ଏଥର ଏସି ଟନେଲ ରେ ଯାଇ କରିବେ ଜଗାକୁ ଦର୍ଶନ

ପୁରୀ: ବଡଦାଣ୍ଡରେ ହେବ କ୍ୟୁ ମ୍ୟାନେଜମେଣ୍ଟ ସିଷ୍ଟମ । ଜଗନ୍ନାଥ ଦର୍ଶନ ପାଇଁ ହେବ ସ୍ୱତନ୍ତ୍ର ଏସି ଟନେଲ । ଖରା, ତାତି ଓ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବାକୁ ନିଆଯାଇଛି ଏହି ପଦକ୍ଷେପ । ମାର୍କେଟ ଛକ ଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ଏହି ଏସି ଟନେଲ ରେ ଯାଇ ଜଗାକୁ ଦର୍ଶନ କରିବେ ଭକ୍ତ । ଏନେଇ ବଡଦାଣ୍ଡ ପାର୍ଶ୍ଵରୁ ହଟିବେ ୩୫୦ ଉଠା ଦୋକାନୀ । ଆସନ୍ତା ୫ ତାରିଖ ସୁଦ୍ଧା ଉଠା ଦୋକାନୀ ମାନଙ୍କୁ ଉଚ୍ଛେଦ ପାଇଁ ସମୟ ଦିଆଯାଇଛି ।

ଏହି ୩୫୦ ଟି ଦୋକାନ ଉଠିଵା ପରେ ମର୍ଚିକୋଟ ଛକଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ବଡଦାଣ୍ଡ ଜାଗାକୁ ଉନ୍ନୟନ କାର୍ଯ୍ୟକୁ ଓବିସିସିକୁ ହସ୍ତାନ୍ତର କରାଯିବ। ତେବେ ଉଠା ଦୋକାନୀଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ବଡ ବଜାର ବ୍ୟବସାୟୀ ସଂଘ ଏହି ଚିହ୍ନଟ ପ୍ରକ୍ରିୟାରେ ସାମିଲ ହୋଇନାହିଁ । ଥଇଥାନ ପୂର୍ବରୁ ଉଚ୍ଛେଦକୁ ନା ପସନ୍ଦ କରିଛନ୍ତି ବଡବଜାର ବ୍ୟବସାୟୀ ।

ଗୋଟିଏ ପଟରେ ଭକ୍ତଙ୍କ ସୁବିଧା ପାଇଁ ଶୀତତାପ ନିୟନ୍ତ୍ରିତ ଏହି ଟନେଲ କୁ ରୂପାନ୍ତରିତ କରିବାକୁ ଯୋଜନା କରାଯାଉଥିବା ବେଳେ, ରୋଜଗାର ହରେଇବାକୁ ଥିବା ୩୫୦ ଉଠାଦୋକାନୀଙ୍କୁ ପ୍ରଶାସନ ଥାଇଥାନ କରିବା ନେଇ ଏବେ ପ୍ରଶ୍ନ ଉଠିଛି ।

ସେପଟେ ମର୍ଚିକୋଟ ଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ପ୍ରାୟ ୮୪ ମିଟର ଲମ୍ବ ଓ ୬ ମିଟର ଚୌଡାର ଏସି ଟନେଲ ଭକ୍ତଙ୍କ ଉଦ୍ଦେଶ୍ୟରେ ହେବ । ବଡଦାଣ୍ଡର ଗୋଟିଏ ପାର୍ଶ୍ଵରେ ଏହି ଟନେଲ ନିର୍ମିତ ହେବାକୁ ଥିବାବେଳେ ଭକ୍ତଙ୍କ ବିଶ୍ରାମ ପାଇଁ ମଝିରେ ମଝିରେ ବ୍ୟବସ୍ଥା ରହିବ । ୪୦ ମିଟର ପରେ ରହିବ ୧୪୦ ଫୁଟ ଏକ ଜୋତା ଷ୍ଟାଣ୍ଡ। ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ ଶ୍ରୀକୃଷ୍ଣ ସିନେମା ଗଳି ଠାରୁ ଶନି ମନ୍ଦିର ପର୍ଯ୍ୟନ୍ତ ଅଞ୍ଚଳ ମଧ୍ୟରେ ହେବ ଏହି ବ୍ୟବସ୍ଥା । ସେଇ ଅଞ୍ଚଳ ମଧ୍ୟରେ ହେବ ଶୌଚାଳୟ । ତେବେ ରଥଯାତ୍ରା ସମୟରେ ଏହି ଟନେଲ କୁ ଅନଇନଷ୍ଟଲ କରାଯିବା ସହ ରଥଯାତ୍ରା ପରେ ଏହାକୁ ଇଂଷ୍ଟଲ କରାଯିବ।

ତେବେ ପ୍ରାଥମିକ ପର୍ଯ୍ୟାୟରେ ସିଂହଦ୍ୱାର ଠାରୁ ମର୍ଚିକୋଟ ଛକ ପର୍ଯ୍ୟନ୍ତ ଦୋକାନ ଉଚ୍ଛେଦ ହେବ।ଦୋକାନୀଙ୍କୁ ଥାଇଥାନ କରିବାକୁ ପ୍ରାୟ ଦୁଇମାସ ସମୟ ଲାଗିବ । ଏହି ଦୁଇମାସରେ ପ୍ରତି ଦୋକାନିଙ୍କୁ ୧୫୦୦୦ ଲେଖାଏଁ କ୍ଷତିପୁରଣ ଦେବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ । ତେବେ ବ୍ୟବସାୟୀ ମାନଙ୍କ ଥଇଥାନ ପାଇଁ ସବୁପ୍ରକାର ବ୍ୟବସ୍ଥା କରାଯିବା ନେଇ ଜିଲ୍ଲା ପ୍ରଶାସନ ପ୍ରତିଶୃତି ଦେଇଛି ବୋଲି କହିଛନ୍ତି ଯୁବ ବିଜେଡି ରାଜ୍ୟ ଉପସଭାପତି ଶୁଭାଶିଷ ଖୁଣ୍ଟିଆ ।