ଭୟାବହ ଅଗ୍ନିକାଣ୍ଡରେ ଶ୍ରୀଗୁଣ୍ଡିଚା ମନ୍ଦିର ପାଚେରୀ କ୍ଷତିଗ୍ରସ୍ତ

ଭୁବନେଶ୍ବର: ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିଷ୍ପୋରଣର ତିନିଦିନ ନ ପୁରୁଣୁ ଆଜି ସକାଳେ ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦୁଆର ନିକଟରେ ଭୟାଭୟ ଅଗ୍ନିକାଣ୍ଡ ଘଟି କିଛି ଫାଇବର ବ୍ୟାରେକେଡ ଜଳିଯିବା ସମେତ ଶ୍ରୀଗୁଣ୍ଡିଚା ମନ୍ଦିର ପାଚେରୀ କ୍ଷତିଗ୍ରସ୍ତ ହୋଇଛି । ଘଟଣାରୁ ପ୍ରକାଶ ଯେ, ଆଜି ସକାଳ ପ୍ରାୟ ପାଂଚଟା ହେବ ହଠାତ୍ ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦୁଆର ବାମ ପାର୍ଶ୍ୱରୁ କିଛି ଧୂଆଁ ଉଠୁଥିବାର ଦେଖାଗଲା । କେହି କିଛି ବୁଝିବା ଆଗରୁ ପ୍ରକାଣ୍ଡ ଆକାରରେ ନିଆଁ ଜଳି ସମଗ୍ର ଅଞ୍ଚଳ ଧୂଆଁମୟ ହୋଇ ଯାଇଥିଲା । ଗୁଣ୍ଡିଚା ମନ୍ଦିର ପାଚେରୀର ପ୍ରାୟ ୧୫ ରୁ ୨୦ ଫୁଟ ଉପରକୁ ଅଗ୍ନି ଶିଖା ଉଠୁଥିଲା । ନିଆଁ ଉଠୁଥିବା ସ୍ଥାନର ସାମନା ପଟରେ ରଥଯାତ୍ରା ସମୟରେ ପୋଲିସ ପୋଷ୍ଟ ନିମନ୍ତେ ଉପଯୋଗ ହେଉଥିବା କଣ୍ଟେନର୍‌ ସହିତ ଗୁଣ୍ଡିଚା ମନ୍ଦିର ମରାମତି ହେବା ନିମନ୍ତେ ପଥର ରଖାଯାଇଥିଲା । ପଛପଟେ ଗୁଣ୍ଡିଚା ମନ୍ଦିର ପାଚେରୀ ଏବଂ ଦୁଇ ପାର୍ଶ୍ୱରେ ଦୁଇଟି ବରଗଛ ସାଙ୍ଗକୁ ପଥର ଜମା ହୋଇ ରହିଥିବାରୁ ନିଆଁ କେଉଁଥିରେ ଲାଗିଛି କିଛି ଜଣା ପଡୁ ନଥିଲା । ଦମକଳ ବାହିନି ଆସି ନିଆଁକୁ ଆୟତ କଲା ପରେ ସେଠାରେ ପରିତ୍ୟକ୍ତ ଅବସ୍ଥାରେ ରଖାଯାଇଥିବା କିଛି ଫାଇବର ବ୍ୟାରିକେଡରେ ନିଆଁ ଲାଗିଥିବାର ଜଣା ପଡିଥିଲା । କିଛି ଦେଖଣାହାରୀଙ୍କ କହିବା ଅନୁସାରେ ସେଠାରେ ଗତକାଲି ସନ୍ଧ୍ୟା ସମୟରୁ ଜଣେ ମାନସିକ ବିକୃତ ବ୍ୟକ୍ତି କିଛି ଧୂପକାଠି ଜଳାଇ ବସି ରହିଥିଲା । ବରଗଛରୁ ଶୁଖିଲା ପତ୍ର ମଧ୍ୟ ସେଠାରେ ଜମି ରହିଥିଲା । ହୁଏତ ସେଥିରେ କୌଣସି ପ୍ରକାରେ ଅଗ୍ନି ସଂଯୋଗ ହୋଇ ଏପରି ଘଟଣା ଘଟି ଥାଇପାରେ କିମ୍ବା ଉକ୍ତ ଫାଇବର ବ୍ୟାରିକେଡ ଭିତରେ ଥିବା ଲୁହା ଚୋରୀ କରିବା ଉଦ୍ଦେଶ୍ୟରେ କେହି ଅସାମାଜିକ ବ୍ୟକ୍ତି ଏପରି କରିଥାଇ ପାରେ ବୋଲି ସନ୍ଦେହ ହେଉଛି । ଏହି ଅଗ୍ନିକାଣ୍ଡରେ ଗୁଣ୍ଡିଚା ମନ୍ଦିର ପାଚେରୀର କିଛି ଅଂଶର ପ୍ଲାଷ୍ଟର କ୍ଷତିଗ୍ରସ୍ତ ହୋଇ ଝଡି ପଡ଼ିଥିବାର ଦେଖିବାକୁ ମିଳିଛି । ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁସାରେ ପ୍ରଶାସନ ଶ୍ରୀଗୁଣ୍ଡିଚା ମନ୍ଦିର ଭଳି ଏକ ପର୍ଯ୍ୟଟନ ସ୍ଥଳୀର ଚତୁଃପାର୍ଶ୍ୱ ପରିଷ୍କାର ପରିଛନ୍ନ ରଖିବା ବଦଳରେ ସେଠାରେ ପରିତ୍ୟକ୍ତ ଅବସ୍ଥାରେ ବହୁ କଣ୍ଟେନର, କ୍ୟାବିନ୍ ଆଦି ରଖିବା ଦ୍ୱାରା ସେଠାରେ ନିଶାଖୋର, ଜୁଆଡି ଆଦି ଅସାମାଜିକ ବ୍ୟକ୍ତି ମାନଙ୍କର ଆଡ୍ଡା ଜମୁଛି । ଅନେକ ସମୟରେ ବାହାରର ତୀର୍ଥଯାତ୍ରୀମାନେ ମଧ୍ୟ ସେମାନଙ୍କ ଆକ୍ରୋଶର ଶିକାର ହେଉଛନ୍ତି । ସେମାନଙ୍କୁ କେହି ବିରୋଧ କଲେ ନିଜ ଜୀବନ ପ୍ରତି ବିପଦ ମଧ୍ୟ ରହୁଛି । ଗୁଣ୍ଡିଚା ମନ୍ଦିର ଭଳି ଏକ ସମ୍ବେଦନଶୀଳ ଅଞ୍ଚଳରେ ଏଭଳି ପରିବେଶକୁ ସୁଧାରିବାକୁ ପ୍ରଶାସନ ଦୃଷ୍ଟି ଦେବା ଦରକାର ବୋଲି ସାଧାରଣରେ ଦାବି ହେଉଛି।

Comments (0)
Add Comment