ଗଞ୍ଜାମ ଜିଲ୍ଲା ସାମନ୍ତିଆପଲ୍ଲୀ ବନାଞ୍ଚଳରେ ବାଘ ଆତଙ୍କ ଦେଖାଦେଇଛି। ଶନିବାର ସନ୍ଧ୍ୟାରେ ଲଙ୍କା ସୁନାଖଳା ପାହାଡ଼ ନିକଟରେ ଏକ କଲରାପତରିଆ ବାଘ ବସିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ଲଙ୍କା ଗ୍ରାମ ନିକଟସ୍ଥ ପାହାଡ଼ ପାଦଦେଶରେ ଏକ କଲରାପତରିଆ ବାଘ ବସିଥିବା ଗ୍ରାମବାସୀ ଦାବି କରିଛନ୍ତି। ଖବର ପାଇ ସାମନ୍ତିଆପଲ୍ଲୀ ବନ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ବାଘର ଗତିବିଧି ଅନୁଧ୍ୟାନ କରିବା ସହ ତଦନ୍ତ ଆରମ୍ଭ କରିଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ବନ କର୍ମଚାରୀମାନେ ଖୋଜାଖୋଜି କରିଥିଲେ ମଧ୍ୟ ଅନ୍ଧାର ଯୋଗୁଁ ବାଘର କୌଣସି ସ୍ପଷ୍ଟ ସୁରାକ ମିଳିପାରି ନାହିଁ। ବନ ବିଭାଗ ପକ୍ଷରୁ ଲଙ୍କା ଓ ଏହାର ଆଖପାଖ ଗ୍ରାମର ଲୋକଙ୍କୁ ଭୟଭୀତ ନହେବାକୁ ପରାମର୍ଶ ଦେବା ସହ ସତର୍କ ରହିବାକୁ କୁହାଯାଇଛି। ବିଶେଷ କରି ସନ୍ଧ୍ୟା ପରେ ଏକାକୀ ବାହାରକୁ ନବାହାରିବା ପାଇଁ ସଚେତନ କରାଯାଉଛି।