ଭୁବନେଶ୍ବର: କଟକ ଜଗତପୁର ବାଲିସାହି ନିକଟସ୍ଥ ମହାନଦୀରେ ଗାଧୋଉଥିବା ସମୟରେ ଏକ ଅଭାବନୀୟ ଅଘଟଣ ଘଟିଯାଇଛି। ନଦୀରେ ଗାଧୋଉଥିବା ବେଳେ ପ୍ରଖର ସ୍ରୋତରେ ୩ ଜଣ ସାଙ୍ଗ ଭାସିଯାଇଥିଲେ। ସ୍ଥାନୀୟ ଲୋକଙ୍କ ସୂଚନା ଆଧାରରେ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ୨ ଜଣ ନାବାଳକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିବା ବେଳେ ଅନ୍ୟ ଜଣେ ନାବାଳକ ଏବେ ବି ନିଖୋଜ ଅଛନ୍ତି। ସୂଚନା ଅନୁସାରେ, ବାଲିସାହି ଅଞ୍ଚଳର କିଛି ନାବାଳକ ମହାନଦୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ ହଠାତ୍ ଗଭୀର ପାଣି ଓ ପ୍ରଖର ସ୍ରୋତରେ ୩ ଜଣ ଭାସିଯାଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀର ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଦୁଇଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଥିଲେ ହେଁ ଜଗତପୁର ବାଲିସାହି ଅଞ୍ଚଳର ନିଖୋଜ ନାବାଳକଙ୍କର ଏପର୍ଯ୍ୟନ୍ତ କୌଣସି ପତ୍ତା ମିଳିନାହିଁ। ନିଖୋଜ ନାବାଳକଙ୍କୁ ଖୋଜିବା ପାଇଁ ଅଗ୍ନିଶମ ବାହିନୀ ପକ୍ଷରୁ ମହାନଦୀରେ ସର୍ଚ୍ଚ ଅପରେସନ୍ ଜାରି ରହିଛି। ତେବେ ନଦୀର ପ୍ରବଳ ସ୍ରୋତ ଯୋଗୁଁ ଉଦ୍ଧାର କାର୍ଯ୍ୟରେ କିଛିଟା ବାଧା ସୃଷ୍ଟି ହେଉଛି। ଏହି ଘଟଣା ପରେ ନିଖୋଜ ନାବାଳକଙ୍କ ପରିବାର ଓ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।