ନୂତନ ପ୍ରଯୁକ୍ତିବିଦ୍ୟାରେ ଡିଜିଟାଲ୍ ସ୍କିଲିଂର ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ ଦକ୍ଷତା ବିକାଶକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

•    ଯୁବପିଢିଙ୍କୁ ଏକବିଂଶ ଶତାବ୍ଦୀରେ ଦକ୍ଷତା ଆଧାରରେ ସୁଦୃଢ କରିବା
•    ଭାରତର ସମ୍ପନ୍ନତା ନିଜ ସଂସ୍କୃତି ବଳରେ ହିଁ ଉତ୍ଥାପନ ହୋଇଛି
•    ସବୁ ଭାରତୀୟ ଭାଷା ରାଷ୍ଟ୍ରୀୟ ଭାଷା ଅଟେ ଓ ରାଷ୍ଟ୍ରୀୟ ଶିକ୍ଷା ନୀତିରେ ଆଞ୍ଚଳିକ ଭାଷାକୁ ଗୁରୁତ୍ୱ ଦିଆଯାଉଛି
•    ଦେଶ ଏବଂ ବିଶ୍ୱର କଲ୍ୟାଣ ପାଇଁ ଟେକ୍ନୋଲୋଜି ଏବଂ ସଂସ୍କୃତି ମଧ୍ୟରେ ଅଧିକ ସମନ୍ୱୟ ରକ୍ଷା କରିବା ଆବଶ୍ୟକ
•    ବହୁଦେଶୀୟ କମ୍ପାନୀ ଗୁଡିକର ଲାଭ ଏବଂ ସାମାଜିକ ଦାୟିତ୍ୱ ମଧ୍ୟରେ ଏକ ସନ୍ତୁଳନ ରକ୍ଷା କରିବାକୁ ପଡିବ
ନୂଆଦିଲ୍ଲୀ/ଭୁବନେଶ୍ୱର, ଜୁନ ୦୬ – ଦକ୍ଷତା ବିକାଶକୁ ଜନଆନ୍ଦୋଳନ ଭାବେ ପରିଣତ କରିବା ତଥା ଦେଶର ଯୁବପିଢିଙ୍କୁ ଏକବିଂଶ ଶତାବ୍ଦୀର ଦକ୍ଷତା ଆଧାରରେ ସୁଦୃଢ କରିବା ଏବଂ ଶିଳ୍ପ ବିପ୍ଲବ ୪.୦ରୁ ଉତ୍ପନ୍ନ ହେଉଥିବା ଆହ୍ୱାନ ପାଇଁ ପ୍ରସ୍ତୁତ କରିବାକୁ ହେବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ସୋମବାର ନୂଆଦିଲ୍ଲୀ ଠାରେ ଏଆଇସିଟିଇ ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ତରଫରୁ ଆରମ୍ଭ ହୋଇଥିବା ଡିଜିଟାଲ୍ ସ୍କିଲିଂର ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଏହା କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି କୋଭିଡ୍ ପରବର୍ତ୍ତୀ ଆର୍ଥିକ ପୁନରୁଦ୍ଧାର ସମୟରେ ଭାରତ ହେଉଛି ଏକ ଉଜ୍ଜ୍ୱଳ ସ୍ଥାନ । ଶିଳ୍ପାନୁଷ୍ଠାନ, ଶିକ୍ଷାବିତ୍ତ୍ ଓ ନୀତି ପ୍ରଣୟନକାରୀଙ୍କ ପାଇଁ ସହଯୋଗୀ ଭାବରେ କାର୍ଯ୍ୟ କରିବା ପାଇଁ ଏହା ଏକ ସୁଯୋଗ । ଭାରତ ସରକାର ବହୁମୁଖୀ ଓ ଭବିଷ୍ୟତର କର୍ମଜୀବୀ ସୃଷ୍ଟି କରିବା ଦିଗରେ ସବୁ ପ୍ରକାର ସହଯୋଗ କରିବା ପାଇଁ ପ୍ରସ୍ତୁତ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତକୁ ବିଶ୍ୱର କର୍ମଜୀବୀର ଆବଶ୍ୟକତାକୁ ପୂରଣ କରିବାକୁ ପଡିବ ଏବଂ ନୂଆ ଟେକ୍ନୋଲୋଜି ଆମକୁ ଏହି ଲକ୍ଷ୍ୟକୁ ପୂରଣ କରିବାକୁ ସକ୍ଷମ କରିବ । ଆମର ବହୁଦେଶୀୟ କମ୍ପାନୀ ଗୁଡିକୁ  ଲାଭ ଏବଂ ସାମାଜିକ ଦାୟିତ୍ୱ ମଧ୍ୟରେ ଏକ ସନ୍ତୁଳନ ରକ୍ଷା କରିବକୁ ପଡିବ । ଭାରତର ବିଚାର “ବସୁଧୈବ କୁଟୁମ୍ବକମ” ଆଧାରରେ ଦେଶ ଏବଂ ବିଶ୍ୱର କଲ୍ୟାଣ ପାଇଁ ଟେକ୍ନୋଲୋଜି ଏବଂ ସଂସ୍କୃତି ମଧ୍ୟରେ ଅଧିକ ସମନ୍ୱୟ ରକ୍ଷା କରିବା ଆବଶ୍ୟକ । ଭାରତର ସମ୍ପନ୍ନତା ନିଜ ସଂସ୍କୃତି ବଳରେ ହିଁ ଉପରକୁ ଉଠିଛି ।
ଆଜିର ଦିନରେ ଆମେ ଯେଉଁ କାର୍ଯ୍ୟ କରୁଛୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଶ ବର୍ଷ ପୂର୍ବରୁ ଗୁଜୁରାଟରେ ତାହା କରି ଦେଖାଇଛନ୍ତି । ସବୁ ଭାରତୀୟ ଭାଷା ରାଷ୍ଟ୍ରୀୟ ଭାଷା ଅଟେ ଏବଂ ରାଷ୍ଟ୍ରୀୟ ଶିକ୍ଷାନୀତିରେ ଆଞ୍ଚଳିକ ଭାଷାକୁ ହିଁ ଗୁରୁତ୍ୱ ଦିଆଯାଉଛି । ଏହି ପରିପେକ୍ଷୀରେ ସବୁ ଟେକ୍ କମ୍ପାନୀ ଗୁଡିକର ଟେକ୍ନୋଲୋଜି ସହ ସମସ୍ତ ଭାରତୀୟ ଭାଷା ସହିତ ଏକତ୍ର କରିବାକୁ ପଡିବ। ଡିଜିଟାଲ ସ୍କିଲିଂ ପଦକ୍ଷେପ ଇଂଟର୍ଣ୍ଣସିପ୍ ଓ ଆପ୍ରେଣ୍ଟିସିପ୍ ମାଧ୍ୟମରେ ଏକ କୋଟି ଛାତ୍ରଛାତ୍ରୀଙ୍କୁ ଏମର୍ଜିଂ ଟେକ୍ନୋଲୋଜିରେ ସ୍କିଲିଂ, ରିସ୍କିଲିଂ ଏବଂ ଅପ୍ ସ୍କିଲିଂ  କରିବା ସହ ନିଯୁକ୍ତି ସୁଯୋଗ ପ୍ରଦାନ କରିବ ବୋଲି କେନ୍ଦ୍ରମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି ।
ପ୍ରଥମ ଥର ପାଇଁ ଶିକ୍ଷା ମନ୍ତ୍ରଣାଳୟ, ଦକ୍ଷତା ବିକାଶ ମନ୍ତ୍ରଣାଳୟ,  ଏନ୍.ଏସ୍. ଡି. ସି ଏବଂ ସ୍କିଲ୍ ଇଣ୍ଡିଆ କାର୍ଯ୍ୟକ୍ରମ (ନ୍ୟାସନାଲ୍ ଏଜୁକେସନ୍ ଆଲାୟନ୍ସ ଫର୍ ଟେକ୍ନୋଲୋଜି) ଓ ଏଆଇସିଟିଇ ମଧ୍ୟରେ ଜାତୀୟ ସ୍ତରରେ ସହଯୋଗୀ ହୋଇଛନ୍ତି । ମାଗଣାରେ ଉଦୀୟମାନ ପ୍ରଯୁକ୍ତିବିଦ୍ୟା ପ୍ରମାଣପତ୍ର ପ୍ରଦାନ କରିବାକୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଶହେରୁ ଅଧିକ ଟେକ୍ନୋଲୋଜି,  କର୍ପୋରେଟ୍, ଉତ୍ପାଦନକାରୀ ସଂସ୍ଥା ଏହି ପ୍ଲାଟଫର୍ମରେ ଯୋଡି ହୋଇଛନ୍ତି ।