ବିଶ୍ୱକପ୍ ମ୍ୟାଚ୍ ପାଇଁ ହୋଇପାରୁନି ଟିକେଟ ବୁକିଂ

ଆସନ୍ତା ଅକ୍ଟୋବର ୫ ତାରିଖରୁ ଆରମ୍ଭ ହେବ କ୍ରିକେଟ ମହାକୁମ୍ଭ । ବିଶ୍ୱକପ ଟାଇଟଲ ପାଇଁ ମୁହାଁମୁହିଁ ହେବେ ୧୦ଟି ଟିମ୍ । ବିଶ୍ୱକପକୁ ଆଉ ଦିନ କେଇଟା ବାକି ଥିବା ବେଳେ ଏବେଠାରୁ ଆରମ୍ଭ ହୋଇଛି ଟିକେଟ ବୁକିଂ । ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ, ୨୫ ଅଗଷ୍ଟ ରାତି ୮ଟାରେ ଟିକେଟ ବୁକିଂ ଆରମ୍ଭ ହୋଇଥିଲା । କିନ୍ତୁ ମାତ୍ର କେଇ ମିନିଟରେ ବିଶ୍ୱକପ ୱେବସାଇଟ ଓ ଟିକେଟ ବୁକିଂ ଆପ୍ କ୍ରାସ କରିଥିଲା । ଯାହାଫଳରେ କିଛି ଲୋକ ଟିକେଟ ବୁକିଂ କରିବାରେ ସଫଳ ହୋଇଥିବା ବେଳେ ଅନେକ ଲୋକ ଟିକେଟ ବୁକିଂରୁ ବଞ୍ଚିତ ହୋଇଥିଲେ । ଯାହାକୁ ନେଇ କ୍ରିକେଟପ୍ରେମୀଙ୍କ ମନରେ ପ୍ରବଳ ଅସନ୍ତୋଷ ଦେଖିବାକୁ ମିଳିଛି ।

ୱେବସାଇଟ କ୍ରାସ ହେବା କାରଣରୁ ଅନେକ କ୍ରିକେଟପ୍ରେମୀ ନିଜ ମନ ପସନ୍ଦର ଭେନ୍ୟୁ ପାଇଁ ଟିକେଟ ବୁକିଂ କରିବାରେ ବିଫଳ ହୋଇଥିଲେ । ସେହିଭଳି ଟିକେଟ ବୁକିଂ ଆପରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଥିଲା । ତେବେ ଗତକାଲି ଯେଉଁ ଟିକେଟ ବୁକିଂ ହୋଇଛି ସେଥିରେ ଭାରତର କୌଣସି ମ୍ୟାଚ୍ ନାହିଁ । ଅନ୍ୟ ଦେଶର ମ୍ୟାଚ୍ ପାଇଁ ଗତକାଲି ଟିକେଟ ବୁକିଂ ହେଉଥିଲା । ତେବେ ଟିକେଟ ବୁକିଂରୁ ବଞ୍ଚିତ କ୍ରିକେଟପ୍ରେମୀ ଏନେଇ ଟ୍ୱିଟ୍ କରିବା ସହ ଆଇସିସି ଉପରେ ବର୍ଷିଛନ୍ତି । ଭାରତ ମ୍ୟାଚ୍ ପାଇଁ ଆସନ୍ତା ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୩ ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ବିଭିନ୍ନ ମ୍ୟାଚର ଟିକେଟ ବୁକ୍ କରିପାରିବେ । ସେହିଭଳି ସେମିଫାଇନାଲ ଓ ଫାଇନାଲ ମୁକାବିଲା ପାଇଁ ୧୫ ସେପ୍ଟେମ୍ବରରେ ଟିକେଟ ବୁକିଂ ହେବ । ଚଳିତବର୍ଷ ବିଶ୍ୱକପରେ ୧୦ଟି ଟିମ୍ ଭାଗ ନେଉଛନ୍ତି । ଶେଷ ୨ଟି ଟିମ୍ ଭାବେ ଶ୍ରୀଲଙ୍କା ଓ ନେଦରଲାଣ୍ଡସ ବିଶ୍ୱକପ ଟିକେଟ ହାତେଇଛନ୍ତି ।

NATIONAL