ମହାନଦୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ

ଭୁବନେଶ୍ବର: ସନ୍ତରଣ ଶିକ୍ଷା କରିବା ହେଲା କାଳ। ମହାନଦୀକୁ ସନ୍ତରଣ ଶିକ୍ଷା କରିବା ଲାଗି ଯାଇଥିବା ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ରବିବାର ସକାଳେ କଟକର ଯୋବ୍ରା ବ୍ୟାରେଜ୍‌ରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତ ଯୁବକ ଜଣଙ୍କ ହେଲା ସୋହେଲ୍ ଖାନ୍। ତାଙ୍କ ଘର କଟକର ପୀର୍ ବଜାର ଅଞ୍ଚଳରେ ବୋଲି ଜଣାପଡ଼ିଛି।  ପ୍ରକାଶ ଯେ ସୋହେଲେ ଆଜି ସକାଳେ ସନ୍ତରଣ ଶିଖିବା ପାଇଁ ଯୋବ୍ରା ବ୍ୟାରେଜ ନିକଟକୁ ଆସିଥିଲେ। ତାଙ୍କ ସହିତ ଆହୁରି ୨୦ରୁ ୨୫ ଜଣ ସନ୍ତରଣ ଶିଖିବାକୁ ଆସିଥିଲେ। ଜଗତପୁରରେ ଖୋଲିଥିବା ଏକ ସନ୍ତରଣ ତାଲିମ କେନ୍ଦ୍ର ପକ୍ଷରୁ ସେମାନଙ୍କୁ ତାଲିମ ଦିଆଯାଉଥିଲା। ତେବେ ଏତେ ସଂଖ୍ୟକ ପିଲାଙ୍କ ପାଇଁ ଜଣେ ପ୍ରଶିକ୍ଷକ ସେଠାରେ ଉପସ୍ଥିତ ଥିଲେ ବୋଲି ଜଣାପଡ଼ିଛି। ସନ୍ତରଣ ଶିଖୁଥିବା ବେଳେ ସକାଳ ପ୍ରାୟ ସାଢ଼େ ୯ଟା ବେଳେ ସୋହେଲେ ବୁଡ଼ି ଯାଇଥିଲେ। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲା। ପ୍ରାୟ ଘଣ୍ଟାଏ ଧରି ଖୋଜାଖୋଜି କରିବା ପରେ ସୋହେଲଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା। ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ଜଗତପୁର ଥାନା ପୁଲିସ୍ ଘଟଣାର ତଦନ୍ତ କରୁଛି।

ପୁଲିସ୍ ଉକ୍ତ ସନ୍ତରଣ ତାଲିମ କେନ୍ଦ୍ର ଚଳାଉଥିବା ବ୍ୟକ୍ତି ଓ ପ୍ରଶିକ୍ଷକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଏତେ ସଂଖ୍ୟକ ପିଲାଙ୍କୁ ସେଠାରେ ସନ୍ତରଣ ତାଲିମ ଦେବା ବେଳେ କ’ଣ ସବୁ ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ଓ କାହିଁକି ଏମିତି ଏକ ଅଘଟଣ ଘଟିଲା, ସେ ସବୁ ବିଷୟରେ ପୁଲିସ୍ ସେମାନଙ୍କୁ ପଚରାଉଚରା କରୁଛି।­­