ନିର୍ଦ୍ଧାରିତ ସମୟ ପୂର୍ବରୁ ବନ୍ଦ ହେଲା ସଂସଦର ଶୀତ କାଳୀନ ଅଧିବେଶନ, ମାତ୍ର ୧୦ ଟି ବିଲ ହେଲା ପାରିତ

ବିରୋଧୀଙ୍କ ବାରମ୍ବାର ହଟ୍ଟଗୋଳ ଓ ନାରାବାଜୀ ଯୋଗୁ ସଂସଦର ଶୀତ ଅଧିବେଶନକୁ ଆଜି ଶେଷ କରାଯାଇଛି । ଧାର୍ଯ୍ୟ ସମୟର ଗୋଟିଏ ଦିନ ପୂର୍ବରୁ ଲୋକସଭା ଓ ରାଜ୍ୟସଭାର ପ୍ରକ୍ରିୟା ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଥିଲା। ନଭେମ୍ବର ୨୯ ରେ ଶୀତ ଅଧିବେଶନ ଆରମ୍ଭ ହୋଇଥିଲା ଏବଂ ଡିସେମ୍ବର ୨୩ ପର୍ଯ୍ୟନ୍ତ ଜାରି ରଖିବାକୁ ସ୍ଥିର ହୋଇଥିଲା ଇ ତେବେ ୧୮ଟି କାର୍ଯ୍ୟ ଦିବସ ମଧ୍ୟରେ ସଂସଦ ଚାଲିପାରିଥିଲା I
ଏହି ସମୟରେ ହଟ୍ଟଗୋଳ ଯୋଗୁ କେତେ ସମୟ ନଷ୍ଟ ହୋଇଛି? କେଉଁ ସବୁ ବିଲ୍‌ର ସ୍ଥିତି କେମିତି ଅଛି, ସେ ବିଷୟରେ ଆସନ୍ତୁ ଜାଣିବା।
ମଙ୍ଗଳବାର ସୁଦ୍ଧା ସଂସଦରେ ମୋଟ ୧୨ଟି ବିଲ୍‌ ଉପସ୍ଥାପନ କରାଯାଇଥିଲା। ପୂରା ଅଧିବେଶନରେ ୧୦ଟି ବିଲ୍‌ ପାରିତ ହୋଇଛି। ଏହା ମଧ୍ୟରେ ପୂର୍ବ ଅଧିବେଶନରେ ଉପସ୍ଥାପିତ ହୋଇଥିବା ଦୁଇଟି ବିଲ୍ ରହିଛି। ମିଳିଥିବା ସୂଚନା ଅନୁଯାୟୀ, ଶୀତ ଅଧିବେଶନ ସମୟରେ ଲୋକସଭାରେ ବିଭିନ୍ନ ବିଧେକୟ ଉପରେ କେବଳ ୨୬.୫ ଘଣ୍ଟା ଆଲୋଚନା ହୋଇଥିଲା। ସେହିପରି ୩୭ ଘଣ୍ଟାରୁ ଅଧିକ ସମୟ ଅଣ ବିଧେୟକ କାର୍ଯ୍ୟ ଉପରେ ଆଲୋଚନା ହୋଇଛି। ରାଜ୍ୟସଭାରେ ମୋଟ ୨୧.୭ ଘଣ୍ଟା ପାଇଁ ବିଭିନ୍ନ ବିଧେୟକ ଉପରେ ଆଲୋଚନା ହୋଇଥିବା ବେଳେ ଗୃହ ମୋଟ ୪୫.୪ ଘଣ୍ଟା ଧରି କାର୍ଯ୍ୟ କରିଥିଲା।
ଅନ୍ୟପକ୍ଷରେ ୧୦ଟି ବିଲ୍‌ ପାସ ହୋଇଥିଲେ ମଧ୍ୟ ଏହା ଉପରେ ବହୁତ କମ ସମୟ ଧରି ଆଲୋଚନା ହୋଇଥିବା ସଂସଦ ପକ୍ଷରୁ ମିଳିଥିବା ସୂଚନାରୁ ସ୍ପଷ୍ଟ ହୋଇଛି। ଲୋକସଭାରେ କୃଷି ଆଇନ ପ୍ରତ୍ୟାହାର ପାଇଁ ଆସିଥିବା ବିଲ୍‌ କେବଳ ୨ ମିନିଟ୍‌ ଭିତରେ ପାସ୍‌ ହୋଇଥିଲା। ସେହିପରି ରାଜ୍ୟସଭାରେ ଏଥିପାଇଁ ୮ ମିନିଟ୍‌ ସମୟ ଲାଗିଥିଲା।
ଗୁରୁତ୍ୱପୂର୍ଣ୍ଣ Assisted Reproductive Technology Regulation Billକୁ ନେଇ ଲୋକସଭାରେ ୩ ଘଣ୍ଟା ୫୧ ମିନିଟ୍‌ ଧରି ଆଲୋଚନା ହୋଇଥିଲା। ଏଥିରେ ୧୮ ଜଣ ସାଂସଦ ଭାଗ ନେଇଥିଲେ। କିନ୍ତୁ ରାଜ୍ୟସଭାରେ ଏହା ଉପରେ କେବଳ ୧ ଘଣ୍ଟା ୧୭ ମିନିଟ୍‌ ଧରି ଆଲୋଚନା ହୋଇଥିଲା ଓ ୧୪ ଜଣ ସାଂସଦ ଭାଗ ନେଇଥିଲେ।
ଶୀତ ଅଧିବେଶନରେ ପାରିତ ହୋଇଥିବା ହାଇକୋର୍ଟ ଓ ସୁପ୍ରିମକୋର୍ଟ ବିଚାରପତିଙ୍କ ଦରମା ଓ ସର୍ଭିସ ସର୍ତ୍ତ ସଂକ୍ରାନ୍ତ ସଂଶୋଧନ ବିଲ୍‌ ଉପରେ ସର୍ବାଧିକ ୯ ଘଣ୍ଟା ୨୭ ମିନିଟ୍‌ ଧରି ଆଲୋଚନା ହୋଇଛି। ଏହି ବିଲ୍‌ ଉପରେ ଲୋକସଭାର ୨୭ ଜଣ ଓ ରାଜ୍ୟସଭାର ୧୭ ଜଣ ସାଂସଦ ନିଜର ମତ ରଖିଥିଲେ।
ଏହା ପଛକୁ ଡ୍ୟାମ ସୁରକ୍ଷା ବିଲ୍ ୨୦୧୯ ଉପରେ ହୋଇଥିବା ଆଲୋଚନା ରହିଛି। ରାଜ୍ୟସଭାରେ ଡିସେମ୍ବର ୨ରେ ଏହା ଉପରେ ୪ ଘଣ୍ଟା ୨୪ ମିନିଟ୍‌ ଧରି ଆଲୋଚନା ହୋଇଥିଲା। ଲୋକସଭାରେ ଏହି ବିଲ୍‌ ୨୦୧୯ରେ ପାରିତ ହୋଇଥିଲା। ସେତେବେଳେ ଏହା ଉପରେ ୪ ଘଣ୍ଟା ୩୭ ମିନିଟ୍‌ ଧରି ବିତର୍କ ହୋଇଥିଲା।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବର୍ତ୍ତମାନ ଚର୍ଚ୍ଚାରେ ଥିବା ନିର୍ବାଚନ ଆଇନ(ସଂଶୋଧନ) ବିଲ୍ ୨୦୨୧ ଉପରେ ସଂସଦରେ ମାତ୍ର ୧ ଘଣ୍ଟା ୨୯ ମିନିଟ୍‌ର ଆଲୋଚନା ହୋଇଛି। ଏହା ମଧ୍ୟରୁ ଲୋକସଭାରେ ଏହି ବିଲ୍‌ ୨୬ ମିନିଟ୍‌ର ଆଲୋଚନା ପରେ ପାରିତ ହୋଇଥିଲା। ଭୋଟର ଆଇଡି ସହ ଆଧାର ଲିଙ୍କ କରିବାକୁ ଏହି ବିଲ୍‌ରେ ବ୍ୟବସ୍ଥା ରହିଛି। ତେବେ ଏହାକୁ ବିଭିନ୍ନ ମହଲରେ ବିରୋଧ କରାଯାଉଛି।
ଶୀତ ଅଧିବେଶନ ବେଳେ ସଂସଦର ଉଭୟ ଗୃହରେ ପାସ୍ ହୋଇଥିବା ବିଲ୍
ନିର୍ବାଚନ ଆଇନ(ସଂଶୋଧନ) ବିଲ୍‌
ଏନଡିପିଏସ୍‌ ସଂଶୋଧନ ବିଲ୍‌ ୨୦୨୧
ଦିଲ୍ଲୀ ସ୍ପେଶାଲ ପୁଲିସ୍‌ ଏଷ୍ଟାବ୍ଲିଶମେଣ୍ଟ ସଂଶୋଧନ ବିଲ୍‌ ୨୦୨୧
ସେଣ୍ଟ୍ରାଲ ଭିଜିଲାନ୍ସ କମିଶନ ସଂଶୋଧନ ବିଲ୍‌ ୨୦୨୧
ସୁପ୍ରିମକୋର୍ଟ ଓ ହାଇକୋର୍ଟ ବିଚାରପତିଙ୍କ(ଦରମା ଓ ସର୍ଭିସ ସର୍ତ୍ତ) ସଂଶୋଧନ ବିଲ୍‌
କୃଷି ଆଇନ ପ୍ରତ୍ୟାହାର ବିଲ୍‌
ଆସିସଷ୍ଟେଡ ରିପ୍ରଡକ୍ଟଟିଭ ଟେକ୍ନୋଲଜି ରେଗୁଲେସନ ବିଲ୍‌ ୨୦୨୦
ସରୋଗେସୀ ରେଗୁଲେସନ ବିଲ୍‌ ୨୦୧୯
ଡ୍ୟାମ ସୁରକ୍ଷା ବିଲ୍‌ ୨୦୧୯
ନ୍ୟାଶନାଲ ଇଷ୍ଟିଚ୍ୟୁଟ ଅଫ ଫାର୍ମାସିଟ୍ୟୁକାଲ ଏଡୁକେସନ ଓ ରିସର୍ଚ୍ଚ ସଂଶୋଧନ ବିଲ ୨୦୨୧
ଷ୍ଟାଣ୍ଡିଂ କମିଟି ପାଖରେ ଥିବା ବିଲ୍‌
ବାଲ୍ୟ ବିବାହ ନିଷେଦ୍ଧ ସଂ‌ଶୋଧନ ବିଲ୍‌
ମେଡିଟେସନ ବିଲ୍‌ ୨୦୨୧
ଚାର୍ଟାର୍ଡ ଆକାଉଣ୍ଟସ, କଷ୍ଟ ଓ ୱାର୍କ୍ସ ଆକାଉଣ୍ଟସ ଏବଂ କମ୍ପାନୀ ସେକ୍ରେଟାରିଜ୍‌ ସଂଶୋଧନ ବିଲ୍‌
ବାୟୋଲଜିକାଲ ଡାଇଭର୍ସିଟି ସଂଶୋଧନ ବିଲ୍‌ ୨୦୨୧
କେବଳ ଲୋକସଭାରେ ଉପସ୍ଥାପନ ହୋଇଥିବା ବିଲ୍‌
ବନ୍ୟଜନ୍ତୁ ସୁରକ୍ଷା ସଂଶୋଧନ ବିଲ୍‌ ୨୦୨୧
ନ୍ୟାଶନାଲ ଆଣ୍ଟି ଡୋପିଂ ବିଲ୍

Comments (0)
Add Comment