ଭୁବନେଶ୍ବର: ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଅଘଟଣମୁକ୍ତ ଓ ଶୃଙ୍ଖଳିତ କରିବା ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଚଳିତ ବର୍ଷ ସୁପରିଚାଳନା ଓ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରଥଯାତ୍ରା ପରିଚାଳନାରେ ବିଶେଷ ଅଭିଜ୍ଞତା ଥିବା ୭ ଜଣ ବରିଷ୍ଠ ଆଇପିଏସ୍ (IPS) ଅଧିକାରୀଙ୍କୁ ଗୁରୁଦାୟିତ୍ୱ ପ୍ରଦାନ କରାଯାଇଛି। ସିଦ୍ଧହସ୍ତ ଅଧିକାରୀମାନେ ନିୟମିତ ଭାବେ ପୁରୀ ଗସ୍ତ କରି ବିଭିନ୍ନ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା ଆରମ୍ଭ କରିଛନ୍ତି। ଅନ୍ୟପଟେ ଭିଡ଼ ନିୟନ୍ତ୍ରଣ ଏବଂ ସୁରକ୍ଷା ପାଇଁ ଚଳିତ ବର୍ଷ ସମ୍ପୂର୍ଣ୍ଣ ପୁରୀ ସହରକୁ ଅତ୍ୟାଧୁନିକ ଏଆଇ (AI) କ୍ୟାମେରା ନଜରରେ ରଖାଯିବ। ଉତ୍ତରା ଛକଠାରୁ ଆରମ୍ଭ କରି ପୁରୀ ପର୍ଯ୍ୟନ୍ତ ଏହି କୃତ୍ରିମ ବୁଦ୍ଧିମତ୍ତା ସମ୍ପନ୍ନ ସିସିଟିଭି କ୍ୟାମେରା ଖଞ୍ଜାଯିବ। ଏହା ଦ୍ୱାରା ଯେଉଁ ସ୍ଥାନରେ ଅତ୍ୟଧିକ ଭିଡ଼ ହେବ, ତାହା ତୁରନ୍ତ ଚିହ୍ନଟ ହୋଇପାରିବ ଏବଂ ନିୟନ୍ତ୍ରଣ ପାଇଁ ତତ୍କାଳ ପଦକ୍ଷେପ ନିଆଯିବ। ବଡ଼ଦାଣ୍ଡ ସମେତ ବିଭିନ୍ନ ଗଳିକନ୍ଦିରେ ଓବିସିସି ପକ୍ଷରୁ ଏହି କ୍ୟାମେରା ଲଗାଯାଉଛି। ଗତବର୍ଷ ୨୫୦ରୁ ଅଧିକ ଏଆଇ କ୍ୟାମେରା ଲଗାଯାଇଥିବା ବେଳେ ଚଳିତ ବର୍ଷ ଏହି ସଂଖ୍ୟାକୁ ଆହୁରି ବୃଦ୍ଧି କରାଯାଇଛି। ଏହା ସହ ଡ୍ରୋନ୍ ମାଧ୍ୟମରେ ମଧ୍ୟ ଭିଡ଼ ଉପରେ ତୀକ୍ଷ୍ଣ ନଜର ରଖାଯିବ। ଟ୍ରାଫିକ୍ ପରିଚାଳନା ପାଇଁ ସ୍ୱତନ୍ତ୍ର ନକ୍ସା ପ୍ରସ୍ତୁତ କରାଯିବା ସହ ଏକାଧିକ ପ୍ରମୁଖ ରାସ୍ତାକୁ ‘ୱାନ୍-ୱେ’ କରାଯାଇଛି।