ଢେଙ୍କାନାଳ ଠାରେ ଆଜିଠାରୁ ବିଶ୍ୱପ୍ରସିଦ୍ଧ ଯୋରନ୍ଦାମେଳା

ଆଜିଠାରୁ ଆରମ୍ଭ ହୋଇଛି ଢେଙ୍କାନାଳର ବିଶ୍ବ ପ୍ରସିଦ୍ଧ ଅଲେଖ ଧର୍ମାଲମ୍ବି ମାନଙ୍କର ଯୋରନ୍ଦା ମେଳା । ଦୁଇଦିନ ଧରି ଚାଲିବାକୁ ଥିବା ଯୋରନ୍ଦା ମେଳା ପାଇଁ ଚଳଚଞ୍ଚଳ ମହିମା ଧର୍ମର ମୁଖ୍ୟ ପୀଠ ଢେଙ୍କାନାଳର ମହିମାଗାଦି । ମାଘ ଚତୁର୍ଦ୍ଦଶୀ ମହିମା ଗୋଷାଇଁଙ୍କ ମହାପ୍ରୟାଣ ଦିବସରେ ଆରମ୍ଭ ହୁଏ ଏହି ମେଳା I ଢେଙ୍କାନାଳର ଯୋରନ୍ଦା ସ୍ଥିତ ମହିମାଗାଦିର ମହିମା ସାଧୁ ମାନେ ଚଳିତ ବର୍ଷ ୧୪୯ତମ ବାର୍ଷିକ ଉତ୍ସବ ପାଳୁଛନ୍ତି । ଏଥିରେ ଦେଶର କୋଣ ଅନୁକୋଣରୁ ଶହ ଶହ ମହିମା ସାଧୁଙ୍କ ସମାଗମ ହୋଇଥାଏ । ଉଭୟ ବକ୍କଳଧାରୀ ଏବଂ କୌପୁନିଧାରୀଙ୍କ ଗାଦି ମନ୍ଦିର, ଧୁନି ମନ୍ଦିର, ବତୀ ମନ୍ଦିରରେ ଅପରାହ୍ନ ୫ଟାରୁ ଝାଡବତୀ ପ୍ରଜଳନ କରାଯିବ ।ମାତ୍ର କୋଭିଡ଼ ସଂକ୍ରମଣକୁ ଆଶଙ୍କା କରି ଚଳିତ ବର୍ଷ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ମେଳା ଉପରେ କଟକଣା ଜାରି କରାଯାଇଛି ।

ଖବର ଅନୁଯାୟୀ, ଏହି ମେଳା ଏକ ସପ୍ତାହ ବ୍ୟାପୀ ହେବା ବଦଳରେ ମହିମା ସନ୍ୟାସୀ ମାନେ କେବଳ ନୀତିକାନ୍ତିରେ ମେଳାକୁ ସୀମିତ ରଖିଛନ୍ତି । ଆଜି ବାବା ମାନଙ୍କ ପ୍ରଭୁ ପୂର୍ଣ୍ଣିମା ଓ ଆସନ୍ତାକାଲି ଗୁରୁ ପୂର୍ଣ୍ଣିମା ପାଳନ କରି ମେଳା ଉଦଯାପିତ କରିବେ । ଜିଲ୍ଲା ତଥା ରାଜ୍ୟ ବାହାର ଭକ୍ତଂକୁ ମହିମା ଗାଦିକୁ ବାରଣ ରହିଛି । ମହିମା ଧର୍ମର ସନ୍ୟାସୀ ମାନଙ୍କ ତ୍ରିସନ୍ଧ୍ୟା ଶରଣ ଦର୍ଶନ ପରମ୍ପରା ମୁତାବକ ଆଜି ପ୍ରାତଃ ୪ଟାରୁ ମହିମା ସନ୍ୟାସୀ ମାନେ ନୀତିକାନ୍ତି ଆରମ୍ଭ କରିଦେଇଛନ୍ତି । ମୁଖ୍ୟ ଗାଦିମନ୍ଦିରରେ ଶିଦ୍ଧ ବକଳ ଧାରୀ ମହିମା ସନ୍ୟାସୀ ମାନେ ରୁପା ଗରାରେ ଜଳ ଛିଞ୍ଚନ ପରେ କର୍ପୂର ଅଗୁର ପ୍ରଭୁତି ମିଶାଇ ଛେରା ପହଁରା କରିଛନ୍ତି । ପରେ ସୁନା ଚାମର ବ୍ୟଜନ କରି ମହିମା ଗୋସାଇଁ ଙ୍କ ବାଲ୍ୟ ଲୀଳା ନୀତି କାନ୍ତି କରି ସାରିଛନ୍ତି । ବଳ୍‌କଳଧାରୀ ମହିମା ସମାଜ ତରଫରୁ ଯେଉଁ ସନ୍ନ୍ୟାସୀମାନେ ବଳ୍‌କଳ ପାଇବାକୁ ଯୋଗ୍ୟ ଏବଂ କୌପୀନଧାରୀ ସମାଜ ପକ୍ଷରୁ ଯେଉଁମାନେ ଆଡ଼ବନ୍ଧ ପାଇବା ପାଇଁ ମନୋନୀତ ହୁଅନ୍ତି ସେମାନଙ୍କୁ ତାହା ପ୍ରଦାନ କରାଯାଏ । ଏହି ଉତ୍ସବ ଦେଖିବା ପାଇଁ ସାଧାରଣ ଭକ୍ତଙ୍କୁ ଅନୁମତି ନଥାଏ ।
ସେହିପରି ମେଳାର ପରମ୍ପରା ମୁତାବକ ମୁଖ୍ୟ ଗାଦି ମନ୍ଦିର ଦ୍ୱିତୀୟ ବେଢାରେ ଅଖଣ୍ଡ ଧ୍ୱନି ସ୍ଥାପନ କରି ମହିମା ସାଧୁ ମନେ ଜଗତର କଲ୍ୟାଣ ପାଇଁ ଘୃତହୁତି କରୁଛନ୍ତି । ମଧ୍ୟାହ୍ନ ୧୨ଟା ୩୦ରେ ମଧ୍ୟନ୍ନ ନୀତି କରାଯିବ । ପରେ ଅପରାହ୍ନ ୪ଟାରୁ ସନ୍ଧ୍ୟା ନୀତି ଆରମ୍ଭ ହୋଇ ୫ଟା ୧୫ସୁଦ୍ଧା ଶେଷ କରାଯିବ ।