କଲେଜ ସାମ୍ନାରେ ଯୁବତୀଙ୍କୁ ନିର୍ମମ ହତ୍ୟା

ନୂଆଦିଲ୍ଲୀ: ଦିଲ୍ଲୀସ୍ଥିତ ମାଲବୀୟ ନଗରରୁ ଶୁକ୍ରବାର ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ‌ହୋଇଥିବା ଜଣାପଡ଼ିଛି।ସୂଚନାଯୋଗ୍ୟ, କମଳା ନେହେରୁ କଲେଜକୁ ପାଠପଢ଼ିବାକୁ ଯାଇଥିବା ଯୁବତୀଙ୍କୁ କଲେଜ ସାମ୍ନାରେ ଜଣେ  ଯୁବକ ଲୁହା ରଡ଼ରେ ଆକ୍ରମଣ କରିଥିଲେ। ଯୁବତୀ ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ିଯାଇଥିବା ବେଳେ କିଛି ସମୟ ପରେ ତାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ଖବର ପ‌ାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଏଥିସହିତ ପୁଲିସ କଲେଜର ଛାତ୍ରଛାତ୍ରୀ ତଥା ଆଖପାଖର ଲୋକଙ୍କୁ ପଚରାଉଚରା ଜାରି ରଖିଛି। ଏତଦ ବ୍ୟତୀତ ପୁଲିସ ଘଟଣାସ୍ଥଳରେ ଲାଗିଥିବା ସିସିଟିଭି ଫୁ‌ଟେଜ ଜରିଆରେ ତଦନ୍ତ ଆରମ୍ଭ କରିଛି।

ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ହତ୍ୟାର କାରଣ କିମ୍ବା ହତ୍ୟାକାରୀର ପରିଚୟ ମିଳି ପାରି ନଥିଲା।

ତେବେ ଏହି ହତ୍ୟା ଘଟଣାକୁ ନେଇ ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ଶ୍ବାତି ଚିନ୍ତା ବ୍ୟକ୍ତ କରିଛନ୍ତି। ଗତ ୨୪ଘଣ୍ଟା ମଧ୍ୟରେ ଦିଲ୍ଲୀରେ ଦୁଇଟି ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରାଯିବା ଘଟଣା ଅତ୍ୟନ୍ତ ଗମ୍ଭୀର ରହିଛି। ଦିଲ୍ଲୀ ସମ୍ପୂର୍ଣ୍ଣ ଭାବେ ଅସୁରକ୍ଷିତ ହୋଇଗଲାଣି। ଦିନକୁ ଦିନ ଅପରାଧ ସଂଖ୍ୟା ଏଠାରେ ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ଜଣେ ଯୁବକ ମହିଳାଙ୍କୁ ଗୁଳି କରି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିବା  ଘଟଣା ସାମ୍ନାକୁ ଆସିଥିଲା। ଏହାପୂର୍ବରୁ ବି ଏମିତି ହତ୍ୟାଘଟଣା ସାମ୍ନାକୁ ଆସିବା ଏକ ଚିନ୍ତାର କାରଣ ପାଲଟିଛି।