର ଅଶୋକାଷ୍ଟମୀ : ଅପରାହ୍ନ ୩ଟା ୩୦ରୁ ଗଡିବ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ

ଆଜି ପବିତ୍ର ଅଶୋକାଷ୍ଟମୀ । ରାଜ୍ୟରେ ପବିତ୍ର ପୀଠ ମାନଙ୍କରେ ଅନୁଷ୍ଠିତ ହୁଏ ମା’ଦୁର୍ଗାଙ୍କର ବାସନ୍ତୀ ପୂଜା I ଏହି ଅବସରରେ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ଗଡ଼ିଥାଏ I ଏଥିପାଇଁ ଚଳଚଞ୍ଚଳ ଏକାମ୍ର କ୍ଷେତ୍ର । ଅପରାହ୍ଣ ସାଢ଼େ ୩ଟାରେ ରଥ ଟଣା ହେବ ବୋଲି ନୀତି ନିର୍ଘଣ୍ଟ କରାଯାଇଛି । ଭୋର୍‌ ୫ଟାରେ ଠାକୁରଙ୍କ ଆଳତି ଅବକାଶ ନୀତି ସମ୍ପନ୍ନ ହେବା ପରେ ସାଢ଼େ ୫ଟାରୁ ଘଣ୍ଟାଏ ପର୍ଯ୍ୟନ୍ତ ଠାକୁରଙ୍କ ସାହାଣ ମେଲା ହୋଇଛି । ଏହାପରେ ରୋଷହୋମ, ପାକକାର୍ଯ୍ୟ ସମ୍ପନ୍ନ ହୋଇ ଛାମୁ ପରିଷ୍କାର ହୋଇଛି । ସେହିପରି ସକାଳ ୭ଟାରୁ ୮ଟା ଭିତରେ ମହାସ୍ନାନ, ବେଶ, ଦ୍ୱାରପାଳ ଓ ସୂର୍ଯ୍ୟଦେବଙ୍କ ପୂଜା ବିଧିମତେ କରାଯିବ । । ଆସନ୍ତା ୧୩ ତାରିଖରେ ବାହୁଡ଼ା। ଏଥିପାଇଁ ଆଜି ଓ ୧୩ ତାରିଖ ଦିନ ମାଉସୀ ମାଆ ଛକ ଠାରୁ ରଥ ରୋଡ୍‌ ପର୍ଯ୍ୟନ୍ତ ଟ୍ରାଫିକ କଟକଣା ଲାଗୁ କରିଛି ପୋଲିସ ପ୍ରଶାସନ। ରୁକୁଣା ରଥ ଯାତ୍ରା ପାଇଁ ୧୬ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ରୁକୁଣା ରଥ ପାଇଁ ଗତକାଲି ସପ୍ତମୀ ତିଥିରେ କେଦାର ଗୌରୀ ନିକଟ ମୁକ୍ତେଶ୍ୱର ମନ୍ଦିର ନିକଟ ମରୀଚି କୁଣ୍ଡରୁ ଜଳ ସଂଗ୍ରହ କରାଯାଇଥିଲା । ରଥ ପ୍ରତିଷ୍ଠା ପାଇଁ ପାଣି ଯିବା ପରେ ପରମ୍ପରା ଅନୁଯାୟୀ ମରୀଚିକୁଣ୍ଡ ପାଣି ନିଲାମ ହୋଇଛି। ପ୍ରଥମ କଳସ ପାଣି ୧ଲକ୍ଷ ୩୦ ହଜାର ଟଙ୍କାରେ ନିଲାମ ହୋଇଛି। ଦ୍ୱିତୀୟ କଳସ ପାଇଁ ୪୭ ହଜାର ଟଙ୍କାରେ ନିଲାମ ହୋଇଛି।