ଓଡିଶାରେ ବିଜେଡି-ବିଜେପି ମେଣ୍ଟକୁ ନେଇ ସସପେନ୍ସ ଜାରି ରହିଛି । ଆଉ ଏହି ମେଣ୍ଟ ସସପେନ୍ସ ଉପରୁ ହଟୁନାହିଁ ପରଦା । ଆଉ ଚର୍ଚ୍ଚା ଭିତରେ ବିଜେଡ଼ିର ରାଜ୍ୟ ସାଧାରଣ ସମ୍ପାଦକ ଥିବା ଅରିନ୍ଦମ ରାୟ ଗତକାଲି ଦଳ ଛାଡ଼ିଛନ୍ତି । ଏକଦା ବିଜେଡିର ଷ୍ଟାର ପ୍ରଚାରକ ଥିବା ଅଭିନେତା ଅରିନ୍ଦମ ରୟ ଗତକାଲି ବିଜେଡି ଛାଡିଛନ୍ତି । ଫେସବୁକରେ ଏହି ସୂଚନା ଦେବାର କିଛି ସମୟ ପରେ ସେ ବିଜେପିରେ ହୋଇଛନ୍ତି ସାମିଲ । ବିଜେପିରେ ସାମିଲ ହେବା ପରେ ଅରିନ୍ଦମ କହିଥିଲେ ‘ସେଠାରେ କାମ କରିବାର ସୁଯୋଗ ନାହିଁ । ସେ ଦଳର ସାଚୁରେସନ ଆସିଗଲାଣି, ଆଉ ଫଙ୍କସନ୍ ନାହିଁ । ସେଠି କାମ କରିବାର ଶୈଳୀ ବଦଳି ଗଲାଣି, ଖାପଖୁଆଇ ପାରିଲିନି ।
ସେଠି କାମ କରିବା ସୁଯୋଗ ନାହିଁ, ସେଠି ମୋର ଜାଗା ଥିବା ଭାବିଲିନି । ସେମାନେ ମୋତେ ବହୁତ କାମ କରାଇଛନ୍ତି, ଆଉ କାମ ସୁଯୋଗ ନାହିଁ । ଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କିମ୍ବା ନବୀନଙ୍କ ଦ୍ୱାରା ନିଯୁକ୍ତ ସଦସ୍ୟମାନେ ତାଙ୍କ କାର୍ଯ୍ୟକୁ ସ୍ୱୀକୃତି ଦେଇନଥିବା ସେ ଅଭିଯୋଗ କରିଥିଲେ । ଏପରିକି ଗତ କିଛି ଦିନ ଧରି ନବୀନଙ୍କୁ ସାକ୍ଷାତ କରିବାକୁ ଚାହିଁଥିଲେ ମଧ୍ୟ ତାଙ୍କୁ ସେହି ସୁଯୋଗ ମିଳିନଥିଲା । ଏଣୁ ଦଳରେ ତାଙ୍କର ସ୍ଥାନ କିଛି ନାହିଁ ବୋଲି ଅନୁଭବ କରିବା ପରେ ସେ ବିଜେଡିର ପ୍ରାଥମିକ ସଦସ୍ୟତା ଓ ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଇଥିବା କହଛନ୍ତି । କିନ୍ତୁ ଅରିନ୍ଦମଙ୍କ ବିିଜେଡିରୁ ଇସ୍ଥଫାକୁ ନେଇ ଯେଉଁ ଚର୍ଚ୍ଚା ସବୁଠୁ ଅଧିକ ହେଉଛି ତାହା ହେଉଛି ଆସନ୍ତା ନିର୍ବାଚନରେ ଟିକେଟ ନମିଳିବା ଆଶା । ଅରିନ୍ଦମଙ୍କୁ କୁଆଡ଼େ ଦଳ ତରଫରୁ କୁହାଯାଇଛି ଏଥର ନୁହେଁ ୨୯ କୁ ଅପେକ୍ଷା କର ।
ସେବେ ଟିକେଟ ଦିଆଯିବ ,ଆଉ ଯେଉଁ କାରଣରୁ ଦଳ ଛାଡ଼ିଦେଲେ ଅରିନ୍ଦମ । ୨୦୦୯ରୁ ଅରିନ୍ଦମ ବିଜେଡି ସହ ଜଡ଼ିତ ରହିଆସିଥିଲେ । ୨୦୧୬ ଡିସେମ୍ବରରେ ସେ ତତ୍କାଳୀନ ଶକ୍ତି ମନ୍ତ୍ରୀ ତଥା ବର୍ତ୍ତମାନର ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଭଉଣୀ ଅନୁପା ଦାସଙ୍କୁ ବିବାହ କରିବା ପରେ ଦଳରେ ଅଧିକ ସକ୍ରିୟ ହୋଇଉଠିଥିଲେ । ୨୦୧୯ ନିର୍ବାଚନରେ ବାରବାଟୀ-କଟକରୁ ତାଙ୍କୁ ବିଜେଡି ବିଧାୟକ ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା । କିନ୍ତୁ ତାଙ୍କୁ ଟିକେଟ୍ ମିଳି ନଥିଲା ଆଉ ଶୁଣାଯାଉଥିଲା ୨୦୨୪ରେ ଦଳ ତାଙ୍କୁ କରିବ ପ୍ରାର୍ଥୀ । କିନ୍ତୁ ଏଥର ମଧ୍ୟ ଦଳ ତାଙ୍କୁ କୁଆଡେ ମନା କରି ନିରାଶ କରିଥିଲା । ସେଥିଲାଗି ଶଙ୍ଖ ଛାଡ଼ି ପଦ୍ମ ଧରିଲେ ଅରିନ୍ଦମ । ତେବେ ଦେଖିବାର କଥା ଏଥର ତାଙ୍କୁ ବିଜେପି କେଉଁଠୁ ପ୍ରାର୍ଥୀ କରୁଛି କି ନାହିଁ ।