ଟାଇଗର ଶ୍ରଫ୍ ଗୁଳିକାଣ୍ଡ ମାମଲା: ୨ ଜଣ ଯୁବତୀଙ୍କ ସମେତ ୪ ଗିରଫ

ମୁମ୍ବାଇ: ବଲିଉଡ୍ ଅଭିନେତା ଟାଇଗର ଶ୍ରଫଙ୍କୁ ଟାର୍ଗେଟ କରି ହୋଇଥିବା ଗୁଳିକାଣ୍ଡ ମାମଲାରେ ପୋଲିସକୁ ମିଳିଛି ବଡ଼ ସଫଳତା। ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଏହି ଅନ୍ତଃରାଜ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦୁଇ ଜଣ ଯୁବତୀଙ୍କ ସମେତ ମୋଟ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କୁ ଅଧିକ ଜେରା କରିବା ଏବଂ ମୁମ୍ବାଇ ନେଇ ତଦନ୍ତ ପ୍ରକ୍ରିୟାକୁ ଆଗେଇ ନେବା ପାଇଁ ଅଦାଲତ ମୁମ୍ବାଇ ପୋଲିସକୁ ୩ ଦିନିଆ ଟ୍ରାନଜିଟ୍ ରିମାଣ୍ଡ ପ୍ରଦାନ କରିଛନ୍ତି। ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ୍ ଅନୁଯାୟୀ, ଗିରଫ ଅଭିଯୁକ୍ତମାନେ ହେଲେ କୁନାଲ (୨୧), ସୁମିତ (୧୯), ରାଧା (୨୩) ଏବଂ ବବିତା (୨୩)। ସମସ୍ତଙ୍କୁ BNSS ଧାରା ୩୫(୧)(ବି) ଅନୁଯାୟୀ କୋର୍ଟରେ ହାଜର କରାଯିବା ପରେ ମହାରାଷ୍ଟ୍ର ପୋଲିସର ସିଆଇଡି (ମୁମ୍ବାଇ) ପକ୍ଷରୁ ସେମାନଙ୍କୁ ଆନୁଷ୍ଠାନିକ ଭାବେ ହେପାଜତକୁ ନିଆଯାଇଛି। କୋର୍ଟଙ୍କ ଅନୁମତି ପରେ ମୁମ୍ବାଇ ପୋଲିସ ସେମାନଙ୍କୁ ୩ ଦିନିଆ ଟ୍ରାନଜିଟ୍ ରିମାଣ୍ଡରେ ନେଇଛି। ପୋଲିସର ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ, ଅନିଲ ପଣ୍ଡିତ ନାମକ ଜଣେ ବ୍ୟକ୍ତିଙ୍କ ନିର୍ଦ୍ଦେଶରେ କୁନାଲ ପଞ୍ଜାବର ଅମୃତସର ଯାଇ ସେଠାରୁ ଏକ ପିସ୍ତଲ ଏବଂ ୨୦ ରାଉଣ୍ଡ ଗୁଳି ସଂଗ୍ରହ କରିଥିଲା। ଏହି କାର୍ଯ୍ୟରେ ସୁମିତ ତାଙ୍କୁ ସହଯୋଗ କରିଥିବା ବେଳେ ସେହି ମାରାତ୍ମକ ଅସ୍ତ୍ରଶସ୍ତ୍ରଗୁଡ଼ିକୁ ସୁରକ୍ଷିତ ଭାବେ ମୁମ୍ବାଇ ପହଞ୍ଚାଇବା ଦାୟିତ୍ୱ ରାଧା ଏବଂ ବବିତାଙ୍କୁ ଦିଆଯାଇଥିଲା। ଏବେ ମୁମ୍ବାଇ ପୋଲିସ ଅଭିଯୁକ୍ତମାନଙ୍କୁ ଜେରା କରି ଏହି ଷଡ଼ଯନ୍ତ୍ରର ମୂଳ ପର୍ଯ୍ୟନ୍ତ ପହଞ୍ଚିବାକୁ ଚେଷ୍ଟା ଚଳାଇଛି।

Tiger Shroff shooting incident: 4 arrested