ବିଜେଡି ରେ ସାମିଲ ହେଲେ କଂଗ୍ରେସ ଓ ବିଜେପି ର ୩ ବରିଷ୍ଠ ନେତା

ଆଜି ବିଜେଡିରେ ସାମିଲ ହେଇଛନ୍ତି ଜୟପୁର ଏବଂ ବୋରିଗୁମ୍ମା ବ୍ଲକର କଂଗ୍ରେସ ଓ ବିଜେପିର ବରିଷ୍ଠ ନେତା I ସ୍ଥାନୀୟ ବିଜୁ ଯୁବ ଜନତାଦଳ କାର୍ଯ୍ୟାଳୟ ଠାରେ ଦଳର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ଓ କୋରାପୁଟ, ମାଲକାନଗିରି ପର୍ଯ୍ୟବେକ୍ଷକ ଥିବା ଚନ୍ଦ୍ରସାରଥି ବେହେରାଙ୍କ ଉପସ୍ଥିତରେ ଏହି ନେତାମାନେ ବିଦ୍ଧିବଦ୍ଧ ଭାବରେ ବିଜେଡିର ସାମିଲ ହୋଇଛନ୍ତି ।
ଆଜି ବିଜେଡିରେ ସାମିଲ ହୋଇଥିବା ଏହି ନେତାଙ୍କ ମଧ୍ୟରେ ରହିଛନ୍ତି ବହୁ ପୁରୁଖା କଂଗ୍ରେସ ନେତା ନାଗରାଜ ଦୋରା। ଶ୍ରୀ ଦୋରା ୨୦୦୯ରେ ଜୟପୁର ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇଥିବାବେଳେ ଏବେ ବିଜେପିର ସକ୍ରିୟ ସଦସ୍ୟ ଥିଲେ। ଏଥି ସହିତ ଶ୍ରୀ ଦୋରା ଯୁବ କଂଗ୍ରେସର ସାଧାରଣ ସମ୍ପାଦକ ଏବଂ ପିସିସି ସଦସ୍ୟ ଭାବେ ଦାୟିତ୍ୱ ତୁଲାଇଥିଲେ। ସେହିଭଳି କୋରାପୁଟ ଜିଲା କଂଗ୍ରେସ କିଷାନ ସେଲ୍‍ର ପୂର୍ବତନ ସଭାପତି ଦାୟିତ୍ୱରେ ଥିଲେ। ବିଜେଡିରେ ମିଶିଥିବା ଆଉ ଜଣେ ଟାଣୁଆ ନେତା ହେଲେ ନିରଞ୍ଜନ ପ୍ରଧାନ। ଶ୍ରୀ ପ୍ରଧାନ ଜନତା ଦଳର ପୂର୍ବତନ ଜିଲ୍ଲା ଯୁବ ସଭାପତି ଥିବାବେଳେ ପୂର୍ବତନ ବ୍ଲକ କଂଗ୍ରେସ କମିଟିର ଉପସଭାପତି ଭାବେ ଦାୟିତ୍ୱରେ ଥିଲେ। ବିଜେଡି ହାତ ଧରିଥିବା ଆଉ ଜଣେ ବରିଷ୍ଠ ନେତା ହେଲେ ବୋରିଗୁମ୍ମା ବ୍ଲକର କୋଟପାଡ ବିଧାୟକଙ୍କ ପୂର୍ବତନ ପ୍ରତିନିଧି ସୁଭାଷ ଚନ୍ଦ୍ର ନାୟକ। ଏଥିସହିତ ସେ ବୋରିଗୁମ୍ମା ବ୍ଲକ ଛାତ୍ର କଂଗ୍ରେସର ସଭାପତି ଓ ଜିଲାକଂଗ୍ରେସର ପୂର୍ବତନ ସାଧାରଣ ସମ୍ପାଦକ ଥିଲେ। ସେ ମଧ୍ୟ ନବରଙ୍ଗପୁର ସାଂସଦଙ୍କ ବୋରିଗୁମ୍ମା ପ୍ରତିନିଧି ଭାବେ କାର୍ଯ୍ୟ କରୁଥିଲେ। କୋରାପୁଟ ଜିଲ୍ଲାର ଏହି ତିନି ବରିଷ୍ଠ ନେତା ଆଜି ବିଜେଡିରେ ଯୋଗ ଦେଇଥିବାବେଳେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ଶାସନରେ ଆକର୍ଷିତ ହୋଇ ସେମାନେ ବିଜେଡିର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଥିବା କହିଛନ୍ତି।

Comments (0)
Add Comment