ଟାଇମ୍‍ସ ବିଶ୍ୱ ବିଶ୍ୱବିଦ୍ୟାଳୟ ର‌୍ୟାଙ୍କିଙ୍ଗ ୨୦୨୪ଜାତୀୟସ୍ତରରେ ୬ଷ୍ଠ ସ୍ଥାନରେ କିଟ୍‍ଓଡ଼ିଶାରେ ଏକ ନମ୍ବର

ଭୁବନେଶ୍ୱର, ୨୯ ।୯: ଟାଇମ୍‍ସ ହାଇଅର ଏଜୁକେସନ୍‍ ବିଶ୍ୱ ବିଶ୍ୱବିଦ୍ୟାଳୟ ର‌୍ୟାଙ୍କିଙ୍ଗରେ ଉପରକୁ ଉଠିଛି କିଟ୍‍ ବିଶ୍ୱବିଦ୍ୟାଳୟ । ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଟାଇମ୍‍ସ ହାଇଅର ଏଜୁକେସନ୍‍ ବିଶ୍ୱ ବିଶ୍ୱବିଦ୍ୟାଳୟ ର‌୍ୟାଙ୍କିଙ୍ଗ ପ୍ରକାଶ ପାଇଛି । ପ୍ରତିବର୍ଷ ପରି ଚଳିତବର୍ଷ କିଟ୍‍ ବିଶ୍ୱବିଦ୍ୟାଳୟ ଏହି ର‌୍ୟାଙ୍କିଂରେ ବିଶ୍ୱ ତଥା ସର୍ବଭାରତୀୟସ୍ତରରେ ତାର ସ୍ଥାନ ବଜାୟ ରଖିଛି । ଗୁରୁବାର ଟାଇମ୍‍ସ ହାଇଅର ଏଜୁକେସନ୍‍ ବିଶ୍ୱ ବିଶ୍ୱବିଦ୍ୟାଳୟ ର‌୍ୟାଙ୍କିଙ୍ଗ- ୨୦୨୪ ପ୍ରକାଶିତ ହୋଇଥିବା ବେଳେ ଏଥିରେ କିଟ୍‍ ଅତ୍ୟଧିକ ଭଲ ପ୍ରଦର୍ଶନ କରିଛି । ଗତବର୍ଷ ଅପେକ୍ଷା ଚଳିତବର୍ଷ କିଟ୍ ବିଶ୍ୱବିଦ୍ୟାଳୟର ସ୍କୋରରେ ଯଥେଷ୍ଟ ଉନ୍ନତି ପରିଲକ୍ଷିତ ହେବା ସହ ସ୍କୋର ମଧ୍ୟ ବଢ଼ିଛି ।

ଚଳିତବର୍ଷ କିଟ୍ ବିଶ୍ୱବିଦ୍ୟାଳୟ ଜାତୀୟସ୍ତରରେ ୯୧ଟି ଅନୁଷ୍ଠାନ ମଧ୍ୟରେ ୬୦୧ ର‌୍ୟାଙ୍କ ସହ ୬ଷ୍ଠ ସ୍ଥାନରେ ରହିଥିବା ବେଳେ ଓଡ଼ିଶାରେ ପ୍ରଥମ ସ୍ଥାନରେ ରହିବାର ଗୌରବ ଅର୍ଜନ କରିଛି । ଶୈକ୍ଷିକ ପରିବେଶ, ଗବେଷଣା, ଆଦୃତି, ଅନ୍ତର୍ଜାତୀୟ ଦୃଷ୍ଟିକୋଣ ଓ ଇଣ୍ଡଷ୍ଟ୍ରି ଇନ୍‍କମ୍‍ ଆଦି ମାପଦଣ୍ଡକୁ ନେଇ ଟାଇମ୍‍ସ ହାଇଅର ଏଜୁକେସନ୍‍ ପକ୍ଷରୁ ବିଶ୍ୱର ବହୁ ବିଶ୍ୱବିଦ୍ୟାଳୟକୁ ନେଇ ଏହି ର‌୍ୟାଙ୍କ ପ୍ରସ୍ତୁତ କରାଯାଇଛି । ବିଶ୍ୱର ସମସ୍ତ ବିଶ୍ୱବିଦ୍ୟାଳୟକୁ ନେଇ ଟାଇମ୍‍ସ ହାଇଅର ଏଜୁକେସନ୍‍ ଏହି ର‌୍ୟାଙ୍କ ପ୍ରସ୍ତୁତ କରିଥାଏ । ପୂର୍ବବର୍ଷ ତୁଳନାରେ ଅଧିକ ଭଲ ପ୍ରଦର୍ଶନ କରି ଚଳିତବର୍ଷ ଦେଶର ପୂର୍ବାଞ୍ଚଳ ଓ ଓଡ଼ିଶା ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ କିଟ୍‍ ପ୍ରଥମ ସ୍ଥାନରେ ରହିପାରିଛି । କିଟ୍‍ ଖୁବ୍‍ କମ୍‍ ଦିନର ଏକ ବିଶ୍ୱବିଦ୍ୟାଳୟ ହୋଇଥିବା ବେଳେ ବିଶ୍ୱର ଲବ୍‍ଧ ପ୍ରତିଷ୍ଠିତ ଓ ପୁରାତନ ବିଶ୍ୱବିଦ୍ୟାଳୟଗୁଡ଼ିକ ସହ ସମକକ୍ଷ ହୋଇ ଏତେ ଉନ୍ନତ ପ୍ରଦର୍ଶନ କରିଥିବାରୁ ବହୁ ଶିକ୍ଷାବିତ୍‍ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ସାଧୁବାଦ ଜଣାଇଛନ୍ତି । ଶ୍ରୀ ସାମନ୍ତଙ୍କ ଦୂରଦୃଷ୍ଟି ପାଇଁ ଓଡ଼ିଶାର ଏହି ବିଶ୍ୱବିଦ୍ୟାଳୟ ଆଜି ବିଶ୍ୱର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟଗୁଡ଼ିକର ସମକକ୍ଷ ହେବା ସହ ପ୍ରତିଷ୍ଠିତ ଓ ପୁରାତନ ବିଶ୍ୱବିଦ୍ୟାଳୟକୁ ଅତିକ୍ରମ କରିପାରିଛି ବୋଲି ସେମାନେ ମତ ଦେଇଛନ୍ତି । ଶ୍ରୀ ସାମନ୍ତ କିଟ୍‍ ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ମିଳିତ ପ୍ରୟାସ ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି କହିଛନ୍ତି । କିଟ୍‍ ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ପ୍ରତିଷ୍ଠାତା ଶ୍ରୀ ସାମନ୍ତଙ୍କ ନିରନ୍ତର ପ୍ରଚେଷ୍ଟା ଓ ଦୂରଦୃଷ୍ଟିକୁ ସାଧୁବାଦ ଜଣାଇଛନ୍ତି।