୨୦୨୪ ରେ ହେବ ମହା ଲଢେଇ : ମୁଁହା ମୁଁହି ହେବେ ଶ୍ରୀମୟୀ ଅପରାଜିତା

ଆଉ ମାତ୍ର କିଛି ମାସ ପରେ ରାଜ୍ୟରେ ଅନୁଷ୍ଠିତ ହେବ ବିଧାନସଭା ଓ ଲୋକସଭା ନିର୍ବାଚନ । ଯଦି ସବୁକିଛି ଠିକଠାକ୍ ରୁହେ, ତେବେ ଆସନ୍ତା ୨୦୨୪ ଲୋକସଭା ନିର୍ବାଚନରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ଏକ ମହାଲଢ଼େଇ ଦେଖିବାକୁ ମିଳିପାରେ । ୨୦୧୯ ଲୋକସଭା ନିର୍ବାଚନରେ ବିଜେଡି ଉତ୍ତର, ମଧ୍ୟ ଓ ଏକାମ୍ର ବିଧାନସଭା ଆସନରେ ଜିତିଥିଲା ବେଳେ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ବିଜେଡିର ଅରୁପ ପଟ୍ଟନାୟକଙ୍କୁ ପରାସ୍ତ କରିଥିଲେ ।

ତେବେ ରାଜ୍ୟର ମେରୁଦଣ୍ଡ କୁହାଯାଉଥିବା ଭୁବନେଶ୍ୱର ଲୋକସଭା ଆସନର ଫଳାଫଳ ଶାସକ ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ହୋଇଥିଲା । ତେଣୁ ପୂର୍ବଥରର ଭୁଲକୁ ସୁଧାରି ଏଥର ବିଜେଡି ଭୁବନେଶ୍ୱର ଆସନକୁ ଅକ୍ତିଆର କରିବାକୁ ଲକ୍ଷ୍ୟ ରଖିଛି । ତେବେ ରାଜଧାନୀରେ ଅପରାଜିତାଙ୍କୁ ଚେକ୍ ଦେବା ପାଇଁ ବିଜେଡି ଜଣେ ଦକ୍ଷ ମହିଳା ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ଆଗକୁ ଆଣିଛି । ସେଥିପାଇଁ କିଛିମାସ ତଳେ ସୁପ୍ରିମୋ ନବୀନ ପଟ୍ଟନାୟକ ଭୁବନେଶ୍ୱରର ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ଭାବେ ଶ୍ରୀମୟୀଙ୍କୁ ଦାୟିତ୍ୱ ଦେଇଥିଲେ ।

ନୂଆ ନିଯୁକ୍ତି ପାଇବା ପେରେ ପରେ ଅପରାଜିତା-ଶ୍ରୀମୟୀଙ୍କ ମଧ୍ୟରେ କଥା କଟାକଟି ଦେଖିବାକୁ ମିଳିଥିଲା । ଅପରାଜିତା ରାଜ୍ୟର ଶାସନ ବ୍ୟବସ୍ଥାକୁ ନେଇ ବିଜେଡି ସରକାର ଉପରେ ଆକ୍ରମଣ କରିଥିବା ବେଳେ ଶ୍ରୀମୟୀ ମଧ୍ୟ ଅପରାଜିତାଙ୍କୁ ଛାଡ଼ିନଥିଲେ । ତେବେ ଏହା ମଧ୍ୟରେ ବିଜେଡି ଶିବିରରୁ ଆସିଛି ଏକ ବଡ଼ ଖବର । ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ଶ୍ରୀମୟୀଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି ବରିଷ୍ଠ ନେତା ମନ୍ତ୍ରୀ ଅଶୋକ ପଣ୍ଡା ।