ଭୁବନେଶ୍ୱର: ବଦଳୁଛି ସମୟ ଏବଂ ଏହି ଡିଜିଟାଲ ଯୁଗରେ ରାଜସ୍ୱ ପ୍ରଶାସନର ଭୂମିକା ମଧ୍ୟ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଛି। ଭୂ-ପରିଚାଳନା କ୍ଷେତ୍ରରେ ଦୁର୍ନୀତିମୁକ୍ତ ଏବଂ ସ୍ୱଚ୍ଛ ଶାସନ ପ୍ରଦାନ କରିବା ସରକାରଙ୍କ ପ୍ରାଥମିକତା। ଏହି ପରିପ୍ରେକ୍ଷୀରେ ନୂଆ କରି ପ୍ରଶାସନିକ ସେବାରେ ଯୋଗ ଦେଉଥିବା ଅଧିକାରୀମାନେ ଏକ ବିକଶିତ ତଥା ‘ନୂଆ ଓଡ଼ିଶା’ର ସ୍ୱପ୍ନ ଦେଖିବା ଜରୁରୀ ବୋଲି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ପ୍ରକାଶ କରିଛନ୍ତି। ଗୋଠପାଟଣାସ୍ଥିତ ରାଜସ୍ୱ ଅଧିକାରୀ ପ୍ରଶିକ୍ଷଣ ପ୍ରତିଷ୍ଠାନ ପରିସରରେ ଆୟୋଜିତ ଓଡ଼ିଶା ରାଜସ୍ୱ ସେବା ୨୦୨୩ ବ୍ୟାଚ୍ର ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସେ ଏହି ଆହ୍ୱାନ ଦେଇଛନ୍ତି। ଜମିଜମା କ୍ଷେତ୍ରରେ ସଚ୍ଚୋଟତାକୁ ସର୍ବାଧିକ ଗୁରୁତ୍ଵ ଦେବାକୁ କହିବା ସହ ରାଜ୍ୟରେ ଥିବା ୧ କୋଟି ୧୯ ଲକ୍ଷ ଏକର ସରକାରୀ ଜମିକୁ ସୁରକ୍ଷା ଦେବା ଦାୟିତ୍ଵ ଓଡ଼ିଶାର ରାଜସ୍ୱ ଅଧିକାରୀଙ୍କର ବୋଲ କହିଛନ୍ତି । ଓଡ଼ିଶାକୁ ୨୦୩୬ରେ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ସେ ଅଧିକାରୀମାନଙ୍କୁ ଆହ୍ଵାନ ଦେଇଛନ୍ତି । ପରିଶେଷରେ ଦୁଇ ଜଣ ରାଜସ୍ୱ ବିଶେଷଜ୍ଞଙ୍କୁ ସମ୍ମାନିତ କରିଛନ୍ତି ।