ଜାମ୍ମୁ କାଶ୍ମୀରରେ ୩୬ ଘଣ୍ଟା ପରେ ତୃତୀୟ ଥର ପାଇଁ ଆତଙ୍କବାଦୀଙ୍କୁ ମୁହଁତୋଡ ଜବାବ ଦେଇଛି ଭାରତୀୟ ସେନା । ଏହି ଏନକାଉଣ୍ଟରରେ ଅବନ୍ତିପୁରା ଅଞ୍ଚଳରେ ୫ ଜଣ ଆତଙ୍କୀଙ୍କୁ ନିପାତ କରିଛନ୍ତି ସୁରକ୍ଷାକର୍ମୀ । ଶନିବାର ସନ୍ଧ୍ୟାରେ ଅବନ୍ତିପୋରାର ତ୍ରାଲ ଅଞ୍ଚଳରେ ଭାରତୀୟ ସେନା ଏନ୍କାଉଣ୍ଟର କରିଛି । ଯେଉଁଥିରେ ୨ ଜଣ ଆରଙ୍କବାଦୀ ନିହତ ହୋଇଛନ୍ତି । ଏହା ପୂର୍ବରୁ ଶନିବାର ସକାଳେ ମଧ୍ୟ ଶୋପିଆନ୍ ଅଞ୍ଚଳରେ ମଧ୍ୟ ଏନକାଉଣ୍ଟର କରି ଲସ୍କର-ଏ-ତୋଏବାର ୨ ଜଣ ଆତଙ୍କୀଙ୍କୁ ସଫା କରିଥିଲା ଭାରତୀୟ ସେନା । ସେହିଭଳି ଶୁକ୍ରବାର ଅନନ୍ତନାଗରେ ହୋଇଥିବା ଏନ୍କାଉଣ୍ଟରରେ ସୁରକ୍ଷାକର୍ମୀ ଜଣେ ଆତଙ୍କବାଦୀକୁ ସଫା କରିବାରେ ସକ୍ଷମ ହୋଇଥିଲେ । କେବଳ ସେତିକି ନୁହେଁ ୪ ଜଣ ଆତଙ୍କବାଦୀଙ୍କୁ ଗିରଫ ମଧ୍ୟ କରାଯାଇଛି ।
ଅବନ୍ତିପୋରାରେ ହୋଇଥିବା ଏନ୍କାଉଣ୍ଟରର କିଛି ଘଣ୍ଟା ପୂର୍ବରୁ ଶୋପିଆନ୍ ଜିଲ୍ଲାରେ ୨ ଜଣ ଆତଙ୍କବାଦୀଙ୍କୁ ନିହତ କରିଥିଲେ ସୁରକ୍ଷାକର୍ମୀ । ପୋଲିସର ଜଣେ ଅଧିକାରୀ କହିଛନ୍ତି, ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ଗୁପ୍ତ ସୂଚନା ମିଳିବା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଶୋପିଆନ୍ର ଚୌଗାମ୍ ଅଞ୍ଚଳରେ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଥିଲା ।
ଏହି ସମୟରେ ସେଠାରେ ଲୁଚିଥିବା ଆତଙ୍କବାଦୀମାନେ ପ୍ରଥମେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ କରିଥିଲେ । ଜବାବରେ ସୁରକ୍ଷାକର୍ମୀ ମଧ୍ୟ ଗୁଳିଚାଳନା କରିଥିଲେ । ଉଭୟ ପକ୍ଷରୁ ପ୍ରବଳ ଗୁଳିମାଡ ହୋଇଥିବା ବେଳେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ତେବେ ନିହତ ହୋଇଥିବା ଆତଙ୍କୀ ପ୍ରକୃତରେ କେଉଁ ସଂଗଠନର ତାହା ସ୍ପଷ୍ଟ ହୋଇନାହିଁ । ଶୁକ୍ରବାର ଅନନ୍ତନାଗରେ ହୋଇଥିବା ଏନ୍କାଉଣ୍ଟରେ ହିଜ୍ବୁଲ ମୁଜାହିଦ୍ଦିନ ସଂଗଠନର ଜଣେ ଆତଙ୍କବାଦୀ ନିହତ ହୋଇଥିଲା । ନିହତ ହୋଇଥିବା ଆତଙ୍କବାଦୀ ଙ୍କ ନିକଟରୁ ଦୁଇଟି AK-47 ରାଇଫଲ, ଚାରିଟି AK ମାଗାଜିନ ଏବଂ ୩୨ ଟି ଗୁଳି ସହିତ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରାଯାଇଛି।