ପ୍ରଧାନମନ୍ତ୍ରୀ ମୋଦି ଙ୍କ ସାନ୍ତ୍ୱନା ବାର୍ତା ପାଇ କାନ୍ଦି ପକାଇଲେ ମହିଳା ହକି ଖେଳାଳି

ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା ହକି ଟିମ୍ କାଂସ୍ୟ ପଦକ ମ୍ୟାଚରେ ଗ୍ରେଟ୍ ବ୍ରିଟେନ୍ ନିକଟରୁ ୩-୪ ଗୋଲରେ ପରାସ୍ତ ହୋଇଛି। କାଂସ୍ୟ ପଦକ ମୁକାବିଲାରେ ହାରିଥିଲେ ମଧ୍ୟ ୧୩୦ କୋଟି ଦେଶବାସୀଙ୍କ ହୃଦୟ ଜିଣିଛନ୍ତି। ତେବେ ପରାଜୟରେ ମ୍ରିୟମାଣ ଖେଳାଳିଙ୍କୁ ସାନ୍ତ୍ଵନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ମୋଦୀ ଫୋନ କରିବା ମାତ୍ରେ ଖେଳାଳି ଭୋ ଭୋ ହୋଇ କାନ୍ଦି ଉଠିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ଖେଳାଳିଙ୍କୁ ସାନ୍ତ୍ଵନା ଦେଇ ଉତ୍ସାହିତ କରିଥିଲେ ଏବଂ ଆପଣ ଦେଶର ଗର୍ବ ବୋଲି କହିଛନ୍ତି। ଉଲ୍ଲେଖନୀୟ ଭାରତୀୟ ମହିଳା ହକି ଦଳ ଅଲିମ୍ପିକ୍ସ ଇତିହାସରେ ପ୍ରଥମ ଥର ସେମି ଫାଇନାଲରେ ପହଞ୍ଚିଥିଲେ। ଦଳ ଆର୍ଜେଣ୍ଟିନା ନିକଟରୁ ପରାଜିତ ହୋଇଥିଲା। ଏହା ପରେ ବ୍ରିଟେନଠୁ ୩-୪ରେ ହାରି କାଂସ୍ୟ ପଦକ ଜିତିବାରୁ ବଞ୍ଚିତ ହୋଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମହିଳା ଖେଳାଳିଙ୍କ ପ୍ରଦର୍ଶନ ପାଇଁ ଖୁବ୍ ପ୍ରଶଂସା କରିଛନ୍ତି। ମ୍ୟାଚ୍ ଶେଷ ହେବା ପରେ ପିଏମ୍ ମୋଦି ମହିଳା ଟିମ୍ ସହ ଫୋନ୍ ଯୋଗେ କଥା ହୋଇଥିଲେ। କଥାବାର୍ତ୍ତା ବେଳେ ମହିଳା ହକି ଟିମର ସବୁ ଖେଳାଳି ଭାବବିହ୍ୱଳ ହୋଇଯାଇଥିଲେ। ପ୍ରଧାନମନ୍ତ୍ରୀ ଫୋନରେ କଥା ହୋଇ ମହିଳାଙ୍କ ଆତ୍ମବିଶ୍ୱାସ ବଢ଼ାଇଥିଲେ। ମୋଦି କହିଛନ୍ତି, ଆପଣମାନେ ସମସ୍ତେ ଭଲ ଖେଳିଛନ୍ତି। ଗତ ୫-୬ ବର୍ଷ ଧରି ଆପଣମାନେ ଏହି ଖେଳ ପାଇଁ ଖୁବ୍ ଝାଳ ବୁହାଇଛନ୍ତି। ଆପଣଙ୍କ ଏହି ଝାଳବୁହା ପରିଶ୍ରମ ପଦକ ସିନା ଦେଇପାରିଲା ନାହିଁ, କିନ୍ତୁ ଏହା ଦେଶର ଝିଅମାନଙ୍କ ପାଇଁ ପ୍ରେରଣା ପାଲଟିଛି। ମୁଁ ଟିମର ସବୁ ସଦସ୍ୟ ଓ କୋଚଙ୍କୁ ବଧେଇ ଜଣାଉଛି।

Comments (0)
Add Comment