ତାପଜ କୋଇଲା ଆମଦାନି ପ୍ରସଙ୍ଗ: ଖୁବଶୀଘ୍ର ଚୀନ୍‌କୁ ଟପିବ ଭାରତ

ନୂଆଦିଲ୍ଲୀ/ସିଙ୍ଗାପୁର: ତାପଜ କୋଇଲା ଆମଦାନି ପ୍ରସଙ୍ଗରେ ଏସିଆର ଦୁଇ ବୃହତ ଶକ୍ତି ଚୀନ୍ ଓ ଭାରତ ସର୍ବାଗ୍ରେ ରହିଛନ୍ତି । ଚୀନ୍ ଏହି ପ୍ରସଙ୍ଗରେ ସାମାନ୍ୟ ଆଗୁଆ ରହିଛି । ତେବେ ଭାରତ କୋଇଲା ଆମଦାନୀ ପରିମାଣକୁ ବୃଦ୍ଧି କରିବା ସହ ଖୁବଶୀଘ୍ର ଚୀନ୍‌କୁ ଅତିକ୍ରମ କରିବ ବୋଲି ଜଣାପଡିଛି । ୨୦୨୨ ଶେଷ ସୁଦ୍ଧା ଭାରତର ତାପଜ କୋଇଲା ଆମଦାନି ୧୫୮ ନିୟୁତ ଟନ୍‌ରେ ପହଞ୍ଚିବ ବୋଲି ଆଶା କରାଯାଉଛି । ଗତବର୍ଷ ତୁଳନାରେ ଏହା ୩ ପ୍ରତିଶତ ଅଧିକ । ଏପରିକି ୨୦୨୩ରେ ଏହା ଆଉ ୩ ପ୍ରତିଶତ ବୃଦ୍ଧି ପାଇ ୧୬୩ ନିୟୁତ ଟନ୍ ଛୁଇଁବ ବୋଲି ଆଶା କରାଯାଉଛି । ଭାରତ ମୁଖ୍ୟତଃଭାବେ ଇଣ୍ଡୋନେସିଆ ଓ ରୁଷରୁ କୋଇଲା ଆମଦାନି କରୁଛି । ଚଳିତବର୍ଷ ଫେବୃଆରୀରେ ରୁଷ-ୟୁକ୍ରେନ ଯୁଦ୍ଧ ଲାଗିବାପରେ ରୁଷ୍‌ରୁ କୋଇଲା ଆମଦାନି କିଛିଦିନ ପାଇଁ ବାଧାପ୍ରାପ୍ତ ହୋଇଥିଲା । ତେବେ ଦୀର୍ଘବର୍ଷର ବନ୍ଧୁତ୍ୱକୁ ଦୃଷ୍ଟିରେ ରଖି ରୁଷ୍ ଭାରତକୁ କୋଇଲା ରପ୍ତାନୀ ଅବ୍ୟାହତ ରଖିବାକୁ ନିଷ୍ପତ୍ତି ନେଇଥିଲା । ଏହି ତୁଳନାରେ ଚଳିତବର୍ଷ ଶେଷ ସୁଦ୍ଧା ଚୀନ୍‌ର କୋଇଲା ଆମଦାନି ୨୪୬ ନିୟୁତ ଟନ୍‌ରୁ ୧୮୨ ନିୟୁତ ଟନ୍ ହ୍ରାସ ପାଇବ ବୋଲି ଉଡ୍ ମ୍ୟାକେଞ୍ଜି ସଂସ୍ଥା ପକ୍ଷରୁ କୁହାଯାଇଛି । ୨୦୨୩ରେ ଏହା ଆହୁରି ହ୍ରାସ ପାଇ ୧୭୬ ନିୟୁତ ଟନ୍‌ରେ ପହଞ୍ଚିବ ବୋଲି ଆକଳନ କରାଯାଇଛି । କୋଭିଡ୍ ଯୋଗୁଁ ଚୀନ୍‌ର ଅଧିକାଂଶ ସହରରେ ବର୍ତ୍ତମାନ ଲକ୍‌ଡାଉନ ଜାରି ରହିଥିବାରୁ କୋଇଲା ଆମଦାନି ବାଧାପ୍ରାପ୍ତ ହେଉଥିବା ଜଣାପଡିଛି । ଅପରପକ୍ଷରେ ଭାରତରେ ବିଜୁଳି ଶକ୍ତିର ଚାହିଦା ଦିନକୁ ଦିନ ବୃଦ୍ଧି ପାଉଥିବାରୁ କୋଇଲା ଆମଦାନି ମଧ୍ୟ ଅନୁରୂପଭାବେ ବୃଦ୍ଧି ପାଉଥିବା ଜଣାପଡିଛି । ୨୦୨୨ ଅଗଷ୍ଟ ସୁଦ୍ଧା ଭାରତର କୋଇଲା ଆମଦାନି ୧୨ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ଚୀନ୍‌ର ଆମଦାନି ପରିମାଣ ୨୬ ପ୍ରତିଶତ ହ୍ରାସ ପାଇଛି । କୋଭିଡ୍ ଯୋଗୁଁ ଚୀନ୍‌ର ଅର୍ଥନୀତି କଚ୍ଛପ ଗତିରେ ଅଗ୍ରଗତି କରୁଥିବାବେଳେ ଭାରତୀୟ ଅର୍ଥନୀତି ଊର୍ଦ୍ଧ୍ୱଗାମୀ ହେବାରେ ଲାଗିଛି । ନିକଟରେ ବ୍ରିଟେନକୁ ପଛରେ ପକାଇ ଭାରତ ବିଶ୍ୱର ୫ମ ବୃହତ୍ତମ ଅର୍ଥନୀତିଭାବେ ମାନ୍ୟତାଲାଭ କରିଛି । ଭାରତକୁ କୋଇଲା ଯୋଗାଇବାରେ ଚଳିତବର୍ଷ ଆମେରିକାକୁ ପଛରେ ପକାଇଛି ରୁଷ୍ । ୨୦୨୨ ଅଗଷ୍ଟ ସୁଦ୍ଧା ରୁଷ୍‌ରୁ ଭାରତକୁ କୋଇଲା ଯୋଗାଣ ୨୮ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ଇଣ୍ଡୋନେସିଆରୁ ଆସୁଥିବା କୋଇଲା ପରିମାଣରେ ୪୩ ପ୍ରତିଶତ ବୃଦ୍ଧି ଘଟିଛି । ଭାରତରେ କୋଇଲାର ଘରୋଇ ଉତ୍ପାଦନ ଚାହିଦାକୁ ପୂରଣ କରିବାରେ ଅସମର୍ଥ ହେଉଥିବାରୁ ବିଦେଶରୁ ଆମଦାନି ଉପରେ ମୁଖ୍ୟତଃ ନିର୍ଭର କରିବାକୁ ପଡୁଛି ।