ରାଷ୍ଟ୍ରୀୟ ଶିକ୍ଷା ନୀତିକୁ ନେଇ ମହାମହିମ ରାଷ୍ଟ୍ରପତି ଦେଖିଥିବା ସ୍ୱପ୍ନକୁ ସାକାର କରାଯିବ -ଧର୍ମେନ୍ଦ୍ର ପ୍ରଧାନ
ମହାମହିମ ରାଷ୍ଟ୍ରପତିଙ୍କ ପ୍ରମୁଖ ଭାଷଣକୁ ନେଇ ପ୍ରସ୍ତୁତ ପୁସ୍ତକ ‘ଲୋକତନ୍ତ୍ରର ସ୍ୱର’
– ରାଷ୍ଟ୍ରପତିଙ୍କ ବୌଦ୍ଧିକ ପରିପ୍ରକାଶକୁ ଲୋକାର୍ପଣ କରିଥିବାରୁ ମୁଁ ସୌଭାଗ୍ୟଶାଳୀ
– ଜାତୀୟ ଶିକ୍ଷା ନୀତି ଏକବିଂଶ ଶତାବ୍ଦୀର ଆବଶ୍ୟକତାକୁ ପୂରଣ କରିବ ବୋଲି ରାଷ୍ଟ୍ରପତି କହିଛନ୍ତି
– ରାଷ୍ଟ୍ରପତିଙ୍କ ପ୍ରମୁଖ ବିଚାରର ଦୁଇ ଆଧାର ସ୍ତମ୍ଭ ହେଉଛି ନୈତିକତା ଓ ଦୃଷ୍ଟି
– ରାଷ୍ଟ୍ରପତି ଭବନ ଭାରତବର୍ଷର ୧୩୦ କୋଟି ଜନତାଙ୍କ ଆସ୍ଥାର ମନ୍ଦିର
ନୂଆଦିଲ୍ଲୀ/ଭୁବନେଶ୍ୱର, ଜୁନ ୦୮ – ଦେଶର ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅଭିଭାଷଣ ପ୍ରଦାନ କରିବା ବେଳେ ରାଷ୍ଟ୍ରୀୟ ଶିକ୍ଷା ନୀତି-୨୦୨୦(ଏନଇପି) ଉପରେ ଦେଇଥିବା ଟିପ୍ପଣୀ ତଥା ଶିକ୍ଷା ନୀତିକୁ ନେଇ ସେ ଦେଖିଥିବା ସ୍ୱପ୍ନକୁ ସାକାର କରାଯିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ବୁଧବାର ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତିଙ୍କ ପ୍ରମୁଖ ଭାଷଣକୁ ନେଇ ପ୍ରସ୍ତୁତ ପୁସ୍ତକ ‘ଲୋକତନ୍ତ୍ରର ସ୍ୱର’ ଚତୁର୍ଥ ସଂସ୍କରଣକୁ ଉନ୍ମୋଚନ କରିବା ଅବସରରେ ଶ୍ରୀ ପ୍ରଧାନ ଏହା କହିଛନ୍ତି । ସେ କହିଛନ୍ତି ଯେ ଏକ ରାଷ୍ଟ୍ର ନେତା ଭାବରେ ରାଷ୍ଟ୍ରପତିଙ୍କ ବିଭିନ୍ନ ବିଷୟରେ ବିଗତ ଦିନର ୩୮ ମୁଖ୍ୟ ଭାଷଣର ସମାହାରକୁ ନେଇ ‘ଲୋକତନ୍ତ୍ର’ର ସ୍ୱର’ ଚତୁର୍ଥ ସଂସ୍କରଣ ଦେଶ ଉଦ୍ଦେଶ୍ୟରେ ଲୋକାର୍ପଣ କରାଯାଇଛି । ପୁସ୍ତକରେ ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ବୋଧିତ ଗୁରୁତ୍ୱପୂର୍ଣ୍ଣ ବିଷୟ ଯଥା ରାଷ୍ଟ୍ର ହିତରେ ବାର୍ତା, ଶିକ୍ଷା ଓ ସଂସ୍କୃତ ଦ୍ୱାରା ଭାରତର ନବନିର୍ମାଣ, ଜନସେବାର ଧର୍ମ, ସାମରିକ ସୁରକ୍ଷାରେ ଆଧୁନିକ ପଦକ୍ଷେପ, ସମ୍ବିଧାନ ଓ ବିଧି ବ୍ୟବସ୍ଥାର ଆଧାର ଭୂମି, ଉତ୍କୃଷ୍ଟତାର ଉତ୍ସବ, ଆମର ପ୍ରକାଶ ସ୍ତମ୍ଭ, ବିଶ୍ୱ ମଂଚରେ ଭାରତ ଆଦି ଭଳି ବିଭିନ୍ନ ବିଷୟରେ ଉଲ୍ଲେଖ କରାଯାଇଛି । ରାଷ୍ଟ୍ରପତିଙ୍କ ବୌଦ୍ଧିକ ପରିପ୍ରକାଶକୁ ଲୋକାର୍ପଣ କରିବା ନିଜ ନିଜ ମଧ୍ୟରେ ହିଁ ଗୌରବର ବିଷୟ ଓ ଏଥିପାଇଁ ମୁଁ ସୌଭାଗ୍ୟଶାଳୀ ।
ଅନେକ ବିଷୟରେ ମହାମହିମ ରାଷ୍ଟ୍ରପତିଙ୍କ ବିଚାର ଯଥା ବୈଶ୍ୱିକ ସ୍ଥିତି, ଦେଶରେ ଥିବା ଆହ୍ୱାନ, ଦେଶର ଯୁବପିଢ଼ିଙ୍କ ଆକାଂକ୍ଷା ଓ ଶିକ୍ଷା ବିଷୟରେ ତାଙ୍କ ମାର୍ଗଦର୍ଶନ ରହିଛି । ରାଷ୍ଟ୍ରୀୟ ଶିକ୍ଷା ନୀତି ବିଷୟରେ ମହାମହିମ ରାଷ୍ଟ୍ରପତି ଅଭିଭାଷଣରେ କହିଛନ୍ତି ଦୀର୍ଘ ୩୪ ବର୍ଷ ପରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ପ୍ରଣୟନ ହୋଇଥିବା ଜାତୀୟ ଶିକ୍ଷା ନୀତି ଏକବିଂଶ ଶତାବ୍ଦୀର ଆବଶ୍ୟକତାକୁ ପୂରଣ କରିବ । ଏହା ରାଷ୍ଟ୍ରପତିଙ୍କ ଦୁଇ ଚାରୋଟି ଶବ୍ଦ ନୁହେଁ ବରଂ ଆଗାମୀ ଦଶନ୍ଧିର ଏକ ବେଂଚମାର୍କ ଓ ଭିନ୍ନ ମୋଡ଼ ରହିବ । ସେହିପରି ଦେଶର ଶିକ୍ଷା ବ୍ୟବସ୍ଥା ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ କରିବା ପାଇଁ ରାଷ୍ଟ୍ରପତି କହିଛନ୍ତି । ରାଷ୍ଟ୍ରପତି ନିଜ ଭାଷଣରେ ଏନଇପି ପ୍ରତି ରଖିଥିବା ଅପେକ୍ଷାକୁ ସାକାର କରିବାକୁ ହେବ ଏବଂ ତାଙ୍କ ମାର୍ଗଦର୍ଶନକୁ ବାସ୍ତବ ରୂପ ଦେବାକୁ ପଡ଼ିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
ରାଷ୍ଟ୍ରପତି ଭବନ ଭାରତବର୍ଷର ୧୩୦ କୋଟି ଜନତାଙ୍କ ଆସ୍ଥାର ମନ୍ଦିର । ଆଜି ପ୍ରଜାତନ୍ତ୍ରର ମନ୍ଦିରରେ ସାଧାରଣ ଦଳିତ ଘରର ବ୍ୟକ୍ତି ଦେଶର ରାଷ୍ଟ୍ରପତି ଏବଂ ପର ଘରେ ବାସନ ମାଜି ଘର ଭରଣପୋଷଣ କରୁଥିବା ମାଆର ପୁଅ ପ୍ରଧାନମନ୍ତ୍ରୀ ହୋଇଛନ୍ତି । ଦୁନିଆର କେଉଁଠାରେ ସମୟରେ ଏପରି ଉଦାହରଣ ଦେଖିବାକୁ ମିଳେ କି? ଏହା ହିଁ ଭାରତୀୟ ପ୍ରଜାତନ୍ତ୍ରର ପରାକାଷ୍ଠା ବୋଲି ରାଷ୍ଟ୍ରପତିଙ୍କ କଥାକୁ ଶ୍ରୀ ପ୍ରଧାନ ଦୋହରାଇଛନ୍ତି ।
ଭାରତ ଭଳି ବୃହତ ଗଣତନ୍ତ୍ରର ଦେଶ ଆଜି ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରୁଛି । ଏହି ସମୟରେ ରାଷ୍ଟ୍ରପତିଙ୍କ ପ୍ରମୁଖ ବିଚାରର ଦୁଇ ଆଧାର ସ୍ତମ୍ଭ ହେଉଛି ନୈତିକତା ଓ ଦୃଷ୍ଟି । ଭାରତର ଅଭୁତପୂର୍ବ ବିଚାର ଓ ଆଧୁନିକ ଚ୍ୟାଲେଞ୍ଜ ସହ ଆଧୁନିକ ଦାୟିତ୍ୱ କଣ, ଏ ସମସ୍ତ ବିଷୟରେ ରାଷ୍ଟ୍ରନେତାଙ୍କ ପୁସ୍ତକକୁ ସମସ୍ତ ପ୍ରତ୍ୟକ୍ଷ ପୁସ୍ତକ ଓ ଇ-ପୁସ୍ତକୁ ଦେଶ ଉଦ୍ଦେଶ୍ୟରେ ସମର୍ପିତ କରାଯାଇଛି ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି ।
ଉଲ୍ଲେଖନୀୟ ଯେ, ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର ପ୍ରମଖ ଉପସ୍ଥିତ ଥିଲେ ।