ବାତ୍ୟା ‘ମୁରାସୁ’ ଆଶଙ୍କା: ୩ ଓ ୪ରେ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର: ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ହୋଇଥିବା ବାଦଲଫଟା ବର୍ଷା ଯୋଗୁଁ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାରେ ବନ୍ୟା ଏବଂ ଭୂସ୍ଖଳନ ଜନିତ ଦୁର୍ଦ୍ଦଶା ଏପର୍ଯ୍ୟନ୍ତ ଦୂର ହୋଇନାହିଁ। ବନ୍ୟା ବିପନ୍ନମାନେ ଏବେବି ପାଣିଘେରରେ ରହି ନାହିଁ ନଥିବା କଷ୍ଟ ଭୋଗୁଥିବା ବେଳେ ପାଣିପାଗ ବିଭାଗ ପକ୍ଷରୁ ଆଉ ଏକ ବାତ୍ୟାର ପୂର୍ବାନୁମାନ କରାଯାଇଛି। ଏହା ବିପନ୍ନଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ହେବାକୁ ଯାଉଛି। ଆଉ ଗୋଟିଏ ବାତ୍ୟା ‘ମୁରାସୁ’ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ମାଡ଼ି ଆସୁଛି। ‘ଅର୍ଣ୍ଣବ’ ଯେଉଁଭଳି ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ଥଳଭାଗ ଛୁଇଁ ଉତ୍ତର-ପଶ୍ଚିମ ମୁହାଁ ହୋଇ ଦକ୍ଷିଣ ଓଡ଼ିଶାରେ ଅତି ପ୍ରବଳ ବର୍ଷାଇଥିଲା, ସେହିପରି ‘ମୁରାସୁ’ ମଧ୍ୟ ଆନ୍ଧ୍ର ଉପକୂଳରେ ସ୍ଥଳଭାଗ ଅତିକ୍ରମ କରି ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା କରାଇବ ବୋଲି ଆକଳନ କରାଯାଇଛି। ବିଶେଷକରି ଆସନ୍ତା ୩ ଓ ୪ ତାରିଖରେ ଓଡ଼ିଶାରେ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସ୍ପଷ୍ଟ କରିଛି। ସୃଷ୍ଟ ଲଘୁଚାପଟି ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ତାହାର ପାର୍ଶ୍ବବର୍ତ୍ତୀ ଆଣ୍ଡାମାନ-ନିକୋବର ଦ୍ବୀପପୁଞ୍ଜ ଓ ଆଣ୍ଡାମାନ ସାଗର ଅଞ୍ଚଳରେ ଅବପାତର ରୂପ ନେଇଛି। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଆଗକୁ ବଢ଼ୁଛି। ଆଜି ମଧ୍ୟରାତ୍ରି ସୁଦ୍ଧା ଏହା ଆହୁରି ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବ। ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଦକ୍ଷିଣ-ପୂର୍ବ, ଦକ୍ଷିଣ-ପଶ୍ଚିମ ଓ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ରବିବାର ଏହା ସାମୁଦ୍ରିକ ଝଡ଼ର ରୂପ ନେବ। ଆସନ୍ତା ୨ ତାରିଖ ସୁଦ୍ଧା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ୩ ତାରିଖ ସକାଳେ ଏହା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳରେ ପହଞ୍ଚି ନେଲୋର-ନରଶପୁର ମଧ୍ୟରେ ଭୀଷଣ ବାତ୍ୟା ଭାବେ ସ୍ଥଳଭାଗ ଅତିକ୍ରମ କରିବ। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୧୦ କିଲୋମିଟର ଏବଂ ସ୍ଥଳବିଶେଷରେ ଝଟକା ପବନ ୧୨୦ କିଲୋମିଟର ପର୍ଯ୍ୟନ୍ତ ଛୁଇଁପାରେ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପ୍ରକାଶ କରିଛି।